ସହରର ମୁଖ୍ୟ ରାସ୍ତାରେ ଗାଈଗୋରୁଙ୍କ ଗହଳି ; କାଞ୍ଜିଆ ହୁଦା କେଉଁଥିପାଇଁ ନିର୍ମାଣ କରାଯାଇଛି

ଗାଈଗୋରୁଙ୍କୁ ଖାଦ୍ୟ ଓ ପାନୀୟ ଜଳ ମିଳୁନାହିଁ

ମାଲକାନଗିରି: ମାଲକାନଗିରି ସହରରେ ଏବେ ଗାଈଗୋରୁଙ୍କ ରାଜ। ସହରର ସମସ୍ତ ଗଳିକନ୍ଦିର ମୁଖ୍ୟ ରାସ୍ତାରେ ଗାଈଗୋରୁଙ୍କ ଅଡ୍ଡାସ୍ଥଳୀ ପାଲଟିଗଲାଣି। ଗାଈ ପାଳୁଥିବା ମାଲିକମାନେ ନିଜର ଗାଈକୁ ଘରେ ନରଖି ବାହାରେ ଛାଡି ଦେଉଥିବାରୁ ଏଭଳି ଅବସ୍ଥା ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ କରୋନା ମହାମାରୀ ସାରା ଜିଲ୍ଲାକୁ ଗ୍ରାସ କରିଥିବା ବେଳେ ଗାଈଗୋରୁଙ୍କ କଥା ପଚାରେ କିଏ। ଏମାନେ ଦିନ ତମାମ ରାସ୍ତା ଉପରେ ପଡି ରହିଥିବା ବେଳେ ଏମାନଙ୍କୁ ଖାଇବା ପାଇଁ କିଛି ମିଳୁନଥିବା ଦେଖିବାକୁ ମିଳିଛି। ଏପରକି ପ୍ରବଳ ଗରମରେ ଏମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଆଜି ବସଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତି ପାଇପରେ ପାଣି ପିଉଥିବା ବେଳେ ଏହା ଦେଖି ଦୁଇଟି ଗାଈ ତାଂକ ନିକଟକୁ ଆସି ପାଣି ମାଗିବା ଦୃଶ୍ୟ ଆଚମ୍ବିତ କରିଥିଲା। ବ୍ୟକ୍ତି ଜଣ ଗାଈ ଶୋଷିଲା ଥିବା ଜାଣିବା ପରେ ପାଇ ଗାଈ ତୁଣ୍ଡକୁ ବଢାଇ ଦେଇଥିଲେ। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ସହରରେ ବୁଲୁଥିବା ଗାଈଗୋରୁ ଭୋକିଲା ଓ ଶୋଷିଲା ରହିଛନ୍ତି। ସହରର କିଛି ବଦାନ୍ୟ ବ୍ୟକ୍ତି ଗାଈଗୋରୁଙ୍କ ପାଇଁ ନିଜ ଘର ବାରଣ୍ଡାରେ ପାଣି କୁଣ୍ଡ ଏବଂ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି। କିନ୍ତୁ ପ୍ରଶାସନ ତରଫରୁ ବୁଲା ଗାଈଗୋରୁଙ୍କ ପାଇଁ କୌଣସି ସୁବିଧା କରାଯାଇ ନାହିଁ। ତେବେ ଏଥିପାଇଁ ମାଲିକମାନେ ଦାୟୀ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Sambad

ଗାଈମାନଙ୍କର ଦୁଧ କାଢିବା ପରେ ଘରେ ନବାନ୍ଧି, ଖାଇବାକୁ ନଦେଇ ଛାଡି ଦେଉଛନ୍ତି। ଯାହାଫଳରେ ଏମାନେ ସହରର ବିଭିନ୍ନ ଗଳି କନ୍ଦିରେ ବୁଲିବା ସହ ବଜାରରେ ବସୁଥିବା ପନିପରିବା ଗୁଡିକ ଉପରେ ଜବରଦସ୍ତ ଚଢାଉ କରୁଛନ୍ତି। ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ କାଞ୍ଜିଆ ହୁଦା ପ୍ରଶାସନ ତରଫରୁ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା କାହା ପାଇଁ ବୋଲି ପ୍ରଶ୍ନ କରାଯାଇଛି। ଗାଈମାନଙ୍କୁ କାଞ୍ଜିଆ ହୁଦାରେ ବାନ୍ଧି ରଖିଲେ ମାଲିକମାନେ ଏଥିପାଇଁ ଦଣ୍ଡ ପାଇବେ ବୋଲି କୁହାଯାଇଛି। ଗତ କିଛି ଦିନ ତଳେ ୧୦ଟି ଗାଈକୁ କାଞ୍ଜିଆ ହୁଦାରେ ବାନ୍ଧି ରଖିବା ପରେ ମାଲିକମାନେ ଜୋରିମାନା ଦେଇ ନିଜର ଗାଈକୁ ଛଡାଇ ନେଇଥିଲେ।ସେହିପରି ପୁଣି ପ୍ରଶାସନ ତରଫରୁ ଯଦି ଏହି ଭୋକିଲା, ଶୋଷିଲା ଗାଈମାନଙ୍କୁ ନେଇ କାଞ୍ଜିଆ ହୁଦାରେ ବାନ୍ଧି ରଖିଲେ ହୁଏତ ମାଲିକମାନେ ଦଣ୍ଡ ପାଇବେ ବୋଲି ଆଲୋଚନା ଜୋର ଧରିଛି। ଲକ୍ଡାଉନ ଯୋଗୁଁ କୌଣସି ହୋଟେଲ ଖୋଲା ଯାଉନଥିବାରୁ ଗାଈମାନଙ୍କୁ ଖାଇବାକୁ ମିଳୁନଥିବା କୁହାଯାଇଛି। ହୋଟେଲ ମାଲିକମାନେ ବଳି ଯାଉଥିବା ଖାଦ୍ୟକୁ ଗାଈମାନଙ୍କୁ ଦେଇଥାନ୍ତି। କିନ୍ତୁ ଏବେ ତାହା ହୋଇପାରିନଥିବାରୁ ବହୁ ଗାଈଗୋରୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ଏନେଇ କଡା ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର