ବଣ ଲଙ୍କାମରିଚ ଗଛରେ ଭର୍ତ୍ତି ଲୁଚି ଗଲାଣି ରାସ୍ତା, ବଢ଼ୁଛି ଦୁର୍ଘଟଣା

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଧୀନ ଚିଙ୍ଗୁଡ଼ିଆ-ପଟୁପଡ଼ା ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏବେ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ହୋଇପଡ଼ିଛି। ୩ କିମି ବିଶିଷ୍ଟ ଏହି ମୁଖ୍ୟରାସ୍ତାର ପିଚୁ ଏବଂ କଂକ୍ରିଟ ପାର୍ଶ୍ବର ଉଭୟ ପା‌ର୍ଶ୍ବ ରାସ୍ତା ଜଙ୍ଗଲିଆ ହୋଇ ପଡ଼ିଥିବାରୁ ଯାତାୟତ କରିବାରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଅନାବନା ଗଛଲତା ବିଶେଷକରି ବଡ଼ ବଣ ଲଙ୍କମରିଚ ଗଛରେ ଭର୍ତ୍ତି ହୋଇଥିବାରୁ ରାସ୍ତା ଲୁଚି ଗଲାଣି। ଅନାବନା ଗଛଲତା ପିଚୁ ଉପରକୁ ମାଡ଼ି ଆସିଥିବାରୁ ରାସ୍ତା ଭଲ ଭାବରେ ଦିଶୁ ନଥିବାରୁ ବାଇକ ଓ ଭାରୀଯାନ ଚାଳକ ମାନେ ଦୁର୍ଘଟଣା ଘଟାଉଥିବା ଜଣାପଡ଼ିଛି। ଉଭୟ ପାର୍ଶ୍ବ ରାସ୍ତା ଗଛଲତାରେ ଭରି ରହିଥିବାରୁ ପଥଚାରୀ ମାନେ ରାସ୍ତା ମଝିରେ ଯିବାକୁ ବାଧ୍ୟ ହେଉଥିବାରୁ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଗତ ମାସକ ମଧ୍ୟରେ ଉକ୍ତ ରାସ୍ତାରେ ଦୁଇଟି ଦୁଘର୍ଟଣା ଘଟିଥିଲେ ହେଁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

Sambad

ଅପରପକ୍ଷରେ ରାସ୍ତା ମରାମତି ସାଙ୍ଗକୁ ଅନାବନା ଗଛ ସଫେଇ ଦିଗରେ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ସେହିପରି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଏବଂ କଂକ୍ରିଟ ଖଣ୍ଡ ଭାଙ୍ଗି ଯାଇଥିବାରୁ ଛୋଟବଡ଼ ଖାଲଖମା ସୃଷ୍ଟି ହୋଇଛି। ରାସ୍ତା ଅବସ୍ଥା ସଂକୀର୍ଣ୍ଣ ହେବା ଯୋଗୁ ଭାରୀଯାନ ଅତିକ୍ରମ କରିବା ବେଳେ ଖାଲଖମାରେ ପଡ଼ି ବାଇକ ଆରୋହୀ ଆହତ ହେଉଥିବା ନଜିର ରହିଛି। ଉଲ୍ଲେଖଯୋଗ୍ୟ ୨୦୦୨/୦୩ ମସିହାରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଉପରୋକ୍ତ ୩ କିମି ବିଶିଷ୍ଟ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆବଶ୍ୟକ ଅର୍ଥ ମଞ୍ଜୁର କରାଯାଇଥିଲା। ତା’ ପରଠାର ରାସ୍ତା ମରାମତି କରାଯାଉ ନଥିବାରୁ ରାସ୍ତା ବିପଦପୂର୍ଣ୍ଣ ହୋଇପଡ଼ିଥିବା ଜଣାପଡ଼ିଛି। ସେହିପରି ଗ୍ରାମ କଲ୍ୟାଣ ସମିତି ତରଫରୁ ମଧ୍ୟ ରାସ୍ତା ସଫା କରାଯାଉ ନାହିଁ। ସମସ୍ୟାର ସମାଧାନ ଦିଗରେ ନିର୍ବାହୀ ଯନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର