ଖୋର୍ଦ୍ଧା: ଲୋକଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପାନୀୟ ଜଳ ଆବଶ୍ୟକ। ବିକାଶ ପାଇଁ ପକ୍କା ସଡ଼କ ଆବଶ୍ୟକ। କିନ୍ତୁ ଯଦି ଯୋଜନା ସଠିକ ନଥିବ ତେବେ ବାଡ଼ ଫସଲ ଖାଇବ ନିଶ୍ଚୟ। ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ମେଗା ଜଳଯୋଗାଣ, ବସୁଧା, ସ୍ୱଜଳ ଆଦି ଯୋଜନାରେ ଲୋକଙ୍କୁ ପାଇପ ପାଣି ଯୋଗାଇବା ପାଇଁ ଯେଉଁ ପାଇପ ବିଛାଯାଉଛି ସେଥିରେ ବର୍ତମାନ ସୁଦ୍ଧା ୩୨୪ ଲକ୍ଷ ଟଙ୍କାର ରାସ୍ତା ନଷ୍ଟ ହେଲାଣି। ଗୋଟିଏ ଘଟଣା ନୁହେଁ, ଖୋର୍ଦ୍ଧା ଜିଲ୍ଳାର ପ୍ରତି ବ୍ଲକରେ ପାଇପ ବିଛାଇବା ପାଇଁ ପକ୍କା ସଡ଼କ ଗୁଡ଼ିକୁ ଖୋଳା ଯାଉଛି। କେବଳ ଖୋଳା ଯାଉନାହିଁ, ଏହାକୁ ମରାମତି ମଧ୍ୟ କରାଯାଉନାହିଁ, ଫଳରେ ଯେଉଁ ରାସ୍ତା ଦେଇ ଲୋକମାନେ ସୁରୁଖୁରୁରେ ଯିବାଆସିବା କରୁଥିଲେ ଏବେ ବର୍ଷା ଋତୁରେ ତାହା ଏକ ପ୍ରକାର ଅଗମ୍ୟ ହୋଇଯାଇଛି। ଏହି କଥାକୁ ଖୋଦ୍ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ ଜିଲ୍ଲା ପରିଷଦର ପ୍ରଥମ ବୈଠକରେ ଉଠାଇଥିଲେ।

Advertisment

କେବଳ ସେ ନୁହଁନ୍ତି ଖୋର୍ଦ୍ଧା ବ୍ଲକର ବୈଠକରେ ମଧ୍ୟ ଏହାକୁ ନେଇ ସରପଞ୍ଚ ଓ ସମିତି ସଭ୍ୟମାନେ ଆପତ୍ତି ଉଠାଉଛନ୍ତି। ଆଉ ଏହି କଥା କେବଳ ଖୋର୍ଦ୍ଧା ବ୍ଲକରେ ସୀମିତ ନୁହେଁ ବାଣପୁର ଠାରୁ ବାଲିଅନ୍ତା ସବୁଠାରେ ଏହି ସମସ୍ୟା। ନିକଟରେ ଏହାକୁ ନେଇ ଗ୍ରାମାଞ୍ଚଳରେ ପିଇବା ପାଣି ଯେଗାଉଥିବା ସଂସ୍ଥା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଓ ରାସ୍ତା ନିର୍ମାଣ କରୁଥିବା ରୁରାଲ୍ ୱାର୍କସ ବିଭାଗ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। ରାସ୍ତା ମରାମତି କରିବାକୁ ବିଭିନ୍ନ ମହଲରୁ ଦାବି ଉଠିବା ପରେ ଚାପରେ ପଡ଼ି ଗତ ମାସ (ଜୁନ୍) ୨୯ ତାରିଖରେ ରୁରାଲ୍ ୱାର୍କସର ଭୁବନେଶ୍ୱର ଡିଭିଜନ ପକ୍ଷରୁ ଆର୍ଡବ୍ଲୁଏସ୍ଏସର ଭୁବନେଶ୍ୱର ଡିଭିଜନକୁ ଚିଠି ଲେଖି ଖୋଳାଯାଇଥିବା ରାସ୍ତା ଗୁଡ଼ିକର କ୍ଷତି ଭରଣା କରିବାକୁ କହିଛି। ଚିଠିରେ ଦର୍ଶାଯାଇଛି ଯେ କ୍ରମାଗତ ଭାବେ ଗ୍ରାମ୍ୟ ଉନ୍ନୟନ ଓ ରୁରାଲ୍ ୱାର୍କସ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାର ମରାମତି କରି ପୂର୍ବାବସ୍ଥା ଫେରାଇ ଆଣିବାକୁ କୁହାଯାଇଥିଲେ ମଧ୍ୟ ଆର୍ଡବ୍ଲୁଏସ୍ଏସ୍ କୌଣସି ପଦକ୍ଷେପ ନେଇନାହିଁ।

ଏଣୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ପରେ ଏନେଇ ଆକଳନ କରାଯାଇ ୩୨୫ ଲକ୍ଷ ଟଙ୍କା ଯଥାଶୀଘ୍ର ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ଟଙ୍କା ଡିଡସ କିମ୍ବା ବିଭାଗୀୟ ଜମାଖାତାରେ ଯଥାଶୀଘ୍ର ଜମା କରାଗଲେ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ମିଳିଥିବା ସୂଚନାନୁସାରେ, ପାଇପ ବିଛାଇବା କାମ ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକର ୫୩ଟି ପ୍ରଧାନମନ୍ତ୍ରୀ ସଡ଼କ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଡ଼କ, ପଞ୍ଚାୟତ ସଡ଼କ, ପୂର୍ତ୍ତ ବିଭାଗ, ଏସୀୟ ଉନ୍ନୟନ ବ୍ୟାଙ୍କ ଅନୁଦାନ ସଡ଼କ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ହୋଇଥିବା ୧୦୧ କିମି ୯୭୧ ମିଟର ରାସ୍ତାର ମରାମତି କରିବାକୁ ୩୨୪.୩୨୦ଲକ୍ଷ ଟଙ୍କା ଆବଶ୍ୟକ। କ୍ଷତିଗ୍ରସ୍ତ ହୋଇଥିବା ସଡ଼କ ଗୁଡ଼ିକ ମଧ୍ୟରେ ଟାଙ୍ଗିବନ୍ତ ଗ୍ରାମ୍ୟ ସଡ଼କ, ରୋକଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତା, ମେଣ୍ଢାଶାଳ ପୂର୍ତ୍ତ ବିଭାଗ ରାସ୍ତା, ପାଲିପାଟଣା ଠାରୁ ବରିଲୋ ରାସ୍ତା, ଏସ୍ଏନ୍ ରୋଡ୍ ଠାରୁ ଗିରିଙ୍ଗ, ବିଙ୍କଡ଼ିଆ ଠାରୁ ବନ୍ତଳ, ନରଣଗଡ଼ ହାଇସ୍କୁଲ ଠାରୁ ଭୋଗପୁର, ସରଧାପୁର ପୂର୍ତ୍ତ ବିଭାଗ ରାସ୍ତା, ନଳିପଡ଼ା-ଅର୍ଜୁନପୁର ପୂର୍ତ ରାସ୍ତା, ଗୁରୁଜଙ୍ଗ-କେରଙ୍ଗ ସଡ଼କ, ଗେଡ଼ିଆପଲ୍ଲୀ-ସଲପର, ସାନପଦର ରସଳୋ, ଖରଡ଼ାପଲ୍ଲୀ ପୂର୍ତ୍ତ ରାସ୍ତା, ଏନ୍ଏଚ ୫ ଠାରୁ ବିରିବାଡ଼ି ରାସ୍ତା, ଟାଙ୍ଗୀ-ବଡ଼ପାରୀ, କୁହୁଡ଼ି-ହରିପୁର, ବଡ଼ପାରୀ ଠାରୁ ସିଙ୍ଗରମା, କୁହୁଡ଼ି-ସୋରଣ ଗୋପାଳପ୍ରସାଦ, ପିଚୁକୁଳି-କୋଟାସିଂହ, ବାଙ୍କୋଇ-ପାଟବନ୍ଧ ରାସ୍ତା ଆଦି ରହିଛି।