କାଞ୍ଜିଆହୁଦା ଖୋଜୁଛନ୍ତି ପୌରବାସିନ୍ଦା: ବୃଦ୍ଧି ପାଉଛି ବୁଲା ଗୋରୁଙ୍କ ସଂଖ୍ୟା, ବଢୁଛି ଦୁର୍ଘଟଣା

ବାରିପଦା: ରାଜ୍ୟର ସର୍ବପୁରାତନ ବାରିପଦା ପୌରପରିଷଦରେ ନାହିଁ ନିଜସ୍ୱ କାଞ୍ଜିଆହୁଦା। ଫଳରେ ପୌରପାଳିକାରେ ବୁଲା ଗାଇଗୋରୁ ଅବାଧରେ ବିଚରଣ କରୁଛନ୍ତି। ଏହା ସହରବାସୀ ଓ ପଥଚାରୀଙ୍କ ନିମନ୍ତେ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଏନେଇ ସହରରେ ଦୁର୍ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। କେତେବେଳେ ମଣିଷ ତ କେତେବେଳେ ଗୃହପାଳିତ ଏହି ପ୍ରାଣୀ ଦୁର୍ଘଟଣାର ଶିକାର ହେଉଛନ୍ତି। ସହରର ବଡ଼ଦାଣ୍ଡ, କେସିସର୍କଲ, ପାଲବଣି, ବିଜୁ ଗୋଲେଇ, ଷ୍ଟିଲ ଗୋଲେଇ, ଭଞ୍ଜପୁର ଆଦି ମୁଖ୍ୟ ରାସ୍ତା ସହିତ ବିଭିନ୍ନ ଗଳିକନ୍ଦିରେ ମାଳ ମାଳ ଗୋରୁ, ବୁଲା ଷଣ୍ଢଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ଏପରିକି ପରସ୍ପର ମଧ୍ୟରେ ଲେଇ କାରଣରୁ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ସାଙ୍ଗକୁ ଜନସାଧାରଣଙ୍କ ଯାତାୟତ ବନ୍ଦ ଓ ଛୋଟ ବଡ଼ ଦୁର୍ଘଟଣାର କାରଣ ପାଲଟିଛି। ଏନେଇ ୨୦୧୭ରେ ପୌରପରିଷଦ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ରରେ ଜନସାଧାରଣଙ୍କୁ ସେମାନଙ୍କ ଗୃହପାଳିତ ପଶୁକୁ ରାସ୍ତାକୁ ନ ଛାଡ଼ିବା ନିମନ୍ତେ ଚେତାବନୀ ଦିଆଯାଇଥିଲା। ମାତ୍ର ଅଦ୍ୟାବଧି ପୌରପାଳିକା ପକ୍ଷରୁ ଗୋରୁଗାଈ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଏନେଇ ପୌରପାଳିକା ପକ୍ଷରୁ କୌଣସି ସଚେତନାତ୍ମକ ପ୍ରଚାର ମଧ୍ୟ କରାଯାଉ ନାହିଁ।

ଖିଲାପକାରୀ ମାଲିକଙ୍କ ବିରୋଧରେ ଅଥବା ଗୋରୁଗାଈଙ୍କୁ ଜବତ କରାଯାଇ କାଞ୍ଜିଆହୁଦାରେ ଛଡ଼ାଯିବା ଓ ଜୋରିମାନା ଆଦାୟ କରାଯିବାର ନିୟମ ରହିଛି। ମାତ୍ର ବାରିପଦା ପୌରପ୍ରଶାସନ ଏଦିଗରେ ଆଖି ବନ୍ଦ କରିଦେଇଛି। ସହରର ଅଣଓସରିଆ ରାସ୍ତା, ମୁଖ୍ୟ ରାସ୍ତା, ସରକାରୀ କାର୍ଯ୍ୟାଳୟ, କଚେରୀ, ବଜାର, ବିଭିନ୍ନ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ବୁଲା ଗୋରୁଗାଈ ଓ ଷଣ୍ଢଙ୍କ ଦୌରାତ୍ମ୍ୟ ବିବାରେ ଲାଗିଛି। ଏ ନେଇ ପେରପରିଷଦ ବାସିନ୍ଦା ନିମାଇଁ ତ୍ରିପାଠୀ ସହରରେ ବୁଲା ଗୋରୁଗାଈମାନଙ୍କର ତଦାରଖ ଦାୟିତ୍ୱ ପୌରପରିଷଦର ହୋଇଥିବା ସମୟରେ ସେ ନିଜର କୌଣସି ଗୋଟାଏ ହେଲେ ଦାୟିତ୍ୱ ସଠିକ୍‌ ଙ୍ଗରେ ନିର୍ବାହ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି।

ବାରିପଦା ପୌରପରିଷଦରେ ଦିନରାତି ବୁଲା ଗୋରୁଗାଈଙ୍କ ଅବାଧ ବିଚରଣ ଜନସାଧାରଣଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରାଇ ଚାଲିଥିବା ବେଳେ ପୌରପ୍ରଶାସନର ପଳାୟନପନ୍ଥି ମନୋଭାବକୁ ଏଥି ନିମନ୍ତେ ଉତ୍ତରଦାୟୀ କରାଯିବ ବୋଲି ସେ କହିଛନ୍ତି। ସେହିପରି ଆନନ୍ଦ ସାହୁଙ୍କ ଅନୁଯାୟୀ ବୁଲା ଗାଇଗୋରୁଙ୍କ ନିମନ୍ତେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ତେଣୁ ଏଦିଗରେ ପୌରପ୍ରଶାସନ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଥିବା ପ୍ରକାଶ କରିଛନ୍ତି। ଏନେଇ ପେରପ୍ରଶାସନର କେଣସି ପ୍ରତିକ୍ରିୟା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର