ଢେଙ୍କିକୋଟ/ଘଟଗାଁ: ଆଜି ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ପାଟଣା-ପିପିଳିଆ ରାସ୍ତାର ପିପିଳିଆ ଗ୍ରାମ ନିକଟରେ ଏକ ବଡ଼ ଆମ୍ବଗଛ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ ଏହି ରାସ୍ତା ଦେଇ ଯାତ୍ରୀବାହୀ ବସ୍ ଏବଂ ଅନ୍ୟାନ୍ୟ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ପିପିଳିଆ ଗ୍ରାମର କିଛି ଟାଇଲି ଛପର ଓ ଚାଳଘର ମଧ୍ୟ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। ଅପରାହ୍ଣରେ ଖୁବ୍ ଜୋରରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସନ୍ଧ୍ୟାରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ପରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଛି।
କାଳବୈଶାଖୀ ପ୍ରଭାବରେ ଘଟଗାଁ ବ୍ଲକ୍ ବାର୍ହାଟିପୁରା ପ୍ରାଥମିକ ବିଦ୍ୟାଳୟର ଆଜବେଷ୍ଟସ ଛପର ଉଡ଼ିଯାଇଛି। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୧୦ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଆଜବେଷ୍ଟସ ଛପର ଉଡ଼ିବା ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ବାର୍ହାଟିପୁରା ପଞ୍ଚାୟତର ଏହା ସର୍ବପୁରାତନ ଶିକ୍ଷାନୁଷ୍ଠାନ। ଏଠାରେ ଏକ ଛାତ୍ରାବାସ ରହିଛି। ତୁରନ୍ତ ଶ୍ରେଣୀଗୃହ ମରାମତି କରିବାକୁ ସରପଞ୍ଚ ଗୋବର୍ଦ୍ଧନ ନାଏକ, ସମିତିସଭ୍ୟା ସାବିତ୍ରୀ ମୁଣ୍ତା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା ଦାବି କରିଛନ୍ତି।