କଚ୍ଛପ ଗତିରେ ୫୫ ନମ୍ବର ଜାତୀୟ ରାଜପଥ -୨, ୫୮ ବର୍ଷର ଯନ୍ତ୍ରଣା କନ୍ଦରପୁର ଲେ‌େଭଲ୍‌ କ୍ରସିଂ

ଜଗତସିଂହପୁର ଟାଉନ୍: ୧୯୬୫-୨୦୨୩। ୫୮ ବର୍ଷ ହେଲାଣି ଯନ୍ତ୍ରଣା ଦେଇ ଆସୁଛି ଜଗତସିଂହପୁରରୁ କଟକ ସଂଯୋଗ କରୁଥିବା ଏକମାତ୍ର ପ୍ରମୁଖ ରାସ୍ତାରେ ଥିବା କନ୍ଦରପୁର ଲେଭଲ୍‌ କ୍ରସିଂ। ଏହି ରାସ୍ତା ଜଗତସିଂହପୁର ଜିଲ୍ଲାର ଲାଇଫଲାଇନ୍ ହୋଇଥିଲେ ମଧ୍ୟ ସେଠାରେ ଏକ ଓଭରବ୍ରିଜ୍ ନିର୍ମାଣ ସମ୍ଭବ ହେଉନାହିଁ। କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ପୂର୍ବତଟ ରେଳବାଇ, ରାଜ୍ୟ ସରକାରଙ୍କ ନିକଟରେ ଅନେକ ଥର ଦାବି ଉପସ୍ଥାପନ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନ ଥିଲା। ଏବେ କନ୍ଦରପୁର-ନୂଆଗାଁ ଜାତୀୟ ରାଜପଥ ସମ୍ପ୍ରସାରଣରେଏହି ରେଳ ଓଭରବ୍ରିଜ୍(ଆରଓବି) ନିର୍ମାଣ ହେବ। ସେଥିପାଇଁ ବୈଷୟିକ ସଂସ୍ଥା ଦ୍ବାରା ସର୍ଭେ ଓ ମୃତ୍ତିକା ପରୀକ୍ଷ କାମ ଶେଷ ହୋଇଛି। କିନ୍ତୁ ଏଯାଏଁ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇ ନ ନାହିଁ। ତେଣୁ ତୁରନ୍ତ ଓଭରବ୍ରିଜ୍ ନିର୍ମାଣ କରାଯିବା ପାଇଁ ଦାବି ହୋଇଛି। ସୂଚନା ଅନୁସାରେ, ୧୯୬୫ରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହେବା ପରେ ମାଲ ପରିବହନ ପାଇଁ କଟକ-ପାରାଦୀପ ରେଳ ଲାଇନ୍ କାର୍ଯ୍ୟକ୍ଷମ ହୋଇଥିଲା। ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିଥିଲା। ରାଜ୍ୟରେ ମାଲ ପରିବହନରେ ଏହି ରେଳ ଲାଇନ୍ ପୂର୍ବତଟ ରେଳବାଇକୁ ଲାଭାଂଶ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରମୁଖ ରାସ୍ତାରେ ଥିବା ଲେଭଲ କ୍ରସିଂରେ ଓଭରବ୍ରିଜ୍ ନିର୍ମାଣ ହୋଇଛି। କିନ୍ତୁ ବର୍ଷ ବର୍ଷ ଧରି କନ୍ଦରପୁର ଲେଭଲ୍‌ କ୍ରସିଂ ତିଆରି ନ ହେବା ପଛରେ କି ଉଦ୍ଦେଶ୍ୟ ରହିଥିବା ବୁଝାପଡେ ନାହିଁ। ଏପରିକି ଜଗତସିଂହପୁର-ଜଇପୁର ରାସ୍ତାରେ ଛପଡ଼ା ଠାରେ ଥିବା ଲେଭଲ୍‌ କ୍ରସିଂରେ ରେଳ ଓଭରବ୍ରିଜ୍(ଆରଓବି) ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଲାଣି। ଜଗତସିଂହପୁରରେ ପ୍ରତ୍ୟେକ ଦିନ ୨୦ ହଜାରରୁ ଅଧିକ ଗାଡ଼ି କନ୍ଦରପୁର-ଜଗତସିଂହପୁର ରାସ୍ତା ଦେଇ ଯାତାୟତ କରୁଛି। ଅଥଙ୍ଗାରୁ ମାଛଗାଁ କେନାଲ ଦେଇ ବିରିବାଟୀ ପର୍ଯ୍ୟନ୍ତ ବାଇପାସ ରାସ୍ତାରେ କେତେକ ଗାଡ଼ି ଯିବା ଆସିବା କରୁଛି। ଏହି ରାସ୍ତା ଅଣଓସାରିଆ ହୋଇଥିବାରୁ ବସ୍ ଓ ଭାରୀଯାନ ଯିବା ସମ୍ଭବପର ନୁହେଁ। ସେହିପରି ଓଭରଟେକିଂ ସମସ୍ୟା ଥିବାରୁ ସବୁ ଗାଡ଼ି ଯିବାକୁ ରାଜି ନାହାନ୍ତି। କିମ୍ବା ରାସ୍ତା ବିଷୟରେ ଅବଗତ ନ ଥିବା ଗାଡ଼ି ଚାଳକ ମୁଖ୍ୟ ରାସ୍ତାକୁ ପସନ୍ଦ କରୁଛନ୍ତି।

କିନ୍ତୁ ମୁଖ୍ୟ ରାସ୍ତାରେ କନ୍ଦରପୁର ଲେଭଲ କ୍ରସିଂ ଦେଇ ୯୦ ପ୍ରତିଶତ ଗାଡ଼ି ଯାଉଛି। ପାରାଦୀପ ବହୁ ସଂଖ୍ୟାରେ ମାଲବାହୀ ଟ୍ରେନ୍ ଯାଉଥିବାରୁ ଦିନରାତି ଲେଭଲ କ୍ରସିଂ ଫାଟକ ପଡ଼ୁଛି। ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା କେତେକ ଆମ୍ବୁଲାନ୍ସ ବାଇପାସର ଓ ଅନ୍ୟ କେତେକ କନ୍ଦରପୁର ଦେଇ ଯାଉଛନ୍ତି। ଘରୋଇ ଗାଡ଼ିରେ ଯାଉଥିବା ଗୁରୁତର ରୋଗୀ ମଧ୍ୟ କନ୍ଦରପୁର ଦେଇ ଯାଉଛନ୍ତି। ସେହି ରାସ୍ତାରେ ବହୁ ଷ୍ଟପେଜ୍ ଥିବାରୁ ବସ୍, ଯାତ୍ରୀ ପରିବହନ କରୁଥିବା ମ୍ୟାଜିକ୍ ଭଳି ଛୋଟ ଗାଡ଼ି, ଅଟୋ ଯିବାକୁ ପସନ୍ଦ କରୁଛନ୍ତି। କିନ୍ତୁ କନ୍ଦରପୁର ଲେଭଲ କ୍ରସିଂ ଯନ୍ତ୍ରଣା ଅସହ୍ୟ ହେଉଛି। ଗୋଟିଏ ଟ୍ରେନ୍ ଅତିକ୍ରମ କଲେ ଅତିକମରେ ୧୫ରୁ ୨୦ ମିନିଟ୍ ଫାଟକ ବନ୍ଦ ରହୁଛି। କେତେକ ସମୟରେ ଦୁଇଟି ଟ୍ରେନ୍ ଅତିକ୍ରମ କଲେ ଅଧା ଘଣ୍ଟାରୁ ଅଧିକ ସମୟ ଲାଗି ଯାଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବଢ଼ୁଛି। ସବୁଠୁ ବଡ଼ କଥା ହେଲା ଏହି ଅଞ୍ଚଳ କଟକ ଜିଲ୍ଲାରେ ଆସୁଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ସର୍ବାଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ଜଗତସିଂହପୁର ଜିଲ୍ଲାର ସୀମାରେଖା ବିରିଡ଼ି ବ୍ଲକ ଅନ୍ତର୍ଗତ କଇଁଜଙ୍ଗା ଠାରୁ ମାତ୍ର ୫ କିଲୋମିଟର ଦୂରରେ ଲେଭଲ୍‌ କ୍ରସିଂ ଆସୁଛି। ଏହି ଅଞ୍ଚଳ ନୂଆବଜାର ତହସିଲ ଅଧୀନରେ ଆସୁଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଲେଭଲ କ୍ରସିଂର ଗୋଟିଏ ପାର୍ଶ୍ବ ଅଥଙ୍ଗା ମୌଜାରେ ଆସୁଥିବା ବେଳେ କଟକ ପାର୍ଶ୍ବ କନ୍ଦରପୁର ମୌଜାରେ ଆସୁଛି। କନ୍ଦରପୁର ପାଖରୁ କାମ ଆରମ୍ଭ ହେବାକୁ ଥିବା ବେଳେ ଏଯାଏଁ ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ହୋଇପାରି ନଥିବାରୁ କାମ ଆରମ୍ଭ ହୋଇପାରୁନାହିଁ। ଲେଭଲ କ୍ରସିଂ ପାଖରେ ଥିବା ଜନବସତିକୁ ଉଚ୍ଛେଦ ଓ ଥଇଥାନ, କ୍ଷତିପୂରଣ ପ୍ରଶାସନ ସମସ୍ୟା ଥିଲେ ହେଁ ତାହା ଦୂର କରାଯାଇନାହିଁ। ଏଦିଗରେ ତୁରନ୍ତ ବିହିତ ବ୍ୟବସ୍ଥା ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର