ନବରଙ୍ଗପୁର : ନବରଙ୍ଗପୁର ଆରଟିଓ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସେହିପରି ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ ଅନ୍ତର୍ଗତ ଶିରାଗୁଡା ଗାଁର ମୁରଲୀ ଧାକଡ, ସୁବାସ ପାଇକ ଓ ନାରାୟଣ ଗୌଡ କୌଣସି କାମରେ ନବରଙ୍ଗପୁର ଆସିଥିଲେ। କାମ ସାରି ରାତି ପ୍ରାୟ ୮ଟାରେ ବାଇକ ଯୋଗେ ପୁଣି ଗାଁକୁ ଫେରିବା ସମୟରେ ମାଝିଗୁଡା ନିକଟସ୍ଥ ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ଅଟୋରିକ୍ସା ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲେ। ଯାହାଫଳରେ ବାଇକରୁ ରାସ୍ତା ଉପରେ ଛିଟିକି ପଡିଥିଲେ।

Advertisment

ଏହି ସମୟରେ ରାସ୍ତାରେ ଗୋଟିଏ ଟ୍ରକ ଦ୍ରୁତ ଗତିରେ ସେମାନଙ୍କ ଉପରେ ଚଢିଯାଇ ଘଟଣା ସ୍ଥଳରୁ ଚାଲି ଯାଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ସୁବାସ ଓ ନାରାୟଣଙ୍କ ମୃତ୍ୟୁ ହୋଇଯାଇଥିଲା। ମୁରଲୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ନବରଙ୍ଗପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା। ସୁବାଷ ଓ ନାରାୟଣଙ୍କ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା। ମୃତ ଦୁଇ ଯୁବକଙ୍କ ବୟସ ୨୫ବର୍ଷ ମଧ୍ୟରେ ହେବ। ଶ୍ରମିକ ଭାବେ ସେମାନେ ଜମିରେ କାମ କରୁଥିଲେ ବୋଲି ଜଣାପଡିଛି। ଖବର ପାଇ ଗାଁ ଲୋକ ମେଡିକାଲ ପହଞ୍ଚିବାରୁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଆରଟିଓ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥରେ ନିୟମିତ ଭାବେ ଦୁର୍ଘଟଣା ଘଟୁଛି। ତେଣୁ ସେହି ସ୍ଥାନରେ ହମ୍ପସ୍‌ ନିର୍ମାଣ କରିବା ପାଇଁ ଦାବି ହେଉଛି। ଶିରାଗୁଡା ଗାଁରେ ଦେଢ ବର୍ଷ ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟି ପ୍ରାୟ ୮ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେଣୁ ଉକ୍ତ ସ୍ଥାନରେ ସୂଚନା ଫଳକ ଲଗାଇବା ପାଇଁ ବି ଦାବି ହୋଇଛି।