ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକ 

ରାୟଗଡ଼ା: ଶୁକ୍ରବାର ଅତଡା ନିକଟରେ ଟ୍ରକ୍ ଧକ୍କାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାୟଗଡ଼ା-କେରେଡା ମୁଖ୍ୟ ରାସ୍ତାର କାଞ୍ଚିକାୱାଲସା ଛକରେ ଗ୍ରାମବାସୀ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ। ଘଟଣାସ୍ଥଳରେ ଶେଷଖାଲ ଥାନା ଅଧିକାରୀ ଦେବ ମଲ୍ଲିକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ସମୟରେ ମଧ୍ୟ ପରିବାର ଲୋକ କ୍ଷତିପୂରଣ ଦାବି କରିଥିଲେ। ବରିଷ୍ଠ ଆଦିବାସୀ ନେତା ଆପଲସ୍ବାମୀ କାଡ୍ରକା ମେଡ଼ିକାଲରେ ପହଞ୍ଚି ଟ୍ରକ୍ ମାଲିକ ସହ ଆଲୋଚନା କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ପୁଲିସ୍ ସହ ଆଲୋଚନା କରିଥିଲେ।

କାଞ୍ଚିକାୱାଲସା ଗ୍ରାମର ପ୍ରଦୀପ ପୁଆଲା ବିଦ୍ୟୁତ ବିଭାଗରେ ଠିକା ସଂସ୍ଥା ଦ୍ବାରା ନିୟୋଜିତ ହୋଇ ହେଲପର ଭାବେ କାମ କରୁଥିଲେ। ଗତ ୨୦ ଦିନ ତଳେ ପ୍ରଦୀପ ଠିକାସଂସ୍ଥାରେ ଯୋଗ ଦେଇଥିବା ବେଳେଳ କାର୍ଯ୍ୟରତ ସମୟରେ ହିଁ ଦୁର୍ଘଟଣାର ଶିକାର ହୋଇ ଜୀବନ ହାରିଥିବାରୁ ଠିକାସଂସ୍ଥା ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ମୃତକଙ୍କ ଜ୍ୱାଇଁ ପିଡିକା ଆଦି ନାରାୟଣ ଦାବି କରିଛନ୍ତି। କ୍ଷତିପୂରଣ ପ୍ରଦାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି ଠିକାସଂସ୍ଥାର ସୁପରଭାଇଜର ପ୍ରକାଶ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଶେଷଖାଲ ଥାନାରେ ଅଟକ ଥିବା ବେଳେ ଟ୍ରକର ଥାର୍ଡ ପାର୍ଟି ବୀମା କାଗଜ ସଠିକ୍ ଥିବାରୁ ମୃତ ପ୍ରଦୀପଙ୍କ ପରିବାରକୁ ଆଗାମୀ ଦିନରେ ବୀମା ରାଶି ନିଶ୍ଚିତ ଭାବେ ମିଳିବ ବୋଲି ଶେଷଖାଲ ଥାନା ଅଧିକାରୀ ଦେବ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର