ଏକ ବର୍ଷ ବିତିଲା ରାସ୍ତା ଉପରେ ନିର୍ମାଣ ସାମଗ୍ରୀ, ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ବ୍ରାହ୍ମଣିପାଲି ପଂଚାୟତ ତାଳଗରୀ ଆରଡିରାସ୍ତା ଠାରୁ ଜୁରକ୍ଷମୁଣ୍ଡା-ବିଜକ୍ଷପଦର-ବ୍ରାହ୍ମଣିପାଲିକୁ ଉନ୍ନତି କରଣ ନିମନ୍ତେ ୨୦୧୭ -୧୮ ଆର୍ଥିକ ବର୍ଷରେ ୫,୮୮,୧୬,୩୧୫ ଟଙ୍କାର ବ୍ୟୟ ଅଟକଳରେ ରାସ୍ତା କାମ ଆରମ୍ଭ ହୋଇଥିଲା। ଦୀର୍ଘ ୩ ବର୍ଷ ହେବ ଏହି ରାସ୍ତା ନିର୍ମାଣ ସରି ନଥିବା ବେଳେ କାମ ବର୍ତମାନ ସୁଦ୍ଧା ରାସ୍ତା କାମ ଚାଲୁ ରହିଛି। କେବଳ ତାଳଗରୀ ଛକ ଠାରୁ ବ୍ରହ୍ମଣିପାଲି ଦେଇ ଜୁରକ୍ଷମୁଣ୍ଡାକୁ ରାସ୍ତା ନିର୍ମାଣ ହେଉଥିବା ବେଳେ ତାଳଗରୀ ଛକ ଠାରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ଦୀର୍ଘ ଏକ ବର୍ଷ ହେବ ନିର୍ମାଣ କରୁଥିବା ଠିକା ସଂସ୍ଥା ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ପକାଇ ଦେଇ ନିରବ ସାରିଛନ୍ତି।

ଫଳରେ ଗ୍ରାମର ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ବଡ଼ ବଡ଼ ମେଟାଲ ରାସ୍ତା ଉପରେ ପଡ଼ିଥିବା ବେଳେ ଏହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି। ଏନେଇ ତାଳଗରୀ ଗ୍ରାମବାସୀ ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କୁ ମରାମତି ପାଇଁ ଅନୁରୋଧ କଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ କନିଷ୍ଠ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରୁ କହିଲେ ଏହି ଏକ ମାସ ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ କରିବାକୁ ନିର୍ମାଣ କରୁଥିବା ସଂସ୍ଥାକୁ ସୂଚାଇ ତୁରନ୍ତ ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର