ଦାରିଙ୍ଗବାଡ଼ି: ସ୍ୱାଧିନତାର ୭୦ ବର୍ଷ ପରେ ବି ଅନ୍ଧାରି ମୁଲକ। ବଣପାହାଡ଼ଘେରା ଏହି ଦୁଇଟି ଗାଁ ସତେ ଯେମିତି ସରକାରଙ୍କର ନଜର ଆଢ଼ୁଆଳରେ ରହିଯାଇଛି। ଦୀର୍ଘ ଦିନ ହେବ ଗାଁକୁ ବିଦ୍ୟୁତ ସଂଯୋଗ ଲୋକେ ନେହୁରା ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତ। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରୁ ଆରମ୍ଭ ମନ୍ତ୍ରୀ, ବିଧାୟକ ଯିଏ ଗାଁକୁ ଆସିଲେ ତାଙ୍କ ପାଖରେ ଗୁହାରି କଲେ। ମାତ୍ର କେହି ନ ଶୁଣିବାରୁ ଆଜି ଲୋକେ ରାସ୍ତାକଡ଼ରେ ଥିବା ଗଛ କାଟି ରାସ୍ତାରେ ପକାଇ ଏହାର ପ୍ରତିବାଦ କରିଛନ୍ତି। ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କାଇଁଚପଦର ଓ ବିଡ଼ିକାରିପି ଗାଁର ୧୦୦ ପରିବାରର ସ୍ତ୍ରୀପୁରୁଷମାନେ ଗଛ କାଟି ରାସ୍ତାରେ ପକାଇବା ସହିତ ରାସ୍ତା ଅବରୋଧ କରି ସରକାରଙ୍କ ଦୃଷ୍ଟିି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି।
ଆଜି ସକାଳେ ଗାଁକୁ ବିଦ୍ୟୁତ ଯୋଗାଣ ଦାବି କରି ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କାଇଁଚପଦର ଓ ବିଡ଼ିକାରିପି ଗାଁର ଲୋକେ ଦାରିଙ୍ଗବାଡ଼ି- ବ୍ରାହ୍ମଣୀଗାଁ ରାସ୍ତା ଅବରୋଧ କରିଛନ୍ତି। ଟାୟାର ଜାଳି ଓ ଗଛ କାଟି ରାସ୍ତାରେ ପକାଇ ଏହି ରାସ୍ତା ଅବରୋଧ କରାଯାଇଥିବାରୁ ଏହି ରାସ୍ତାଦଇ ବସ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ ବନ୍ଦ ରହିଛି।