ଖୋର୍ଦ୍ଧାର ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ; ୬ ମାସରେ ୨୩ ଦୁର୍ଘଟଣା, ୧୪ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ ସଂପ୍ରସାରଣ କାମ ଧିମେଇ ଯିବା ଜନସାଧାରଣଙ୍କ ପାଇଁ କାଳ ହୋଇଛି। ଗତ ୬ ମାସରେ କେବଳ ପିତାପଲ୍ଲୀ ଠାରୁ ଦଳେଇପୁଟ ୧୫ କିମି ରାସ୍ତାରେ ଗତ ୬ମାସ ମଧ୍ୟରେ ୨୩ଟି ବଡ଼ ଧରଣର ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ସହରର ଇଲାକା ଜାତୀୟ ରାଜପଥର ପିତାପଲ୍ଲୀ ଠାରୁ ଆରମ୍ଭ ହୋଇ ଗୋଡ଼ିପଡ଼ା ଗେଟ୍ର ପୂର୍ବପାଶ୍ୱର୍ରେ ଶେଷ ହୁଏ। ଏହି ୧୫ କିମି ରାସ୍ତାରେ ଗତ ୬ ମାସ ଧରି ଜାତୀୟ ରାଜପଥ ପ୍ରଶସ୍ତୀକରଣ ଓ ଉଡ଼ନ୍ତାପୋଲ, ଅଣ୍ଡରପାସ୍ ପାଇଁ ୫ଟି ସ୍ଥାନରେ କାମ ଚାଲୁଛି। ଏଥିପାଇଁ ଜାତୀୟ ରାଜପଥ ଖେଳାଯାଇଛି। ଗମନାଗମନ ପାଇଁ ରାଜପଥ କଡ଼ରେ ଏକ ଅଣଓସାରିଆ ଏକ ମୁହାଁ ରାସ୍ତାର ବ୍ୟବସ୍ଥା କରାଯାଇଛି। ନିର୍ମାଣଧୀନ ରାସ୍ତାରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଓ ନିର୍ମାଣ ସଂସ୍ଥା ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା, ରାତିରେ ଯାନବାହାନ ଚଳାଚଳ ପାଇଁ ଫ୍ଲୋରୋସେଂଟ୍ ଫଳକ ଆଦି ଲଗାଇବା ନିୟମ ରହିଛି। କିନ୍ତୁ ଅନେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଦିନରେ କୌଣସିମତେ ଯାନବାହନ ଚଳାଚଳ ହେଉଥିବା ବେଳେ ରାତିରେ ଓ ଭୋରରେ ଏହି ରାସ୍ତାଦେଇ ଗାଡ଼ି ଚଳାଇବା ବିପଦଜନକ ସାବ୍ୟସ୍ତ ହୋଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ, ପିତାପଲ୍ଲୀ ଠାରୁ ତୋଟାପଡ଼ା-ପଲ୍ଲା ଛକ ମଧ୍ୟରେ ଥିବା ଟାଉନ୍ ଥାନାର ସୀମା ମଧ୍ୟରେ ଜାନୁଆରୀ ୧ ତାରିଖ ଠାରୁ ଜୁନ୍ ୩୦ ତାରିଖ ମଧ୍ୟରେ ୧୭ଟି ବଡ଼ ଧରଣର ଦୁର୍ଘଟଣା ହୋଇଛି। ଏଥିରେ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେହିଭଳି ତୋଟାପଡ଼ା ଛକ ଠାରୁ ଗୋଡ଼ିପଡ଼ା ଟୋଲ୍ ଫାଟକ ମଧ୍ୟରେ ଥିବା ସଦର ଥାନା ଇଲାକା ମଧ୍ୟରେ ୬ଟିବଡ଼ଧରଣର ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୩ଜଣଙ୍କ ମୃତ୍ୟୁ ଓ ୨ଜଣ ଗୁରୁତର ଆହତ ହୋଇଛନ୍ତି।

Sambad

ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଛି। ଏନେଇ ସୁପ୍ରିମ୍‌କୋର୍ଟଙ୍କ ଠାରୁ ଆରମ୍ଭ କରି ସଡ଼କ ସୁରକ୍ଷା ପାଇଁ କାର୍ଯ୍ୟକରୁଥିବା ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚିନ୍ତାପ୍ରକଟ କରିଛନ୍ତି। ଏଭଳି ପରିସ୍ଥିତିରେ ରାଜପଥର ସଂପ୍ରସାରଣରେ ବିଳମ୍ବ ବିପଦକୁ ଅନେକଗୁଣ ବଢ଼ାଇଦେଇଛି। ବର୍ତମାନ କରୋନା କଟକଣା ଯୋଗୁଁ ସଡ଼କରେ ଯାତାୟତ ଆପାତତଃ କମ୍ ରହିଛି, କିନ୍ତୁ ଲକ୍‌ଡ଼ାଉନ ହଟିବା ପରେ ରାଜପଥରେ ଗାଡ଼ି ସଂଖ୍ୟା ବହୁଗୁଣରେ ବୃଦ୍ଧିପାଇବା ସମ୍ଭାବନା ରହିଛି। ଏପରିସ୍ଥଳେ ସଂପ୍ରସାରଣ କାର୍ଯ୍ୟ ଶିଘ୍ର ଶେଷ ନହେଲେ ଆହୁରି ଦୁର୍ଘଟଣା ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର