ବ୍ରହ୍ମପୁର: ପାୱାର କଟକୁ ନେଇ ବ୍ରହ୍ମପୁର ସହରର ଗୋଷାଣୀ ନୂଆଗାଁରେ ରାସ୍ତାରୋକ ହୋଇଛି। ବିଳମ୍ବିତ ରାତିରେ ଏହି ରାସ୍ତାରୋକ ଆରମ୍ଭ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା ଯେ, ଦୀର୍ଘଦିନ ଧରି ଗୋଷଣୀନୂଆଗାଁରେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଗତକାଲି ରାତି ୧୧ଟାରୁ ବିଦ୍ୟୁତ କାଟ କରାଯାଇଛି। ବିଦ୍ୟୁତ କାଟ ହେବା ମାତ୍ରେ ଲୋକେ ପଦାକୁ ଆସିଏଭଳି ପଦକ୍ଷେପ ନେଇଛନ୍ତି।
ବୁଧବାର ସକାଳ ସୁଦ୍ଧା ବିଦ୍ୟୁତ ଆସିନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଉତ୍ତେଜନା ଲାଗି ରହିଛି। ଏନେଇ ଟାଟା ପାୱାରର ଦୁଇ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ରାସ୍ତା ଅବରୋଧ ଯୋଗୁ ଗୋଷାଣୀ ନୂଆଗାଁର ମୁଖ୍ୟରାସ୍ତାର ଉଭୟ ପଟେ ଗାଡି ଅଟକ ରହିଛି। ସ୍ଥାନୀୟ ପୁଲିସ ପହଞ୍ଚି ଜନସାଧାରଣଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ଏହି ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଲୋକେ ଜିଜରେ ଅଟଳ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ। ଅନ୍ୟ ପକ୍ଷରେ ଗତକାଲି ପୌର ପରିଷଦର କାଉନସିଲ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ତେବେ ବୈଠକରେ ଟାଟା ପାୱାର ଅଧିକାରୀଙ୍କୁ ତାଗିଦ କରାଯାଇଥିଲେ ବି ସେହି ବିଦ୍ୟୁତକାଟ ପୁନରାୟ ହେବାରୁ ଲୋକେ ତାତି ଉଠିଥିଲେ। ରାସ୍ତାରୋକ ଭଳି ପରିସ୍ଥିତି ହୋଇଥିବା କୁହାଯାଉଛି।