ସଡ଼କ ନିର୍ମାଣ ଡିଜାଇନିଂରେ ତ୍ରୁଟି: ବଢ଼ୁଛି ଦୁର୍ଘଟଣା, ଅଢ଼େଇ ବର୍ଷରେ ଗଲାଣି ୨୯୦ ଜୀବନ

ତ୍ରୁଟି ସଜାଡ଼ିବାକୁ ଏନ୍ଏଚ୍-ପୂର୍ତ୍ତ-ଆରଡି ଯନ୍ତ୍ରୀଙ୍କୁ ନିର୍ଦେଶ, ଅପରାହ୍ନରୁ ସନ୍ଧ୍ୟା ଭିତରେ ଘଟୁଛି ସର୍ବାଧିକ ଦୁର୍ଘଟଣା

ରାୟଗଡ଼ା: ସଡ଼କ ନିର୍ମାଣ ଡିଜାଇନିଂରେ ତ୍ରୁଟି ଯୋଗୁ ବଢ଼ି ଚାଲିଛି ଦୁର୍ଘଟଣା। କେବଳ ୩୨୬ ନଂ ଜାତୀୟ ରାଜପଥ ନୁହେଁ ରାଜ୍ୟ ରାଜପଥ ଓ ଗ୍ରାମାଞ୍ଚଳ ରାସ୍ତାରେ ମଧ୍ୟ ଦୁର୍ଘଟଣା ହାର କିଛି କମ୍ ନୁହେଁ। ଅପରାହ୍ନ ୩ଟାରୁ ରାତି ୯ଟା ଭିତରେ ସର୍ବାଧିକ ଦୁର୍ଘଟଣା ଘଟୁଥିବା ବେଳେ ବ୍ଲାକ୍ ସ୍ପଷ୍ଟ ସ୍ଥାନ ଚିହ୍ନଟରେ ଅହେତୁକ ବିଳମ୍ବ, ତ୍ରୁଟି ସଜାଡ଼ିବାରେ ଅବହେଳା ପାଇଁ ଅକାଳରେ ଯାଉଛି ଜୀବନ। ଗତ ଅଢ଼େଇ ବର୍ଷରେ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ୨୯୦ ଜଣଙ୍କ ମୃତ୍ୟୁ ଏହାର ବଡ଼ ଉଦାହରଣ। ଯାହାକୁ ନେଇ ଉଦବେଗ୍ ପ୍ରକାଶ କରିଛି ସଡ଼କ ସୁରକ୍ଷା କମିଟି। ଆନ୍ଧ୍ରପ୍ରଦେଶର ଚିନ୍ତୁରରୁ ଆରମ୍ଭ ହୋଇ ଗଞ୍ଜାମ ଜିଲ୍ଲାର ଆସିକାରେ ଶେଷ ହୋଇଛି ୩୨୬ ନଂ ଜାତୀୟ ରାଜପଥ। ମାଲକାନଗିରି, କୋରାପୁଟ, ରାୟଗଡ଼ା ଦେଇ ଯାଇଥିବା ୫୧୩.୭୦ ଦୈଘ୍ୟ ବିଶିଷ୍ଟ ଏହି ରାଜପଥର ୩୧୭ କିମି ରହିଛି କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ। ପାହାଡ଼ିଆ ଅଞ୍ଚଳ, ଘଞ୍ଚ ଜଙ୍ଗଲ ଦେଇ ଯାଇଥିବା ରାଜପଥରେ ୬ଟି ବଡ଼ ଘାଟି ରହିଥିବା ବେଳେ ସର୍ବାଧିକ ଦୁର୍ଘଟଣା ପ୍ରବଣ ରାସ୍ତା ଭାବେ ଏହି ରାଜପଥ ଚିହ୍ନଟ ହୋଇଛି। କୋରାପୁଟ ଜିଲ୍ଲାର କାକିରିଗୁମ୍ମା, ଲକ୍ଷ୍ମୀପୁର, ରାୟଗଡ଼ା ଜିଲ୍ଲାର ଗୁମ୍ମା, ମୁକୁନ୍ଦପୁର, ବାଗୁଡ଼ି, ଗୋଇବନ୍ଧ ଘାଟି ରାସ୍ତା ଅଣଓସାରିଆ ସାଙ୍ଗକୁ ଘାଟିରେ ତୀକ୍ଷ୍‌ଣ ବୁଲାଣି ଥିବା କାରଣରୁ ଯାତ୍ରୀବାହୀ, ମାଲବାହୀ, କାର୍ ସମେତ ଅନ୍ୟ ଯାନବାହନ ଚଳାଚଳ ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରତିଦିନ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଆସୁଥିବା ଭାରିଯାନ, ମାଲବାହୀ ଟ୍ରକ୍, ଟ୍ରଲର ଡ୍ରାଇଭର୍ ଘାଟି ରାସ୍ତା ସମ୍ପର୍କରେ ଅଜ୍ଞ କାରଣରୁ ଦୁର୍ଘଟଣାର ଶିକାର ହେଉଛନ୍ତି। ସେହିପରି ରୂପକୋଣା ଛକରୁ କଳାହାଣ୍ଡି ଜିଲ୍ଲାର ଏମ୍. ରାମପୁର, ଅମ୍ଲାଭଟ୍ଟାରୁ ଭବାନୀପାଟଣା, ରାୟଗଡ଼ାରୁ ପାର୍ବତୀପୁରମକୁ ସଂଯୋଗ ହୋଇଥିବା ରାଜ୍ୟ ରାଜପଥ ମଧ୍ୟ ଦୁର୍ଘଟଣା ପ୍ରବଣ ହୋଇ ପଡ଼ିଛି।

କାଶୀପୁର ରାସ୍ତାରେ ଥିବା କାଳିଆପଡ଼ା ଘାଟିରେ ଦୁର୍ଘଟଣା ବଢ଼ିବା ପରେ ଉକ୍ତ ଘାଟିକୁ ବ୍ଲାକ୍ ସ୍ପଷ୍ଟ ଭାବେ ଚିହ୍ନଟ କରାଯାଇଛି। ‌ପାବର୍ତୀପୁରମ୍ ରାସ୍ତାର ଶେଷଖାଲ୍, କେରେଡା, ଜେମାଦେଇପେଣ୍ଠ ଅଞ୍ଚଳରେ ମାଲବାହୀ ଟ୍ରକ, ଟ୍ରଲର ଓ ଆନ୍ଧ୍ରକୁ ଚାଲାଣ ହେଉଥିବା ବାଲି ଗାଡ଼ି ପାଇଁ ଦୁର୍ଘଟଣା ବଢ଼ୁଛି। ଭବାନୀପାଟଣା ରାସ୍ତାର ଅମ୍ବାଦଳା, ଭାତପୁର, ଥେରୁବାଲି, ଚାଟିକଣା ଅଞ୍ଚଳ ସର୍ବାଧିକ ଦୁର୍ଘଟଣାପ୍ରବଣ ଭାବେ ଚିହ୍ନଟ ହୋଇଛି। ଦୈନିକ ସଡ଼କ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲାରେ ଅନୂନ୍ୟ ୨ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ଅନେକ ଅର୍କମଣ୍ୟ ହେଉଛନ୍ତି। ସୂଚନା ମୁତାବକ, ୨୦୨୦ରେ ୨୭୨ଟି ସଡ଼କ ଦୁର୍ଘଟଣାରେ ୧୧୦ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୧ରେ ୨୯୭ଟି ଦୁର୍ଘଟଣାରେ ୧୩୩ ଏବଂ ୨୦୨୨ ଏପ୍ରିଲ୍ ସୁଦ୍ଧା ୧୦୬ଟି ଦୁର୍ଘଟଣାରେ ୪୭ ଜଣଙ୍କ ମୃତ୍ୟୁ ହୋଇଛି। ଗତ ଅଢ଼େଇ ବର୍ଷରେ ସଡ଼କ ଦୁର୍ଘଟଣାରେ ୨୯୦ ଜୀବନ ଯାଇଥିବାରୁ ଦୁର୍ଘଟଣା ହ୍ରାସ ଲାଗି ଯୁଗ୍ମ କମିଟି ମାଧ୍ୟମରେ ଦୁର୍ଘଟଣାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେଇ  ଜିଲ୍ଲାପାଳ କହିଛନ୍ତି। ସଡ଼କ ନିର୍ମାଣ ଡିଜାଇନିଂରେ ଥିବା ତ୍ରୁଟିକୁ ତୁରନ୍ତ ସୁଧାରିବାକୁ ଜାତୀୟ ରାଜପଥ, ପୂର୍ତ୍ତ ବିଭାଗ, ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦେଶ ହୋଇଛି। ବର୍ଷର ଡିସେମ୍ବର, ଜାନୁଆରୀ, ଫେବ୍ରୁଆରୀ, ଜୁନ ଏବଂ ସେପ୍ଟେମ୍ବର ମାସରେ ଅଧିକାଂଶ ଦୁର୍ଘଟଣା ଘଟୁଥିବା ସଡ଼କ ସୁରକ୍ଷା କମିଟିର ଅନୁଧ୍ୟାନରୁ ଜଣା ପଡିଛି।

ସମ୍ବନ୍ଧିତ ଖବର