ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଦେଓବାହାଲ ଗ୍ରାମ ପାଖରେ ଆଜି ଏକ ମର୍ମନ୍ତୁୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ଧକ୍କାରେ ଜଣେ ମହିଳା ଓ ତାଙ୍କର ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ମହିଳାଙ୍କର ସ୍ୱାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ଅଞ୍ଚଳର ଗୀତା ଦଣ୍ଡସେନା (୨୫) ଓ ତାଙ୍କର ୨ ବର୍ଷର ପୁଅ। ଗୀତାଙ୍କ ସ୍ୱାମୀ ଗଣେଶ ଦଣ୍ଡସେନା ଆହତ ହୋଇଛନ୍ତି।। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରି ରାସ୍ତାରୋକ କରିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଆଜି ଅପରାହ୍ନରେ ଗଣେଶ ଦଣ୍ଡସେନା ନିଜର ସ୍ତ୍ରୀ ଗୀତା ଓ ୨ ବର୍ଷର ଶିଶୁ ପୁତ୍ରଙ୍କୁ ନେଇ ଏକ ମୋଟର ସାଇକେଲରେ ଖଡ଼ିିଆଳକୁ ଆସୁଥିଲେ । ଦେଓବାହାଲ ନିକଟରେ ଗୀତା ଓ ଗଣେଶ ମୋଟର ସାଇକେଲକୁ ରାସ୍ତାକଡ଼ରେ ରଖି ପୁଅକୁ ପାଣି ପିଆଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ସ୍ୱାମୀ-ସ୍ତ୍ରୀ-ପୁଅଙ୍କ ଉପରକୁ ଚଢ଼ିଯାଇଥିଲା। ଫଳରେ ଏଥିରେ ଗୀତା ଓ ତାଙ୍କର ପୁଅଙ୍କ ମୃତ୍ୟୁ ହୋଇଥିଲା। ଟ୍ରକ୍ଟି ମା’ ଓ ପୁଅଙ୍କୁ ସଂପୂର୍ଣ୍ଣ ଭାବେ ଦଳି ଦେଇଥିଲା। ସ୍ୱାମୀ ଛିଟିକି ପଡି ଗୁରୁତର ହେବା ସହ ଏକ ଗୋଡ ଭାଙ୍ଗିଯାଇଥିଲା।
ଏହି ଘଟଣା ପରେ ସ୍ଥାନୀୟ ଲୋକେ ମା’ ଓ ପୁଅଙ୍କ ମୃତଦେହ ରାସ୍ତାଉପରେ ରଖି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ଅନାନ୍ୟ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଘଟଣାସ୍ଥଳରେ ଖଡ଼ିଆଳ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠୀ ଓ ସବ-ଇନିସପେକ୍ଟର ଜିତୁ ମୋହନ ବେଶ୍ରା ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ହୋଇଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ପୁଲିସ ଜବତ କରିଥିବା ବେଲେ ଟ୍ରକ ଚାଳକ ଫେରାର ଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଖଡ଼ିଆଳ ଥାନା ଦମାପଲା ଗ୍ରାମର ଧ୍ରୁବ ଚରଣ ବିଶି ଝିଅ ଗୀତାଙ୍କୁ ଭବାନୀପାଟଣାରେ କିଛି ବର୍ଷ ତଳେ ବିବାହ ଦେଇଥିଲୋ କିନ୍ତୁ ସ୍ୱାମୀ-ସ୍ତ୍ରୀ ନିଜ ପରିବାର ପ୍ରତିପେଷଣ ପାଇଁ ନୁଆପଡା ଜିଲ୍ଲା ଉଦ୍ୟାନବନ୍ଧରେ ରହିଆସୁଥିଲେ। ଏଠାରେ ସେମାନେ କିଛି କାମଧନ୍ଧା କରି ପେଟ ପୋଷୁଥିଲେ ।