ଅଟୋକୁ ଧକ୍କା ଦେଲା ଟ୍ରକ୍‌: ମହିଳା ମୃତ, ୩ ଗୁରୁତର

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତ ଛକ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏକ ଟ୍ରକ୍‌ (ସିଜି ୧୩ ଏଏଫ୍‌ ୨୯୪୭) ଗୋଟିଏ ଅଟୋ ରିକ୍ସା (ଓଡି ୧୫ଇ ୦୪୪୮)କୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଯୁଯୁମୁରା ବ୍ଲକ ଭୀମଖୋଜ ଗାଁର ପୂର୍ଣ୍ଣମାସୀ ମୁଣ୍ଡା (୫୦) ବୋଲି ଜଣାପଡ଼ିଛି। ଏହାଛଡ଼ା ଭୀମଖୋଜ ଗାଁର ବୃନ୍ଦାବତୀ ହର (୫୦), କୟାକୁଦର ସାରି ସାହୁ (୬୦) ଏବଂ ଟାମ୍ପରସିଂହାର ବାଦଲ ସାହୁ (୬୦) ନାମକ ତିନି ଜଣ ଆହତ ହୋଇଛନ୍ତି।

ପ୍ରଥମେ ଆହତଙ୍କୁ ଯୁଯୁମୁରା ଡାକ୍ତରଖାନାକୁ ନିଆ ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟ ମହିଳାଙ୍କୁ ବୁର୍ଲା ଓ ବାଦଲଙ୍କୁ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଟ୍ରକଟି ଦୁର୍ଘଟଣା ଘଟାଇ ପଳାଇ ଯିବାକୁ ଉଦ୍ୟମ କରୁଥିଲାବେଳେ ସ୍ଥାନୀୟ ଲୋକେ ପିଛା କରି ତା’କୁ ଅଟକାଇଥିଲେ। କିନ୍ତୁ ଡ୍ରାଇଭର ଡେଇଁ ପଡ଼ି ଫେରାର ହୋଇ ଯାଇଥିଲା। ମୃତ ପୂର୍ଣ୍ଣମାସୀ ମୁଣ୍ଡା କଂସର ପଞ୍ଚାୟତ ଅଫିସ୍‌କୁ ପିଡିଏସ୍‌ କିରୋସିନ ନେବାକୁ ଆସି ଅଟୋରେ ଗାଁକୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର