ବାଲିକୁଦା: ଅସରାଏ ବର୍ଷାରେ ବାଲିକୁଦା ବ୍ଲକ୍‌ କଟକ-ମାଛଗାଁ କେନାଲ ବନ୍ଧ ୧୫ ନମ୍ବର ରାସ୍ତା ବେହାଲ ହୋଇପଡ଼ିଛି। ରାସ୍ତାରେ ଆଣ୍ଠୁଏ ଖାଲ ସୃଷ୍ଟିହୋଇ ସେଥିରେ ପାଣି, କାଦୁଅ ଭର୍ତ୍ତି ହୋଇଯାଇଛି। ବାଇକ୍‌ କିମ୍ବା ସାଇକଲ ଚଳାଇ ଯାଇ ହେଉନାହିଁ। ଏପରିକି ପାଦରେ ଚାଲି ଯିବା ମଧ୍ୟ ସମ୍ଭବପର ହେଉନି। ଏହାର ପ୍ରତିବାଦରେ ଭରିଓଦ ଗାଁ ଲୋକେ ରାସ୍ତାରେ ଧାନ ବିହନ ବୁଣି ଅଭିନବ ପ୍ରତିବାଦ ଜଣାଇଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ ବହୁ ଦାବି ପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ରାସ୍ତାର ମରାମତି ପାଇଁ ଏକ ମାସ ତଳେ କାର୍ଯ୍ୟାଦେଶ ଦିଆଯାଇଥିଲା।

Advertisment

ମାତ୍ର ସଂପୃକ୍ତ ଠିକାଦାର ମେଣ୍ଟାଲ, ମୋହରମ ପକାଇବା ପରିବର୍ତ୍ତେ ଅଧିକ ଅର୍ଥ ଲାଭ ଆଶାରେ ଗାତିରେ ମାଟି ଭର୍ତ୍ତି କରି ଦେଇଥିଲେ। ଯାହାଫଳରେ ବର୍ଷାରେ ଏହା ଧୋଇ ହୋଇଯାଇଛି। ଏହି ରାସ୍ତାରେ ୫ଟି ପଞ୍ଚାୟତର ଲୋକେ ଯାତାୟାତ କରିଛନ୍ତି। ଭାରିଓଦା ଗ୍ରାମବାସୀଙ୍କ ପାଇଁ ଏହି ରାସ୍ତା ଗୁରୁତ୍ବପୂର୍ଣ୍ଣ ଅଟେ। ବର୍ଷା ଋତୁ ଆରମ୍ଭରେ ରାସ୍ତାର ସ୍ଥିତି ଏଭଳି ହୋଇଛି। ଆଗକୁ କେନାଲରେ ପାଣି ଆସିଲେ ରାସ୍ତାରୁ ଅତଡ଼ା ଖସି କେନାଲରେ ଧସେଇ ପଶିବା ଆଶଙ୍କା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆଜି ଗାଁ ଲୋକେ ରାସ୍ତାରେ ଧାନ ବିହନ ବୁଣି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। କେନାଲରେ ପାଣି ଆସିବା ପୂର୍ବରୁ ରାସ୍ତା ମରାମତି କରିବାକୁ ବାଲିକୁଦା ସରପଞ୍ଚ ରାଜକିଶୋର ସାହୁ,ବିଭୂତି ଭୂଷଣ ବାରିକ,ନୀଳେଶ ନାୟକ, ଦିଲ୍ଲୀପ ନାୟକ, ସୁଦର୍ଶନ ସ୍ୱାଇଁ, ବିକାଶ ଗଛାୟତ, ମିଲୁ ଭୋଇ, ମଙ୍ଗୁଳି ଭୋଇ, କାର୍ତ୍ତିକ ଗଛାୟତ, ସୁମନ ମଲ୍ଲିକ, ଜନ୍ମଜେୟ ମଲ୍ଲିକଙ୍କ ସମେତ ଭରିଓଦ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଏହି ରାସ୍ତାର ମରାମତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।