ଧାନ ନେଉନି ମଣ୍ଡି, ରାସ୍ତା ଅବରୋଧ କଲେ ଚାଷୀ

ବାରିପଦା: ଟୋକନ ଥିଲେ ମଧ୍ୟ ଧାନ ସଂଗ୍ରହ କରୁନି ମଣ୍ଡି। ସେହିପରି ଧାର୍ଯ୍ୟ ଦିନରୁ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ଟାର୍ଗେଟ୍ ନଥିବା ଆଳ ଦେଖାଇ ସମୟ ଗଡ଼ାଇଚାଲୁଥିଲେ। ତେଣୁ କିଛି ଚାଷୀଙ୍କର ଟୋକନ୍ ଲ୍ୟାପ୍ସ ହୋଇଯାଇଛି। ସମୟରେ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ଏବେ ଧାନ କିଣିବାକୁ ମଣ୍ଡି ଅମଙ୍ଗ ହେବାରୁ ଆଜି ରାସ୍ତା ଅବରୋଧ କରିଥିଲେ ଶତାଧିକ ଚାଷୀ। ଶାମାଖୁଣ୍ଟା ବ୍ଲକର ଧନପୁରସ୍ଥିତ ବୃହତକାର ବହୁମୁଖୀ ସେବା ସମୟବାୟ ସମିତିରେ ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସେବା ସମବାୟ ସମିତିର କର୍ମଚାରୀଙ୍କ ମେରୀରାୟ ନୀତି ଫଳରେ ଚାଷୀମାନେ ମଣ୍ଡିରେ ଧାନ ଦେଇନପାରି ପୋଡ଼ାଅସ୍ତିଆ-ଲୁଲୁଙ୍ଗ୍ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ ।

ଲ୍ୟାମ୍ପ୍ କର୍ମଚାରୀଙ୍କ ବେପରୁଆ ମନୋଭାବ କାରଣରୁ ଟୋକନ ସମୟ ଅତିକ୍ରମ କରିଯାଇଛି। ଅଥଚ ଏବେ ଧାନ ନେବାକୁ ମନା କରୁଛନ୍ତି। ଧାନ କ୍ରୟ କରିବାକୁ ଦାବି କରି ଆଜି ରାସ୍ତା ଅବରୋଧ ହୋଇଥିଲା। ଦଶରଥ ମହାନ୍ତ, ସଞ୍ଜୟ କୁମାର ମହାନ୍ତ, ଜୟଶ୍ରୀ ମହାନ୍ତ, ମନୋରଞ୍ଜନ ମହାନ୍ତ, ମନମୟ ମହାନ୍ତ, ରାକେଶ ମହାନ୍ତ, ଜୟପ୍ରକାଶ ମହାନ୍ତ, ପ୍ରଶାନ୍ତ ମହାନ୍ତ, ଦୁଗ୍ରା ମହାନ୍ତ, କିଶୋର ମହାନ୍ତ, ବାପି ମହାନ୍ତ, ବୁଧୁନୀ ମହାନ୍ତ, କୌଶଲ୍ୟା ମହାନ୍ତ ପ୍ରମୁଖ ଚାଷୀ ରାସ୍ତା ଅବରୋଧ କରିଥିଲେ ।

ଖବରପାଇ ବାରିପଦା ସଦର ଏସଡିପିଓ କେ କେ ହରିପ୍ରସାଦ, ବାରିପଦା ସଦର ଥାନା ଆଇଆଇସି ପ୍ରେମଦା ନାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାସୁଝା କରିଥିଲେ । ଲ୍ୟାମ୍ପ୍ସର ଏମଡି ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚାଷୀଙ୍କ ନିକଟରୁ ଧାନ ନିଆଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ଧାନ ବିକ୍ରି ପାଇଁ ଚାଷୀମାନେ ଏପରି ହଇରାଣ ହେଉଥିବା ଘଟଣା ଜିଲ୍ଲାରେ ଅସନ୍ତୋଷର କାରଣ ସାଜିଛି।

ସମ୍ବନ୍ଧିତ ଖବର