ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମାମୁଁ ,ଭଣଜାର ମୃତ୍ୟୁ ଭଉଣୀ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।ଏହି ସଡକ ଦୁର୍ଘଟଣାରେ ମାମୁଁ,ଭଣଜାର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣାପଡିଛି।

ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତାରେ ଗୌଡଗୁଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏମଭି-୯ ଗ୍ରାମର ମିଥୁନ ବିଶ୍ବାସ(୨୫) ନିଜ ଭଉଣୀ ଘର ଏମଭି-୧ ଗ୍ରାମକୁ ଯାଇଥିଲେ। ଆଜି ସକାଳେ ଭଉଣୀ ସୁଚିତ୍ରା ଏବଂ ୩ ବର୍ଷର ଭଣଜାକୁ ନେଇ ନିଜର ମଟର ସାଇକଲରେ ନିଜ ଗାଁକୁ ଫେରୁଥିଲେ। ତେବେ ଗୌଡଗୁଡା ଛକ ନିକଟରେ ମିଥୁନ ମଟର ସାଇକେଲକୁ ବୁଲାଉଥିବା ବେଳେ ଅପର ପଟରୁ ଆସୁଥିବା ଧାନ ବୋଝେଇ ଟ୍ରକ ମଟର ସାଇକେଲକୁ ପିଟିଥିଲ।ଯାହାଫଳରେ ତିନି ଜଣ ଛିଟିକି ରାସ୍ତା ଉପରେ ପଡିଥିଲେ।

ଘଟଣାସ୍ଥଳରେ ମିଥୁନର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ସୁଚିତ୍ରା ଏବଂ ଭଣଜା ପିୟୁସ ଗୁରୁତର ହୋଇ ପଡିଥିଲେ।ତୁରନ୍ତ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଆମ୍ବୁଲେସନରେ ଦୁଇ ଗୁରୁତରଙ୍କୁ ମାଲାକନଗିରି ମେଡିକାଲକୁ ନିଆଯାଇଥିଲା। ତେବେ ହସପିଟାଲରେ ପିୟୁସର ମୃତ୍ୟୁ ଘଟିଥିଲା। ମାଲକନଗିରି ଆଇଆଇସି ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭର ରାଜୁଲାଲ ସାହୁକୁ ଗିରଫ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର