ଜୟପୁର: ବାରିଣୀପୁଟ-ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥର ନବୀକରଣ ଓ ପ୍ରଶସ୍ତିକରଣ କାମ ଏ ପର୍ଯ୍ୟନ୍ତ ସରିନି। ଅପରପକ୍ଷରେ ଏହି ୨୬କିଲୋମିଟର ମଧ୍ୟରେ ରହିଥିବା ୪ଟି ପୋଲ ନିକଟରେ ଥିବା ସଂଯୋଗୀକରଣ (ଅପ୍ରୋଚ) ରାସ୍ତା ଏବେ ମରଣଯନ୍ତା ସାଜିଛି। ସୂଚନା ଅନୁଯାୟୀ, ଗତ ୫ବର୍ଷ ହେବ ବାରିଣୀପୁଟ-ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥର ନବୀକରଣ ଓ ପ୍ରଶସ୍ତିକରଣ କାମ ସରିବା ନାଁ ନେଉନି। ଜୟପୁରରୁ ବୋରିଗୁମ୍ମା ମଧ୍ୟରେ ଥିବା ଉମୁରୀ, ରଣ୍ଡାପାଲ୍ଲୀ, କୁମୁଲିପୁଟ, ଜୟନ୍ତଗିରୀ ପୋଲକୁ ଲାଗି ରହିଥିବା ସଂଯୋଗୀକରଣ(ଅପ୍ରୋଚ) ରାସ୍ତା ଏବେ ମରଣଯନ୍ତା ପାଲଟିଛି। କୁମୁଲିପୁଟ ପୋଲର ପ୍ରଶସ୍ତିକରଣ କାମ ସରିଥିଲେ ହେଁ ପୋଲର ଉଭୟ ପାର୍ଶ୍ବର ସଂଯୋଗୀକରଣ ରାସ୍ତାରେ ବହୁ ଗର୍ତ୍ତ ଦେଖିବାକୁ ମିଳିଛି। ଉମୁରୀ ପୋଲର ପ୍ରଶସ୍ତିକରଣ କାମ ନିର୍ମାଣାଧୀନ ରହିଛି। ଗୋଟିଏ ପାର୍ଶ୍ବର କାମ ସରିଥିଲେ ହେଁ ସେ ପଟେ ମାଟି ଧସୁଛି। ଅପରପାର୍ଶ୍ବରେ କାମ ଜାରୀ ରହିଥିବାରୁ ସେଠାରେ ବିଭିନ୍ନ ଯନ୍ତ୍ରାଂଶ ସେଭଳି ରଖାଯାଇଛି।
ପୋଲ ଉପରେ ରାସ୍ତା ସଂକୁଚିତ ହୋଇପଡ଼ିବା ସହ ଏଠାରେ ଯତ୍ନର ସହ ଅତିକ୍ରମ ନ କଲେ ଛୋଟ ବଡ ଦୁର୍ଘଟଣାକୁ ଏଡାଇ ହେବନି। ଜୟନ୍ତଗିରୀ ମୁଖ୍ୟକେନାଲ ଉପରେ ଥିବା ପୋଲ ଓ ଉଭୟ ପାର୍ଶ୍ବରେ ଛୋଟ ବଡ ବଡ ଗର୍ତ୍ତ ହୋଇଛି। ଏସବୁ ଗର୍ତ୍ତ ଗୁଡିକ ସାମାନ୍ୟ ବର୍ଷା ହେବା ମାତ୍ରକେ ପାଣି ଜମା ହୋଇ ରହୁଛି। ବାଇକ୍ ଚାଳକ ମାନେ ଦ୍ରୁତ ଗତିରେ ଆସୁଥିବା ବେଳେ ଗର୍ତ୍ତ ସଂପର୍କରେ ଅବଗତ ନଥିବାରୁ ଛୋଟ ବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ସବୁ ପାର୍ଶ୍ବରେ ଛୋଟ ବଡ ଗର୍ତ୍ତ ହୋଇଥିବାରୁ ବଡ଼ଗାଡ଼ି ବି ଗର୍ତ୍ତରେ ଚକ ନ ପକାଇ ଗାଡ଼ି ଅତିକ୍ରମ କରିବାକୁ ଚେଷ୍ଟା କରି ଛୋଟ ବଡ ଦୁର୍ଘଟଣାର ଶୀକାର ବି ହେଉଛନ୍ତି। କିଛି ଟ୍ରକର ଛକ ଗର୍ତ୍ତରେ ପଡ଼ି ଯନ୍ତ୍ରାଂଶରେ ଖରାଫ ହେବାର ବି ଦେଖିବାକୁ ମିଳିଛି। ସେଭଳି ରଣ୍ଡାପାଲ୍ଲୀ ପୋଲର ଅବସ୍ଥା ବି ତଦ୍ରୁପ। ଏହି ସ୍ଥିତିରେ ଏବେ ଏହି ୪ ପୋଲକୁ ଯତ୍ନ ସହକାରରେ ଅତିକ୍ରମ ନ କଲେ ଛୋଟ ବଡ ଦୁର୍ଘଟଣା ହେଉଛି। ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।