ଧୋଇଗଲା ଝଞ୍ଜାବତୀ ନଦୀ ଅସ୍ଥାୟୀ ପୋଲ, ପୋଡାମରାକୁ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡ଼ା: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଝଞ୍ଜାବତୀ ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ଧୋଇ ଯାଇଛି। ଫଳରେ କୁମ୍ଭିକୋଟା-ପୋଡମରା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଧୋଇଯିବା ପରେ ଗ୍ରାମରେ ବସବାସ କରୁଥିବା ଶହେ ପରିବାରର ୫ ଶହରୁ ଉର୍ଦ୍ଧ୍ବ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ନିର୍ମାଣ ସ୍ଥାନରେ ଜମି ବିବାଦ ଲାଗି ରହିଥିବାରୁ ପୋଲ ନିର୍ମାଣ ଆଗେଇ ପାରୁନି। ରାୟଗଡ଼ା ବ୍ଲକ୍ କୁମ୍ଭିକୋଟା ପଞ୍ଚାୟତ ସଦର ମହକୁମାରୁ ୨ କିମି ଦୂରରେ ରହିଛି ପୋଡାମରା ଗ୍ରାମ। ଯାତାୟତ ପାଇଁ ସ୍ଥାୟୀ ପୋଲ ନିର୍ମାଣ ହୋଇପାରୁନଥିବାରୁ ଲୋକେ ଅସ୍ଥାୟୀ ପୋଲ ନିର୍ମାଣ କରି ଯାତାୟାତ କରୁଛନ୍ତି। କୁମ୍ଭିକୋଟାରୁ ଅସ୍ଥାୟୀ ପୋଲ ପର୍ଯ୍ୟନ୍ତ ଥିବା ଦୂରତା ମଧ୍ୟରେ କୁମ୍ଭିକୋଟାର ଜଣେ ବ୍ୟକ୍ତିଙ୍କ ଜାଗା ରହୁଥିବାରୁ ସେ ନିଜ ଜାଗାରେ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଉନାହାଁନ୍ତି। ଫଳରେ ଦୀର୍ଘବର୍ଷ ଧରି ପକ୍କା ରାସ୍ତା ଓ ପୋଲ ନିର୍ମାଣ ହୋଇ ପାରୁନି। ପକ୍କା ରାସ୍ତା ନଥିବାରୁ ବର୍ଷ ତମାମ ଖାଲଢିପ ରାସ୍ତାରେ ଯାତାୟତ କରୁଛନ୍ତି ପୋଡମରାବାସୀ। ଗାଁକୁ ସିଧାସଳଖ ସଂଯୋଗ ପାଇଁ ପକ୍କା ରାସ୍ତା ଏବଂ କୁମ୍ଭିକୋଟା-ପୋଡମରା ମଧ୍ୟରେ ପ୍ରବାହିତ ହେଉଥିବା ଝଞ୍ଜାବତୀ ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବହୁବର୍ଷ ହେଲା ଦାବି ହୋଇ ଆସୁଛି। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ପୋଲ ନିର୍ମାଣରେ ବିଳମ୍ବ ହେଉଥିବା ଗ୍ରାମର ଆଶିଷ ବିଭୋର, ଅଜୟ ବିଭୋର, ଅରୁଣ ବିଭୋର ପ୍ରମୁଖ ଦାବି କରିଛନ୍ତି।

ବର୍ତ୍ତମାନ ଅସ୍ଥାୟୀ ପୋଲ ଭାସି ଯାଇଥିବାରୁ ଗାଁକୁ ଦୁଇ ଚକିଆ ଗାଡି ମଧ୍ୟ ଯାତାୟତ ସମ୍ଭବପର ହୋଇ ପାରୁନି। କୋଭିଡ କଟକଣା କୋହଳ ପରେ ନବମ ଓ ଦଶମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଥିବା ବେଳେ ଗ୍ରାମର ଛାତ୍ରଛାତ୍ରୀ ମଧ୍ୟ ପାଠପଢାରୁ ବଞ୍ଚିତ ହୋଇଛନ୍ତି। ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ସମ୍ଭବପର ନଥିବାରୁ ଗର୍ଭବତୀ ମହିଳା ଓ ଅନ୍ୟରୋଗୀଙ୍କୁ ଖଟରେ ତଥା ଭାରରେ ବୋହି ନଦୀ ପାର କରାଉଛନ୍ତି। ଏ ସଂପର୍କରେ ରାୟଗଡ଼ା ବିଡିଓ ଲକ୍ଷ୍ମୀକାନ୍ତ ସାବତଙ୍କୁ ପଚାରିବାରୁ ନିର୍ମାଣ ସ୍ଥଳରେ ଜମି ବିବାଦ ଲାଗି ରହିଥିବାରୁ ପୋଲ ନିର୍ମାଣ କାମ ଆଗେଇ ପାରୁନି। ଅସ୍ଥାୟୀ ପୋଲକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯିବ ବୋଲି ବିଡ଼ିଓ ଶ୍ରୀ ସାବତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର