ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଗଣ୍ତାବାହାଲି ନିକଟ ଅହିଲାଟ ନାଲା ବ୍ରିଜ୍ରେ ମଖାପଦର ଓ ସିଙ୍ଗଝର ପଞ୍ଚାୟତବାସୀ ପ୍ୟାକ୍ସ ଗଠନରୁ ବାଦ୍ ପଡ଼ିଥିବା ପ୍ରତିବାଦରେ ଖଡ଼ିଆଳ- ସିନାପାଲି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।
ପ୍ରକାଶ ଯେ ଜିଲ୍ଲା ପ୍ରଶାସନ ବାରମ୍ବାର ଆବେଦନ ସତ୍ତ୍ୱେ ମଖାପଦର ପ୍ୟାକ୍ସ ଗଠନକୁ ପଞ୍ଜୀକରଣ କରୁ ନଥିବା ବେଳେ ସିଙ୍ଗଝର ପ୍ୟାକ୍ସ ଗଠନକୁ ମଧ୍ୟ ବାଦ୍ ଦେଇଛି। ଫଳରେ ଉଭୟ ପଞ୍ଚାୟତବାସୀ ବାଧ୍ୟ ହୋଇ ରାଜ ରାସ୍ତା ଅବରୋଧ କରିଥିବା ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ୪୦ଟି ନୂତନ ପ୍ୟାକ୍ସ ଗଠନ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। ସେଥିରେ ମଖାପଦର ପଞ୍ଚାୟତରେ ଗୋଟିଏ ନୂତନ ପ୍ୟାକ୍ସ ଗଠନ ନିମନ୍ତେ ସରକାର ଆଦେଶ ଦେଇଥିଲେ। ହେଲେ ମଖାପଦର ପଞ୍ଚାୟତରେ ଗତ ଏପ୍ରିଲ ୧୪ ତାରିଖରେ ନୂଆପଡ଼ା ଉପଜିଲ୍ଲାପାଳ, ଏଆର୍ସିଏସ୍, ସିନାପାଲି ତହସିଲଦାର, ଅତିରିକ୍ତ ତହସିଲଦାର, ଭାରପ୍ରାପ୍ତ ଥାନାଧିକାରୀ, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ୱର ଓ ସମସ୍ତ ଚାଷୀଙ୍କ ଉପସ୍ଥିତିରେ କମିଟି ଗଠନ କରି ନୂତନ ପ୍ୟାକ୍ସ ଗଠନ କରିବା ପାଇଁ ପ୍ରସ୍ତାବ ମଖାପଦର ପ୍ୟାକ୍ସ ନାମରେ ବ୍ୟାଙ୍କ ଖାତା ଖୋଲି ୮ହଜାର ୫ଶହ ଟଙ୍କାର ରସିଦ ସହିତ ସମସ୍ତ କାଗଜପତ୍ର ଏଆର୍ସିଏସ୍ଙ୍କଠାରେ ଦାଖଲ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ପଞ୍ଜୀକରଣ କରାଯାଇ ନାହିଁ। ସେହିପରି ସିଙ୍ଗଝରରେ ଗଠନ ହେବାକୁ ଥିବା ପ୍ୟାକ୍ସକୁ ମଧ୍ୟ ବାଦ୍ ଦିଆଯାଇଛି।
ଏଭଳି ଉଭୟ ପଞ୍ଚାୟତର ପ୍ୟାକ୍ସ ଗଠନ ସମସ୍ୟା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇବା ସତ୍ତ୍ୱେ ଉଚିତ୍ ପଦକ୍ଷେପ ନେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସମସ୍ୟାର ସମାଧାନ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ତି ଓ ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର ସମର୍ଥନ କରି ଆନ୍ଦୋଳନସ୍ଥଳରେ ଉପସ୍ଥିତ ଥିବା ବେଳେ ଉଭୟ ପଞ୍ଚାୟତର ଶତାଧିକ ଚାଷୀ ସାମିଲ ହୋଇଥିଲେ। ରାସ୍ତା ଅବରୋଧ ଫଳରେ ବହୁ ଗାଡି ମଟର ରାସ୍ତା ଉପରେ ଅଟକି ରହିଥିଲା। ଯାତ୍ରୀମାନେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଥିଲା। ବହୁ ସମୟ ପରେ ଏଆର୍ସିଏସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ପଞ୍ଚାୟତବାସୀଙ୍କୁ ବହୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରକାର ସମାଧାନର ରାସ୍ତା ବାହାରି ନଥିବା ଜଣାଯାଇଛି।