ଝାରସୁଗୁଡ଼ା : ଝାରସୁଗୁଡ଼ା ସହର ଠାରୁ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତାଟି ଚାରିଥାକିଆ ରାସ୍ତାରେ ପରିଣତ କରିବା ପାଇଁ ପୂର୍ତ୍ତ ବିଭାଗ ଗତ ୩ ବର୍ଷରୁ ଅଧିକ ସମୟ ହେଲା ନିର୍ମାଣ କରୁଛି। ନିର୍ମାଣ କରୁଥିବା ଠିକାଦାର ଉପରେ ପୂର୍ତ୍ତ ବିଭାଗର ନିୟନ୍ତ୍ରଣ ନଥିବାରୁ ସଂପୃକ୍ତ ଠିକାଦାର ମନଇଚ୍ଛା କଚ୍ଛପ ଗତରେ କାମ କରୁଛି। ଫଳରେ ଏହି ରାସ୍ତାରେ ଯାତାୟତ କରିବା ଅସମ୍ଭବ ହୋଇ ପଡ଼ିଛି। ମୁଖ୍ୟ ଚିକତ୍ସାଳୟ ଥିବାରୁ ଏହି ରାସ୍ତା ଉପରେ ସହରର ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ନିର୍ମାଣକାରୀ ସଂସ୍ଥା ଲୋକଙ୍କ ଯାତାୟତ ପାଇଁ କୌଣସି ବ୍ୟବସ୍ଥା ନକରି ମାଟିଖୋଳି ଦେଇଥିବା ବେଳେ ରାସ୍ତାଟି ବିପଦ ସଂକୁଳ କରି ପକାଇ ଦେଇଛି। ଏହି ରାସ୍ତା ୧୦ ନମ୍ବର ରାଜ୍ୟ ରାଜପଥ ଓ ୪୯ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବେଳେ ଏହା ଝାରସୁଗୁଡ଼ାର ବାଇପାସ୍ ରାସ୍ତା ଅଟେ। ଫଳରେ ଏହି ରାସ୍ତାରେ ଦୈନିକ ହଜାର ହଜାର ଭାରିଯାନ ଚଳାଚଳ କରିଥାଏ। ବିଭିନ୍ନ ଶିଳ୍ପ କାରଖାନା, ଖଣି ତଥା ଅନ୍ୟ ରାଜ୍ୟକୁ ଏହି ରାସ୍ତାରେ ପରିବହନ ସାବଗ୍ରୀ ଯାଇଥାଏ। ହଜାର ହଜାର ଟ୍ରକ କୋଲିଲା ଠାରୁ ଆରମ୍ଭ କରି, କାରଖାନାରୁ ନିର୍ଗତ ପାଉଁଶ, କାରଖାନା ଯନ୍ତ୍ରାଂଶ, ଉତ୍ପାଦନ ସାମଗ୍ରୀ ଟ୍ରକ ଯୋଗେ ଯାଇଥାଏ। ଏହା ବ୍ୟତୀତ ଏହି ରାସ୍ତାରେ ଭାରତୀୟ କଣ୍ଟେନର ନିଗମର ଲଜିଷ୍ଟିକ୍ ପାର୍କ ଥିବାରୁ କଣ୍ଟେନର ଦ୍ବାରା ଆସୁଥିବା ସାମଗ୍ରୀ ଟ୍ରକ୍ରେ ଲୋଡ଼୍ ହୋଇ ପରିବହନ ହୋଇଥାଏ। ଲେଲୱେ ସାଇଡିଂ ଥିବାରୁ ମଧ୍ୟ ସାର ସିମେଣ୍ଟ ଆଦି ପରିବହନ ହୋଇଥାଏ। ଫଳରେ ଏହି ରାସ୍ତାରେ ହଜାର ହଜାର ଟ୍ରକ ଚଳାଚଳ କରିଥାଏ। ଗୋଟିଏ ପଟେ ରାସ୍ତା ନିର୍ମାଣ ହେଉଥିବା ବେଳେ ହେବି ଟ୍ରାଫିକ୍ ସାଧାରଣ ଲୋକଙ୍କ ଯାତାୟତରେ ଘୋର ସମସ୍ୟା ସୃଷ୍ଟି କରୁଛି। ସ୍ବାସ୍ଥ୍ୟସେବା ପାଇଁ ଲୋକେଳ ମୁଖ୍ୟ ଚିକିତ୍ସାଳୟକୁ ଏହି ରାସ୍ତାରେ ଯିବା ଏବେ କଷ୍ଟକର ହୋଇ ପଡ଼ିଛି। ବର୍ଷାରେ ଆଣ୍ଠୁଏ କାଦୁଅ ଏବଂ ଖରାରେ ଧୁଳିରେ ପାଟି ହୋଇ ଯାଉଥିବା ଏହି ରାସ୍ତାରେ ଏବେ ଅଟୋରିକ୍ସା ବାଲା ମଧ୍ୟ ଯିବାକୁ ମନା କରୁଛି। ଫଳରେ ସାଧାରଣ ରୋଗୀ, ପ୍ରସୂତୀ ମହିଳା ଓ ଦୁର୍ଘଟଣାଗ୍ରସ୍ତ ଆହତ ଲୋକଙ୍କୁ ନେବା ଆଣିବା ସମସ୍ୟା ପାଲଟିଛି। ଆମ୍ବୁଲାନ୍ସ ଯାତାୟତ କରିବାରେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଗତ ଲଘୁଚାପ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଯାଇଛି। ଏହି ରାସ୍ତାରେ ରହୁଥିବା ୧୨ ଓ ୧୩ ନମ୍ବର ୱାର୍ଡ଼ ବାସିନ୍ଧା ଆଜି ଜିଲ୍ଲାପାଳଙ୍କୁ ଏକ ଲିଖିତ ସ୍ମାରକ ପତ୍ର ଦେଇ ଆସନ୍ତା ୩ ଦିନ ମଧ୍ୟରେ ପଦକ୍ଷେପ ନନେଲେ ରାସ୍ତା ଅବରୋଧ କରିବକୁ ଚେତାବନୀ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp