ରାସ୍ତା ସଂପ୍ରସାରଣରେ ହଜିଯିବ ୬୦ ବର୍ଷର ସ୍ମୃତି

ଜଗତସିଂହପୁର ଟାଉନ୍: ୬୦ ବର୍ଷ ହେଲା ଦୁହେଁ ପାଖାପାଖି ବଢ଼ିଥିଲୁ। ପରିଣତ ବୟସରେ ବି ସ୍ମୃତିକୁ ଜାବୁଡ଼ିଧରି ସମୟ ବିତିଯିବ ବୋଲି ଭାବିଥିଲି। ଆମ ସହିତ ଏକାଠି ହୋଇଥିବା ଅନେକ ସାଥୀ ସୁଖଦୁଃଖରେ ଭାଗୀଦାର ହେଉଥିଲେ। ସତରେ ସାଥୀଟିଏ ପରି ସାଥୀ ଥିଲା ୬୦ ବର୍ଷର ଅଶ୍ବତଥ ଗଛ। ଆଜି ୫୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ପାଇଁ ଜେସିବି ଓ କଟର୍‌ ମେସିନ୍‌ରେ ଧରାଶାୟୀ ହୋଇଛି ସେହି ବିରାଟ ବୃକ୍ଷ। ବୃକ୍ଷ ନୁହଁ ତ ଜୀବନସାଥୀ ବୋଲି ଭାବବିହ୍ବଳ ହୋଇ କହିଛନ୍ତି ଜଗତସିଂହପୁର-କନ୍ଦରପୁର ରାସ୍ତା ପଣ୍ଡିଆ ଅଞ୍ଚଳର ବସନ୍ତ କୁମାର ସ୍ବାଇଁ। ବସନ୍ତଙ୍କ ଏପରି ଭାବାବେଗ ସହ ଅନେକଙ୍କ ଭାବାବେଗ ପ୍ରାୟ ସମାନ। କଟକ-ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ଲାଗି ହଜାର ହଜାର ସଂଖ୍ୟାରେ ଗଛ କଟା ଚାଲିଥିବା ବେଳେ ପଣ୍ଡିଆ ଛକ ହନୁମାନ ମନ୍ଦିର ନିକଟରେ କଟା ଯାଇଥିବା ଅଶ୍ବତଥ ଗଛକୁ ନେଇ ଅନେକଙ୍କ ମନ ଏପରି ଭାରାକ୍ରାନ୍ତ। ବସନ୍ତଙ୍କ କହିବା ଅନୁସାରେ, ଏଠାରେ ଥିବା ଏକ ଆମ୍ବଗଛର କୋରଡ଼ରୁ ଆତ୍ମପ୍ରକାଶ କରିଥିବା ଏହି ଅଶ୍ବତଥ ବୃକ୍ଷର ୬୦ ବର୍ଷର ଜୀବନ ଅନେକ ସ୍ମୃତିବିଜଡ଼ିତ। ସେହି ଗଛରେ ବଢ଼ିଥିବା ଆମ୍ବ, ବରଗଛ ହଜିଗଲାଣି।

ଏପରିକି ୧୯୯୯ ମହାବାତ୍ୟାକୁ ସାମ୍ନା କରି ହିମାଳୟ ଭଳି ଛାତି ଦେଖାଇଥିବା ଏହି ଅଶ୍ବତଥ ବୃକ୍ଷ ଏବେ ଟଳିପଡ଼ିବା ଅନେକଙ୍କୁ ବ୍ୟଥା ଓ ଯନ୍ତ୍ରଣା ଦେଇଛି। ଧରଣୀଧର ସାହୁ କହିଛନ୍ତି, ନିକଟରେ ଥିବା ହନୁମାନ ମନ୍ଦିରରେ ମଧ୍ୟ ବସାଉଠା, ସଂକୀର୍ତନ, ପୂଜାର୍ଚ୍ଚନା ହେଉଥିଲା। ମନ୍ଦିର ବି ଭଙ୍ଗାଯିବ। ସେହି ସ୍ମୃତିଟି ମଧ୍ୟ ହଜିଯିବ। ଜଗତସିଂହପୁର ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବା ଏହି ରାସ୍ତାର ସଂପ୍ରସାରଣ ଅନିବାର୍ଯ୍ୟ ‌ହୋଇ ପଡ଼ିଥିବା ବେଳେ ଶହଶହ ଗଛ କଟାଯିବାର ଦୃଶ୍ୟ ଏକ ମହାବାତ୍ୟାର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତାର ମୋଟ୍ ୫୭୧୫ ଗଛ କଟାଯିବ। କେବଳ ବିରିଡ଼ି ଅଞ୍ଚଳରେ ପ୍ରାୟ ୨୫୦୦ ଗଛ କଟାଯିବ। ସେହି ଅଞ୍ଚଳରେ ହିଁ ସର୍ବାଧିକ ବୃକ୍ଷ ଥିଲା। ରାସ୍ତାରେ ଗଛ ସୁଡ଼ଙ୍ଗ ଭଳି ଲାଗୁଥିଲା। କିନ୍ତୁ ଏବେ ବଡ଼ ବାତ୍ୟା ପରେ ଯେମିତି ଦେଖାଯାଏ ସେମିତି ଦୃଶ୍ୟ ଦେଖିବାକୁ ମିଳିଛି। ଗତ କିଛିଦିନ ହେଲାଣି ଉଦୁଉଦିଆ ଖରା ସାଙ୍ଗକୁ ଅସହ୍ୟ ଗରମ। ଦେହରୁ ଗମ୍ ଗମ୍ ଝାଳ ବୋହି ଯାଉଛି। ପୂର୍ବରୁ ଜଗତସିଂହପୁର କନ୍ଦରପୁର ରାସ୍ତାରେ ଦୁଇ ପାର୍ଶ୍ବରେ ଥିବା ଗଛ ଯୋଗୁ ପ୍ରବଳ ଛାଇ ହେଉଥିଲା। ଏପରିକି କେତେକ ସ୍ଥାନରେ ରାସ୍ତା ଉପରେ ଖରା ପଡ଼ୁ ନ ଥିଲା। କିନ୍ତୁ ଏବେ ସିଧାସଳଖ ଖରା ଦେହରେ ମାଡ଼ ହେଉଛି। ଆଗକୁ ପ୍ରାୟ ୧୦ ବର୍ଷ ଧରି ରାସ୍ତାରେ ଏଭଳି ଗ୍ରୀଷ୍ମ ପ୍ରବାହ ହେବ ବୋଲି ଅନୁମାନ କରାଯାଉଛି। କାରଣ ରାସ୍ତା ନିର୍ମାଣ ପରେ ଯାଇ ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କରାଯିବ।

ସମ୍ବନ୍ଧିତ ଖବର