ଜଗତସିଂହପୁର: ସାଇନ୍‌ବୋର୍ଡରେ ୫୫ ନମ୍ବର ଜାତୀୟ ରାଜପଥ, ଘୋଷଣାକୁ ପୂରିଲାଣି ୫ ବର୍ଷ, ଜମି ଅଧିଗ୍ରହଣ ହୋଇ ନାହିଁ

ଜଗତସିଂହପୁର ଟାଉନ୍: କଟକ ମଙ୍ଗୁଳି ଛକରୁ ଜଗତସିଂହପୁର ବାଟ ଦେଇ ସଂଯୋଗ କରୁଥିବା ରାସ୍ତାକୁ ସରକାର ୫୫ ନମ୍ବର ଜାତୀୟ ରାଜପଥ ଘୋଷଣାର ୫ ବର୍ଷ ବିତିଲାଣି। କିନ୍ତୁ କାମ ଆରମ୍ଭ ହେବା ତ ଦୂରର କଥା, ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣର ନାମଗନ୍ଧ ହିଁ ନାହିଁ। ବର୍ତମାନ କନ୍ଦରପୁର ଠାରୁ ଜଗତସିଂହପୁର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତ ୮ ମିଟର ବୋଲି କାଗଜପତ୍ରରେ ଦର୍ଶାଯାଇଛି। ବାସ୍ତବରେ ସାଢ଼େ ୫ ମିଟର ଓସାରିଆ ରାସ୍ତାରେ ହିଁ ଯାନବାହନ ଯାତାୟତ କରୁଛି। କିନ୍ତୁ ରାସ୍ତା ପାର୍ଶ୍ବ ବିଭିନ୍ନ ସ୍ଥାନରେ ୫୫ ନମ୍ବର ଜାତୀୟ ରାଜପଥ ଉଲ୍ଲେଖ ଥିବା ସାଇନ୍‌ବୋର୍ଡ଼ ଧର୍ମକୁ ଆଖି ଠାର ଭଳି ଶୋଭା ବଢ଼ାଉଛି। ପ୍ରସ୍ତାବିତ ୨୦ ମିଟର ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇ ପାରୁନାହିଁ। ଏହି ପ୍ରସ୍ତାବ ହେବା ଦିନ ଠାରୁ ୪ ଜଣ ଜିଲ୍ଲାପାଳ ବଦଳିଲେଣି, କାମ ଆଗଉ ନାହିଁ। ଅଧିକାଂଶ ସମୟ ଏହି ରାସ୍ତା ଜାମ୍‌ ରହୁଛି। ବସ୍‌ ଅବା ଟ୍ରକ୍‌ଟିଏ ଆଗରେ ଗଲେ ତାକୁ କୌଣସି ସ୍ଥାନରେ ଅତିକ୍ରମ କରିବା ମୁସ୍କିଲ ହେଉଛି। ସାଧାରଣ ଲୋକ ନହେଲା ନାହିଁ ଜିଲ୍ଲା ସଦର ମହକୁମାକୁ ଆସୁଥିବା ହାକିମହୁକୁମା, ମନ୍ତ୍ରୀ ଠୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଅନ୍ତତଃ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇଥିଲେ କେବେ ଠାରୁ କାମ ଆରମ୍ଭ ହୋଇ ସାରନ୍ତାଣି। ରାଜ୍ୟର ଅନ୍ୟତମ ସବାଧିକ ସାକ୍ଷର ତଥା ଶିକ୍ଷିତ ଜିଲ୍ଲା ଭାବେ ପରିଗଣିତ ଏହି ଜିଲ୍ଲାର ଦୟନୀୟ ଅବସ୍ଥା ରାଜ୍ୟର କୌଣସି ଗଡ଼ଜାତ ଉପାନ୍ତ ଅଞ୍ଚଳ ଠାରୁ ହୀନ ବୋଲି ଯେ କେହି ଅନୁଭବ କରିବେ। ଏବେ ଏହି ଅଞ୍ଚଳରୁ ଉପେକ୍ଷିତ ସ୍ବର ଶାଣିତ ହେବାରେ ଲାଗିଛି। ୨୦୧୬-୧୭ ମସିହାରେ ପ୍ରସ୍ତାବିତ ଏହି ଜାତୀୟ ରାଜପଥ ୫୫ ଟି ସମ୍ବଲପୁରରୁ ଲମ୍ବିଥିବା ପୁରୁଣା ୪୨ ନମ୍ବର ଜାତୀୟ ରାଜପଥକୁ ମଙ୍ଗୁଳି ଛକରୁ ସଂଯୋଗ କରିବ। କଟକ ଜିଲ୍ଳାର ୧୬ କିଲୋମିଟରକୁ ମିଶାଇ ଏଏମ୍‌ପି ଛକ ବାଟେ କନ୍ଦରପୁର, ବିରିଡ଼ି ଜଗତସିଂହପୁର, ବାଲିକୁଦା ଓ ଏରସମା ଦେଇ ନୂଆଗାଁରେ ସଂଯୋଗ କରିବାକୁ ଥିବା ଏହି ରାସ୍ତାର ଦୈର୍ଘ୍ୟ ପ୍ରାୟ ୭୮ କିଲୋମିଟର ହେବ ବୋଲି ପରିକଳ୍ପନା କରାଯାଇଛି।

ଜିଲ୍ଲା ସଦର ମହକୁମାକୁ ଲମ୍ବିଥିବା ରାସ୍ତାର ଉଭୟ ପାର୍ଶ୍ବ ଗଛଲତା ଜଙ୍ଗଲରେ ପରିପୂର୍ଣ୍ଣ ଥିବାରୁ ଅଧା ରାସ୍ତା ମଧ୍ୟ ଦେଖାଯାଉ ନାହିଁ। ପ୍ରତିବର୍ଷ ନାମକୁମାତ୍ର ଚଉଡ଼ା ଓ ମରାମତି ନାମରେ ବିଭାଗୀୟ କର୍ତୃପକ୍ଷ କୋଟିକୋଟି ଟଙ୍କା ଅପବ୍ୟୟ କରୁଛନ୍ତି। ପ୍ରସ୍ତାବିତ ଜାତୀୟ ରାଜପଥରେ ୬ଟି ବାଇପାସ୍‌ ଓ ୯ଟି ପୋଲ ନିର୍ମାଣ କରାଯିବ। ସେତେବେଳେ ୩ ବର୍ଷ ଭିତରେ କାମ ସରିବ ବୋଲି ଉପସ୍ଥିତ ଅଧିକାରୀ ସୂଚନା ଦେଇଥିଲେ। ହେଲେ ୫ ବର୍ଷ ବିତି ଯାଇଥିଲେ ହେଁ କାମ ଆରମ୍ଭ ହୋଇ ପାରିନାହିଁ। ସୂଚନା ଅନୁସାରେ (ଥ୍ରୀ କ୍ୟାପିଟାଲ ଏ) ଅର୍ଥାତ୍‌ କେଉଁ ଗାଁ ଦେଇ ଜାତୀୟ ରାଜପଥ ଯିବ, ଜମି ଗୁଡ଼କର କିସମ କଣ ଏସବୁ ଚିହ୍ନଟ ହୋଇଛି। ଏବେ (ଥ୍ରୀ କ୍ୟାପିଟାଲ ଡି) ଅର୍ଥାତ ଜମିର ମାଲିକଙ୍କ ନାମ ଚିହ୍ନଟ କରାଯାଇ ଅପଲୋଡ୍ କରାଯିବା କାମ ଚାଲୁଛି। ଏହାପରେ ଗେଜେଟ୍ ନୋଟିଫିକେସନ କରାଯାଇ ରାଇଟ୍ ଟୁ ଫେୟାର୍ କମ୍ପେନ୍‌ସେସନ ଏଣ୍ଡ୍‌ ଟ୍ରାନ୍ସପରେନ୍ସି ଇନ୍‌ ଲାଣ୍ଡ୍‌ ଅକ୍ୟୁଜିସନ୍‌ ଆକ୍ଟ ୨୦୧୩ ଅନୁସାରେ ଜମି ମାଲିକଙ୍କୁ ଉପଯୁକ୍ତ ଜମିର ମୂଲ୍ୟ ଦିଆଯିବ। ଏହାପରେ ଜମି ଅଧିଗ୍ରହଣ ଓ କାମ ଆରମ୍ଭ କରାଯିବା ନିୟମ ରହିଛି। ଏଯାଏଁ ଏଥିପାଇଁ କାଗଜ ପତ୍ର ପ୍ରସ୍ତୁତ ସରିନାହିଁ। ଅନ୍ୟପଟେ ପୁରୁଣା ରାସ୍ତା ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା। ରାସ୍ତା ପାର୍ଶ୍ବରେ ବେଆଇନ ଜବର ଦଖଲ ବଢ଼ିବାରୁ ରାସ୍ତା ସଂକୁଚିତ ହେବାରେ ଲାଗିଛି। ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଉତ୍କଟ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ତାଲିକା ଲମ୍ବିବାରେ ଲାଗିଛି। ବିଭାଗ ପକ୍ଷରୁ ଠିକାଦାର ପୋଷିବା ପାଇଁ କେବଳ ର–ଠ ମରାମତି କରାଯାଇ ଅର୍ଥ ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଛି। ରାସ୍ତାରେ ଟ୍ରାଫିକ୍‌ ସିଗନାଲଗୁଡ଼ିକ ମଧ୍ୟ ନଷ୍ଟ ହୋଇ ଗଲାଣି। ଫଳରେ ପଥଚାରୀମାନେ ପଥଭ୍ରଷ୍ଟ ହୋଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଦଶନ୍ଧି ଦଶନ୍ଧି ଧରି ସର୍ବନିମ୍ନ ଗମନାଗମନ ସୁବିଧା କ୍ଷେତ୍ରରେ ହୀନସ୍ଥା ହେଉଛନ୍ତି ଜଗତସିଂହପୁରବାସୀ। କହିବେ କାହାକୁ ଶୁଣିବ କିଏ ?

ସମ୍ବନ୍ଧିତ ଖବର