ବୈପାରିଗୁଡା: ଆର୍ଏମ୍ସିର ଖାମଖିଆଲି ନୀତି ଯୋଗୁ ବୈପାରିଗୁଡା ସାପ୍ତାହିକ ହାଟରେ ନିର୍ମାଣ କରାଯାଇଥିବା ପିଣ୍ଡି ଅଧପନ୍ତରିଆ ରହିଛି। ସେହିପରି ସିକ୍ୟୁରିଟି ଗାର୍ଡ ପାଇଁ ନିର୍ମାଣ କରାଯାଇଥିବା କ୍ୱାର୍ଟର୍ସ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ଉଲ୍ଲେଖନୀୟ ଯେ, ପୂର୍ବରୁ ବହୁ ବର୍ଷ ଧରି ମାଲକାନଗିରି ରାସ୍ତାର ଥାନା ନିକଟରେ ହାଟ ବସୁଥିଲା। ଲୋକସଂଖ୍ୟା ବୃଦ୍ଧି ଅନୁପାତରେ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଥିଲା। ଏପରିକି ସ୍ଥାନ ଅଭାବରୁ ବହୁ ବ୍ୟବସାୟୀ ୩୨୬ ନମ୍ବର ଜାତୀୟ ରାଜପଥର ଦୁଇ କଡ଼ରେ ବସି ପରିବା ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବିକ୍ରି କରିବା ପାଇଁ ବାଧ୍ୟ ହୋଇଥିଲେ। ଏହି ରାସ୍ତାରେ ବହୁ ସଂଖ୍ୟାରେ ଯାନବାହନ ଯାତାୟାତ କରୁଥିବାରୁ ସବୁବେଳେ ଟ୍ରାଫିକ ଜାମ୍ ସହିତ ଦୁର୍ଘଟଣାର ଆଶଂକା ରହୁଥିଲା। ତେଣୁ ସାଧାରଣରେ ହାଟର ସ୍ଥାନ ପରିବର୍ତ୍ତନ ଦାବି ହୋଇ ଆସୁଥିଲା।
ଏସବୁକୁ ଆଖି ଆଗରେ ରଖି ହାଟର ସ୍ଥାନ ପରିବର୍ତ୍ତନ କରାଯାଇ କୁନ୍ଦୁରା ରାସ୍ତାକୁ ଘୁଞ୍ଚାଇ ଦିଆଗଲା। ତେବେ ବ୍ୟବସାୟୀମାନଙ୍କ ସୁବିଧା ପାଇଁ ପିଣ୍ଡିର ଆବଶ୍ୟକତା ଥିବାରୁ ଆରଏମସି ତରଫରୁ ପିଣ୍ଡି ନିର୍ମାଣ କରାଯିବାର ବ୍ୟବସ୍ଥା କରାଗଲା। ତେବେ ପିଣ୍ଡିଗୁଡ଼ିକ ଆଜିଯାଏ ଅଧପନ୍ତରିଆ ରହିଛି। ଖରା, ବର୍ଷା, ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଛାତର ଆବଶ୍ୟକତା ଥିଲେ ମଧ୍ୟ ଅଦ୍ୟାବଧି ତାହା କରାଯାଇ ପାରିନାହିଁ। କାହିଁକି ଏବଂ କେଉଁ କାରଣରୁ ଅଧାରୁ କାମ ବନ୍ଦ କରିଦିଆଯାଇଛି ଜଣାପଡୁ ନାହିଁ। ଛାତ ଅଭାବରୁ ବର୍ଷା ଏବଂ ଖରାଦିନେ ବ୍ୟବସାୟୀମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ବ୍ୟବସାୟୀ ତଥା ସାଧାରଣ ଲୋକଙ୍କ ସୁବିଧା ପାଇଁ ଛାତର ନିତାନ୍ତ ଆବଶ୍ୟକ ଥିଲେ ମଧ୍ୟ ଆରଏମସିର ଖାମଖିଆଲି ନୀତି ଯୋଗୁ କାମ ଅଧପନ୍ତରିଆ ହୋଇରହିଛି। ସେହିପରି ସିକ୍ୟୁରିଟି ଗାର୍ଡ ପାଇଁ ତିଆରି କରାଯାଇଥିବା କ୍ୱାର୍ଟର୍ସ ଅବସ୍ଥା ମଧ୍ୟ ତଦ୍ରୁପ। ତେବେ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଯଥା ଶୀଘ୍ର ପିଣ୍ଡି ନିର୍ମାଣ କରାଯାଉ ବୋଲି ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/WhatsApp-Image-2022-05-07-at-8.42.09-PM.jpeg)
