ଜୟପୁର: ଉପରକୋଲାବ ବହୁମୁଖୀ ସେଚ ପ୍ରକଳ୍ପ ଅଧିନରେ ଥିବା ୨୨୪କିଲୋମିଟରର ମୁଖ୍ୟ ଓ ଶାଖା କେନାଲ ପାର୍ଶ୍ବରେ ଥିବା ରାସ୍ତାର ପୁନଃରୁଦ୍ଧାର କରାଯିବାକୁ ଯୋଜନା କରାଯାଇଛି । ଏ ନେଇ ୧୩୯କୋଟି ଟଙ୍କା ଖର୍ଚ୍ଚ କରିବାକୁ ଆକଳନର କାର୍ଯ୍ୟଖସଡା ଓ ସମ୍ପୂର୍ଣ୍ଣ ବିବରଣୀ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟସରକାରଙ୍କ ଜଳସେଚନ ବିଭାଗକୁ ପଠାଯାଇଥିଲା। ସେଠାରୁ ଅନୁମୋଦନ ପାଇ ଗତ ୫ମାସ ହେବ ଆସିଛି। ତା ପରେ ବି ଏହାକୁ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା କାର୍ଯ୍ୟ ଆରମ୍ଭ ହୋଇପାରିନି। ଏହି ୨୨୪କିଲୋମିଟର ପରିଧି ମଧ୍ୟରେ ଜୟପୁର, ବୋରିଗୁମ୍ମା, କୋଟପାଡ ଓ କୁନ୍ଦ୍ରା ବ୍ଲକର ଶତାଧିକ ଗ୍ରାମବାସୀ ନିର୍ଭର କରନ୍ତି। ତେବେ ରାସ୍ତା ଓ ପୋଲଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାରୁ ନିୟମିତ ଛୋଟ ବଡ ଦୁର୍ଘଟଣା ଘଟୁଛି । ସୂଚନା ଅନୁଯାୟୀ, ଉପରକୋଲାବ ବହୁମୁଖୀ ସେଚ ପ୍ରକଳ୍ପ ଅଧିନରେ ମୁଖ୍ୟକେନାଲ ସତୀଗୁଡା ଡ୍ୟାମ ଠାରୁ କୋଟପାଡ ଶେଷମୁଣ୍ଡ ପର୍ଯ୍ୟନ୍ତ ୫୯କିଲୋମିଟର ଯାଏଁ ଥିବାବେଳେ ଏହି ରାସ୍ତାରେ ୪.୫ମିଟର ବା ପ୍ରାୟ ୧୫ଫୁଟ ଓସାରର ପିଚୁ ପକାଯିବା ଯୋଜନା ରହିଛି।
ସେଭଳି ପିଚୁର ଉଭୟ ପଟେ ଗୋଟିଏ ମିଟର ଚଉଡ଼ାରେ କଂକ୍ରିଟ କରାଯିବ। ସେଭଳି ୨୦ଟି ଶାଖା କେନାଲ ୧୬୫ମିଟର ରହିଛି। ଏଥିରେ ଧନପୁର ଶାଖା କେନାଲ, ପଦ୍ମପୁର ଡିଷ୍ଟ୍ରିବ୍ୟୁଟରୀ, ଜୟପୁର ଡିଷ୍ଟ୍ରିବ୍ୟୁଟରୀ, ଅନ୍ତା, ଗିରିଗାଁ, ସିନ୍ଧିଗାଁ,ଧାରଣାହାଣ୍ଡି, ବାଗଦେରୀ, ଖଟଲାପଦର, ଆମ୍ବାବାଲି, ପଖନାଗୁଡା, ବଡ଼ପାରିଆ, ବତାସନା, ଠକ ଦୁଗୁଲାହାଣ୍ଡି, କାଜିଂଗୁଡା, ଶଙ୍କରଡ଼ା, କରଲାହାଣ୍ଡି, ବେଲଗାଁ, କୋଟପାଡ ଓ ହର୍ଦ୍ଧଳୀ। ଚଉଡ଼ା ଅନୁଯାୟୀ ୩.୬ ରୁ ୪ମିଟର ବା ପ୍ରାୟ ୧୩ଫୁଟ ଚଉଡ଼ାରେ ପିଚୁ ପକାଯାଇ ରାସ୍ତା ନିର୍ମାଣ କରାଯିବା ଯୋଜନା ରହିଥିବା ଉପରକୋଲାବ ବହୁମୁଖୀ ସେଚ ପ୍ରକଳ୍ପରୁ ସୂଚନା ମିଳିଛି। ଏହି ରାସ୍ତାଗୁଡିକରେ ବହୁ ସମୟରେ ଭାରୀଯାନ ଓ ଚୋରା ମାଲ ପରିବହନ କରୁଥିବା ଗାଡ଼ିଗୁଡିକ ଯିବା ଆସିବା କରିବା ଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ତା ସହ ପ୍ରତି ବର୍ଷ ରାସ୍ତାକୁ ମରାମତି କରିବା ବଦଳରେ ଉପର ଠାଉରିଆ ରକ୍ଷଣାବେକ୍ଷଣ ଓ ଦେଖାରଖା କରିବା ଫଳରେ ଏବେ ସବୁ ରାସ୍ତାର ଅବସ୍ଥା ନ କହିବା ଭଲ। ଏହି ୨୨୪ କିଲୋମିଟର ରାସ୍ତା ପୁନଃରୁଦ୍ଧାର ଓ ପ୍ରଶସ୍ତିକରଣ ହେଲେ ପ୍ରାୟ ୪ଟି ବ୍ଲକର ଦୁଇ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀ ଉପକୃତ ହୋଇପାରିବେ। ତେବେ ଗତ ୫ମାସ ହେବ ଅନୁମୋଦନ ପାଇ ଆସିଥିବା ଏହି ରାସ୍ତା ନିର୍ମାଣ କାମ ଲଟକି ରହିବା ପଛରେ କିଛି ରହସ୍ୟ ରହିଛି କି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।