ବିନିକା: ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନ ପକ୍ଷରୁ ଜମା ହୋଇଥିବା ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରା ନ ଯିବାରୁ ଦୁଇଟି ପଡ଼ାର ବାସିନ୍ଦା ବିନିକା-ସୋନପୁର ୧୨୬(ଏ) ନମ୍ବର ଜାତୀୟ ରାଜପଥକୁ ବୁଧବାର ଅବରୋଧ କରି ଧାରଣାରେ ବସିଥିଲେ। ସକାଳ ପ୍ରାୟ ସାଢ଼େ ୭ଟାରୁ ହରିଜନପଡ଼ା ଓ ଖଦାଲପଡ଼ାବାସୀ ରାସ୍ତାରୋକକୁ ଓହ୍ଲାଇଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଯାତ୍ରୀବାହୀ ବସଗୁଡ଼ିକ ରୁଟ୍ ବାତିଲ କରି ଦେଇଥିବାରୁ ବହୁସଂଖ୍ୟାରେ ବସଯାତ୍ରୀ ଅଟକି ରହିଥିଲେ। ଫଳରେ ଏକରକମ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।
ରାସ୍ତାରୋକରେ କୃଷ୍ଣଚନ୍ଦ୍ର କୁମ୍ଭାର, ପୂର୍ବତନ ବି. ଏମ. ପୁର ବିଜେପି ବିଧାୟକ ପ୍ରାର୍ଥୀ ଆନନ୍ଦ ବାରିକ, ପର୍ଶୁରାମ ବେଶ୍ରା, ଜୟରାମ ବେଶ୍ରା, ଭାରତୀ ବେଶ୍ରା, ସାବିତ୍ରୀ ବେଶ୍ରା, ଅନୁସୟା ବେଶ୍ରା, ପିଙ୍କି ବେଶ୍ରା, ରାଜେଶ୍ୱରୀ ବେଶ୍ରା ଓ ଭାଗ୍ୟ ପଡ଼ିଆଙ୍କ ସମେତ ଉଭୟ ପଡ଼ାର ମହିଳା ଓ ଛାତ୍ରୀମାନେ ମଧ୍ୟ ରାସ୍ତାରୋକରେ ସାମିଲ ଥିଲେ। ତେବେ ରାସ୍ତାରୋକର ଦୀର୍ଘ ୫ ଘଣ୍ଟା ପରେ ପିଡବ୍ଲୁଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶୈଲେଶ ଡେଲଟି, ବିନିକା ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ, ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ବିନିକା ଥାନା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ଏବଂ ୮ ନମ୍ବର ଵାର୍ଡ କାଉନସିଲର ପ୍ରଦୀପ ବାଘ ପ୍ରମୁଖ ରାସ୍ତା ଅବରୋଧସ୍ଥଳରେ ପହଞ୍ଚିଥିଲେ। ସେମାନେ ବର୍ଷାଜଳ ନିଷ୍କାସନର ସ୍ଥାୟୀ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେବାସହ କାର୍ଯ୍ୟ ଆରମ୍ଭ ହେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ସୂଚନାଯୋଗ୍ୟ, ଏହି ଦୁଇ ପଡ଼ାବାସୀ ଗତ ଜୁନ୍ ୨୮ ତାରିଖ ଏନଏସି ଓ ପିଡବ୍ଲୁଡି ବିଭାଗକୁ ଏ ସମ୍ପର୍କରେ ଅବଗତ କରି ୫ ଦିନ ସମୟ ଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଶାସନ ଦାବି ପୂରଣ କରିବାରେ ବିଫଳ ହୋଇଥିଲା। ତେଣୁ ସେମାନେ ରାସ୍ତାରୋକ ପନ୍ଥା ଆପଣେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/24-11.jpg)