କାଗଜପତ୍ରରେ ତିଆରି ହେଉଛି କଂକ୍ରିଟ ରାସ୍ତା, କାଦୁଅରେ ଲୋକେ ହୀନସ୍ତା; ଅର୍ଥ ହଡ଼ପ ଅଭିଯୋଗ

ଆଳି: ଆଳି ବ୍ଲକର ଉପାନ୍ତ କୋଳିଡ଼ିହ ପଞ୍ଚାୟତରେ ଦୁଇଟି କଂକ୍ରିଟ ରାସ୍ତା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ରାସ୍ତାରେ ଆଦୌ କାମ କରା ନ ଯାଇ ମିଥ୍ୟା ବିଲରେ ଅର୍ଥ ଉଠାଣ ଘଟଣା ପଞ୍ଚାୟତବ୍ୟାପି ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। କୋଳିଡ଼ିହ ପଞ୍ଚାୟତର ଇଚ୍ଛାପୁର-ନଦୀକୂଳ ରାସ୍ତାରେ ଘାଇହୋଇ କାଦୁଅ ପଚରପଚର ହେଉଛି। ଲୋକେ ପାଣିକାଦୁଅରେ ପଶି ଯାତାୟତ କରୁଛନ୍ତି। ଦିନିଆରୀ ଧଳସାହି ରାସ୍ତା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏହି ଦୁଇ ଗ୍ରାମ୍ୟରାସ୍ତାରେ ଯାତାୟତ ପାଇଁ ଲୋକେ ନାହିଁ ନଥିବା ହିନସ୍ତା ହେଉଥିବାବେଳେ କାଗଜକଲମରେ ଢଳାଇ ରାସ୍ତା ହୋଇଥିବା ଦର୍ଶାଇ ଅର୍ଥ ହଡପ କରାଯାଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ମୁଖ୍ୟମନ୍ତ୍ରୀ, ପଂଞ୍ଚାୟତିରାଜ ସଚିବ ଓ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଲିଖିତ ଅଭିଯୋଗପତ୍ରରେ ଜଣାଇଛନ୍ତି ଯେ, ପଞ୍ଚମ ଅର୍ଥ କମିସନ ଅନୁଦାନରେ ୨୦୨୦/୨୧ ଆର୍ଥିକ ବର୍ଷରେ ଧଳସାହି ରାସ୍ତା ନାମରେ ୯୨ ହଜାର ୧୧୩ ଟଙ୍କା ହଡ଼ପ ହୋଇଛି।

ସେହିପରି ଏହି ପଞ୍ଚାୟତର ଇଚ୍ଛାପୁରଠାରୁ ନଦୀକୂଳ ରାସ୍ତାକୁ ଢଳାଇ ରାସ୍ତା କଂକ୍ରିଟ ହୋଇଥିବା ଦର୍ଶାଯାଇ ୧ଲକ୍ଷ ୮୪ ହଜାର ଟଙ୍କା  ହଡ଼ପ କରାଯାଇଛି। ଲୋକେ ସବୁଦିନିଆ ରାସ୍ତା ନପାଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବାବେଳେ ପକ୍କାରାସ୍ତା ନାମରେ ଅର୍ଥ ହଡ଼ପ ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏହି ମିଥ୍ୟା ବିଲ୍ ଘଟଣାର ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାବାଜୀ ରାଉତ, ଅଜୟ କୁମାର ରାଉତ, ଆଶିଷ ବେହେରା, ପ୍ରଫୁଲ୍ଲ କୁମାର ଧଳ ଉମେଶ ଚନ୍ଦ୍ର ପାତ୍ର, ଅଜିତ ପାତ୍ର, ପ୍ରସନ୍ନ କୁମାର ସାହୁ, ପ୍ରମୋଦ କୁମାର ବେହେରା ରଞ୍ଜିତ କୁମାର ସାହୁ ପ୍ରମୁଖ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର