ସୁକତେଲ ସେତୁ ଭାଙ୍ଗିବା ଘଟଣା; ପୁଣି ଧୋଇନେଲା ଅସ୍ଥାୟୀ ରାସ୍ତା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ-ମୁଦଲସର ଗ୍ରାମ ମଧ୍ୟରେ ଥିବା ସୁକତେଲ ସେତୁ ଭାଙ୍ଗିବା ପରେ ସେତୁ ନିକଟରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରା ଯାଇଥିଲା। ଗତବର୍ଷ ଏହି ରାସ୍ତା ବର୍ଷାରେ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଥିବାବେଳେ ଚଳିତମାସ ପ୍ରଥମ ସପ୍ତାହ ବେଳକୁ ସାମାନ୍ୟ ବର୍ଷାରେ ଘାଇ ସୃଷ୍ଟି ହୋଇଥିଲା। ପରେ ଗ୍ରାମବାସୀଙ୍କ ଦ୍ବାରା ମରାମତି କରାଯାଇଥିବା ବେଳେ କିଛିଦିନ ହେବ ଲାଗି ରହିଥିବା ଝିପିଝିପି ବର୍ଷାରେ ପୁଣି ଉକ୍ତ ଅସ୍ଥାୟୀ ରାସ୍ତାଟିରେ ଏକ ବଡ ଘାଇ ସୃଷ୍ଟି ହୋଇଥିବା ଦେଖା ଦେଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ୧୨ରୁ ଅଧିକ ଗ୍ରାମବାସୀ ବିଚ୍ଛିନ୍ନ ହୋଇଥିବା ଜଣାପଡିଛି।

ସୁକତେଲ ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇଥିବା ବେଳେ ଲୋକଙ୍କ ଯିବା ଆସିବା ପାଇଁ ଗତ ୨୦୧୫ ମସିହାରେ ତମିଆଁ-ମୁଦଲସର ମଧ୍ୟରେ ପ୍ରବାହିତ ହେଉଥିବା ସୁକତେଲ ନଦୀ ଉପରେ ସୁକତେଲ ସେତୁ ନିର୍ମାଣ କରାଯାଇଥିଲା। ହେଲେ ଏହି ସେତୁ ନିର୍ମାଣର ୫ବର୍ଷ ନ ପୁରୁଣୁ ଅର୍ଥାତ୍ ଏପ୍ରିଲ ୨୦୨୦ରେ ଭୁଷୁଡି ପଡିଥିଲା। ଏହି ସେତୁ ନିକଟରେ ଏକ ଅସ୍ଥାୟୀ ରାସ୍ତାଟି ତିଆରି କରାଯାଇଥିଲା। ଚଳିତମାସ ପ୍ରଥମ ସପ୍ତାହରେ ସାମାନ୍ୟ ବର୍ଷା ହେବାରୁ ବର୍ଷା ପାଣିରେ ଧୋଇ ହୋଇ ଘାଇ ସୃଷ୍ଟି ହୋଇଥିଲା। ଫଳରେ ୧୨ରୁ ଅଧିକ ଗ୍ରାମାବାସୀ ବିଚ୍ଛିନ୍ନ ହୋଇ ପଡିଥିଲେ। ସେତେବେଳେ ଲୋକେ ନଦୀ ପାଣି ଭିତରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା। କିଛିଦିନ ପରେ ଖରା ହେବାରୁ ଗ୍ରାମବାସୀ ମିଶି ଉକ୍ତ ଘାଇର ମରାମତି କରିଥିଲେ।

ଏହାପରେ ପୁଣି ଉକ୍ତ ରାସ୍ତା ଦେଇ ଯିବା ଆସିବା କରାଯାଇଥିଲା। ହେଲେ ବର୍ତ୍ତମାନ ଝିପିଝିପି ବର୍ଷା ଲାଗି ରହିଛି। ବର୍ଷା ହେବା ଦ୍ବାରା ଏହି ଅସ୍ଥାୟୀ ରାସ୍ତାଟି ପୁଣି ଧୋଇ ହୋଇ ଯାଇଥିବା ଦେଖା ଦେଇଛି। ବର୍ଷା ପାଣି ଦ୍ବାରା ଅସ୍ଥାୟୀ ରାସ୍ତାରେ ଦିଆ ଯାଇଥିବା ହ୍ୟୁମ୍‌ ପାଇପ ମାନ ମଧ୍ୟ ଦେଖାଯାଇ ନାହିଁ। ଏଠାରେ ବର୍ତ୍ତମାନ ବଡ ଘାଇ ସୃଷ୍ଟି ହୋଇଛି। ଏହି ଅସ୍ଥାୟୀ ରାସ୍ତା ଉପର ପର୍ଯ୍ୟନ୍ତ ଅର୍ଥାତ୍ ୩ ରୁ ୪ ଫୁଟ ପର୍ଯ୍ୟନ୍ତ ପାଣି ଛୁଇଁ ଗତି କରୁଥିବା ଜଣାପଡିଛି। ଏହାଦ୍ବାରା ଲୋକେ ଏପଟରୁ ସେପଟକୁ ଯିବା ଆସିବା କରିପାରୁ ନଥିବା ଦେଖା ଦେଇଛି।

Sambad

ଫଳରେ ପୂର୍ବପରି ନଦୀ ଅପର ପାର୍ଶ୍ବରେ ଥିବା ଗ୍ରାମବାସୀ ପୁଣି ପାଟଣାଗଡ଼ ସହରକୁ ବା ଡାକ୍ତରଖାନାକୁ ଆସିବା ପାଇଁ ଲରମ୍ଭା ଦେଇ ୪୦ ରୁ ୪୫ କିଲୋମିଟର ଦୂର ବୁଲିକି ଆସିବା ଏବଂ ଏଥିପାଇଁ ପୁଣି ସେମାନେ ଅଧିକ ଖର୍ଚ୍ଚାନ୍ତର ଶୀକାର ହେବେ ବୋଲି ଜଣାପଡିଛି।

ଏଠାରେ ପ୍ରକାଶ ଥାଉ କି, ଏହି ସେତୁ ନିର୍ମାଣ ସମୟରୁ ନିମ୍ନମାନର କାମ ହୋଇଥିବା ନେଇ ବାରମ୍ବାର ଅଭିଯୋଗ ମାନ ହୋଇ ଆସୁଥିଲା। ଏହାକୁ ନେଇ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା। ହେଲେ ଏହାକୁ କେହି ଗୁରୁତର ଭାବେ ନେଇ ନଥିଲେ। ଶେଷରେ ସମ୍ପୃକ୍ତ ଅଞ୍ଚଳବାସୀ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବାବେଳେ ବିଭାଗ ପକ୍ଷରୁ ଦବି ଯାଇଥିବା ୪ ନମ୍ବର ସ୍ପାନର୍‌ ମରାମତି ପାଇଁ ଠିକା କରିଥିବା ଠିକାସଂସ୍ଥା ରାମ କୁମାର ଅଗ୍ରୱାଲ ଇଂଜିନିୟରିଂ ପ୍ରାଇଭେଟ୍‌ ଲିମିଟେଡକୁ କୁହାଯାଇଥିଲା। ମରାମତି କରାଯିବା ସମୟରେ ଗତ ୨୦୨୦ ଏପ୍ରିଲ ୨୯ ତାରିଖରେ ଉକ୍ତ ସ୍ପାନ୍‌ଟି ଭୁଷୁଡି ପଡି ଏଥିରେ ନିୟୋଜିତ ହୋଇଥିବା ୨ ଅଣ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଗତବର୍ଷ ଠିକାସଂସ୍ଥାକୁ କଳା ତାଲିକା ଭୁକ୍ତ କରାଯାଇଥିଲା। ଗତ ୧୩ ତାରିଖରେ ବିଭାଗ ପକ୍ଷରୁ ୪ ନମ୍ବର ସ୍ପାନର୍‌ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଥିବା ବେଳେ ଏହାକୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ପକ୍ଷରୁ ବିରୋଧ କରାଯିବା ସହ ନୂତନ ସେତୁ ନିର୍ମାଣ କରାଯିବା ନେଇ ଦାବୀ କରିଥିବା ଜଣାପଡିଥିଲା। ଗତବର୍ଷ ଠିକା ସଂସ୍ଥାଟି କଳା ତାଲିକା ଭୁକ୍ତ ହେବା ପରେ ମଧ୍ୟ ପୁଣି ଠିକା କରୁଥିବା ସୂଚନା ମିଳିଥିଲାା ଏହାପରେ ଚଳିତ ମାସ ୨୦ ତାରିଖରେ ପୁଣିଥରେ କଳା ତାଲିକା ଭୁକ୍ତ କରାଯାଇଥିବା ଜଣାପଡିଛ।

ସମ୍ବନ୍ଧିତ ଖବର