କନ୍ଦରପୁର-ନୂଆଗାଁ ୫୫ ନଂ ଜାତୀୟ ରାଜପଥ ସମ୍ପ୍ରସାରଣରେ ଅପାରଗତା ଜଳଜଳ

ଜମି ଅଧିଗ୍ରହଣ, ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତରଣରେ ସମନ୍ବୟ ନାହିଁ

ଜଗତସିଂହପୁର ଟାଉନ୍: ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର-ଠାରୁ ନୂଆଗାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କାମ ଆରମ୍ଭରେ ବିଳମ୍ବ ଯୋଗୁଁ ଏହି ପ୍ରକଳ୍ପ ବିଳମ୍ବିତ ହେବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟରେ କନ୍ଦରପୁର ଠାରୁ-ବାଲିକୁଦା ବଜାର ପର୍ଯ୍ୟନ୍ତ ପ୍ରାୟ ୪୨ କିଲୋମିଟର ରାସ୍ତା କାମର ଟେଣ୍ଡର ପ୍ରକାଶ ପାଇନାହିଁ। ଏହି ରାସ୍ତା ଅଧୀନରେ ଥିବା ସମସ୍ତ ତହସିଲରେ ଜମି ଅଧିଗ୍ରହଣ ପାଇଁ ଇ-ନୋଟିଫି‌କେସନ୍‌ କାମ ଶେଷ ହୋଇଛି। କେବଳ ଜଗତସିଂହପୁର ତହସିଲ ପାଇଁ ଏହି ଇ-ନୋଟିଫିକେସନ୍‌ର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଛି। କିନ୍ତୁ ଜମି ଅଧିଗ୍ରହଣ କାମ ଆଗେଇ ପାରୁନାହିଁ। ପ୍ରସ୍ତାବିତ ଜାତୀୟ ରାଜପଥ ପାର୍ଶ୍ବରେ ବିଦ୍ୟୁତ୍‌କରଣ କାମ ପାଇଁ ୨୦୨୦-୨୧ରେ ୫ କୋଟି ୭୬ ଲକ୍ଷ ୬୭ ହଜାର ୭୬୭ ଟଙ୍କାର ବ୍ୟୟ ଅଟକଳ କରାଯାଇ ତତ୍‌କାଳୀନ ଜିଏମ୍‌ ଇଲେକ୍‌ଟ୍ରିକାଲ୍‌ସରେ ଅର୍ଥ ଜମା ଦିଆଯାଇଥିଲା। ତେବେ ଇତିମଧ୍ୟରେ ତିନି ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିବାରୁ ଏହି ରାସ୍ତାରେ କେତେକ ନୂଆ ବିଦ୍ୟୁତ ସରଞ୍ଜାମର ଆବଶ୍ୟକତା ପଡ଼ୁଥିବାରୁ ବ୍ୟୟ ଅଟକଳ ରାଶି ମଧ୍ୟ ବୃଦ୍ଧି ପାଇବ ବୋଲି ବର୍ତମାନର ବିଦ୍ୟୁତ ପରିବଣ୍ଟନ ଦାୟିତ୍ବରେ ଥିବା ଓପିଡିସିଏଲ୍‌ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଜେନା ପ୍ରକାଶ କରିଛନ୍ତି। ପ୍ରାୟ ୪୫ କିଲୋମିଟର ରାସ୍ତାରୁ ୩୩ କେଭି, ୧୧ କେଭି, ଏଲଟି ଲାଇନ୍, ୨୫ରୁ ଅଧିକ ସବ୍ ଷ୍ଟେସନ ଉଠିବା ନେଇ ବ୍ୟୟ ଅଟକଳ କରାଯାଇଛି। ତେବେ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇ ନଥିବାରୁ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ସ୍ଥାନାନ୍ତର ପ୍ରକ୍ରିୟା ବିଳମ୍ବ ହେଉଛି। ଏହି ବିଦ୍ୟୁତ୍‌ ଖୁଣ୍ଟ, ସବ୍‌ଷ୍ଟେସନ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା ସ୍ଥାନାନ୍ତର ଏକ ଲମ୍ବା ପ୍ରକ୍ରିୟା ହୋଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ସମନ୍ବୟ ଥିବା ପରି ମନେ ହେଉନାହିଁ। ଗଛସବୁ କଟା ଯିବା ପରେ ବଡ଼ ବଡ଼ ଗଛର ମୂଳ, ଗଣ୍ଡି ସବୁ ରାସ୍ତା ପାର୍ଶ୍ବରେ ପଡ଼ି ରହିଛି। ସେଗୁଡ଼ିକୁ ହଟାଯାଇ ପାରିନାହିଁ। ଜାତୀୟ ରାଜପଥ ସମ୍ପ୍ରସାରଣ କାମର ଟେଣ୍ଡର ଏଯାଏଁ ଚୂଡ଼ାନ୍ତ ହୋଇପାରି ନଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ କନ୍ଦରପୁର-ବାଲିକୁଦା ରାସ୍ତାର ଉଭୟ ପାର୍ଶ୍ବରେ ଥିବା ପ୍ରାୟ ୫ ହଜାର ଗଛକୁ ବଳି ପକାଇଦେଲେ। ଯାହାକୁ ନେଇ ନେତା, ଜନତା, ପରିବେଶବିତ୍, ସ୍ଥାନୀୟ ବାସିନ୍ଦା, ଅନେକ ପ୍ରଶାସକ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଖରାଦିନ ଆରମ୍ଭରୁ ଏହାର ପ୍ରଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଯେତେବେଳେ ଜମି ଅଧିଗ୍ରହଣ ପ୍ରକ୍ରିୟା ୫୦ ପ୍ରତିଶତ ହୋଇପାରି ନାହିଁ ଓ ଟେଣ୍ଡର ଚୂଡ଼ାନ୍ତ କରାଯାଇ ନାହିଁ ଏହାର ଯଥେଷ୍ଟ ପୂର୍ବରୁ କାହିଁକି ଗଛକୁ କାଟି ଦିଆଗଲା ବୋଲି ଚାରିଆଡ଼ୁ ପ୍ରଶ୍ନ ଉଠିଛି। ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶାସନ ଅପରାଗତାର ଇଏ ଆଉ ଏକ ଉଦାହରଣ ବୋଲି କୁହାଯାଉଛି।

କନ୍ଦରପୁରରୁ ବାଲିକୁଦା ବଜାର ପର୍ଯ୍ୟନ୍ତ ପ୍ରାୟ ୪୨ କିଲୋମିଟର ରାସ୍ତା ପାଞ୍ଚଟି ତହସିଲ ଅଧୀନରେ ଆସୁଛି। କନ୍ଦରପୁରରୁ-ଅଥଙ୍ଗା ନୂଆବଜାର ତହସିଲ, ଏହା ପରେ ଦଳେଇଘାଇ ଠାରୁ ବସନ୍ତପୁର ପର୍ଯ୍ୟନ୍ତ ବିରିଡ଼ି ତହସିଲ, ବସନ୍ତପୁରରୁ ତରିକୁନ୍ଦ ରଘୁନାଥପୁର ତହସିଲ, ନୂଆପୋଲରୁ ବାଲିଭଉଁରୀ ଜଗତସିଂହପୁର ତହସିଲ ଓ ଏହା ପରଠାରୁ ବାଲିକୁଦା ବଜାର ପର୍ଯ୍ୟନ୍ତ ବାଲିକୁଦା ତହସିଲ ଅଧୀନରେ ଆସୁଛି। କେଉଁଠି ୧୫ ପ୍ରତିଶତ ତ ଆଉ କେଉଁଠି ୩୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇପାରିଛି। ତେଣୁ ୯୦ ପ୍ରତିଶତ ଜମି ଅଧିଗ୍ରହଣ ହେବା ପରେ ହିଁ କାମ ଆରମ୍ଭ ହେବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି। ଅଧିଗ୍ରହଣ ଯୋଗୁଁ ହିଁ ପ୍ରକଳ୍ପ ବିଳମ୍ବ ହେବ ବୋଲି ଏବେଠୁ ସ୍ପଷ୍ଟ ହୋଇଯାଇଛି। ସେହିପରି କ୍ଷତିପୂରଣ ରାଶିକୁ ନେଇ ମଧ୍ୟ ଏକାଧିକ ସ୍ଥାନରେ ଅସନ୍ତୋଷ ଦେଖାଦେଇଛି। ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତିଙ୍କର ସମାନ କିସମର ସମାନ ଧରଣର ଦୁଇଟି ପ୍ଲଟ୍ ଅଧିଗ୍ରହଣ ହେଉଥିବା ବେଳେ ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ ହୋଇଛି। ଏହାକୁ ନେଇ ମାଲିକ ଆଇନର ଆଶ୍ରୟ ନେବେ ବୋଲି ଜଣାପଡ଼ିଛି। ଜାତୀୟ ରାଜପଥ ପାଇଁ ୩(ଏ) ବିଜ୍ଞପ୍ତି ପ୍ରକାଶନ ଠାରୁ କ୍ଷତିପୂରଣ ପ୍ରଦାନ ପର୍ଯ୍ୟନ୍ତ ବାର୍ଷିକ ୧୨ ପ୍ରତିଶତ ସୁଧ ହାର ଜମି ଉପରେ ଦେବାର ନିୟମ ରହିଛି। ବିଜ୍ଞାପନ ପ୍ରକାଶନର ଦୁଇ ବର୍ଷ ହୋଇଥିଲେ ମଧ୍ୟ ବର୍ଷକର ସୁଧ ପ୍ରଦାନ କରାଯାଉଥିବା ଅଭିଯୋଗ ହେଲାଣି। କେତେକ ଜାଗାରେ ଜମି ମୂଲ୍ୟ କମ୍ ରହୁଥିବା କୁହାଯାଉଛି। ତେଣୁ ଏହି ସବୁ ଦିଗ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆହୁରି ବିଳମ୍ବ କରିବ ବୋଲି କୁହାଯାଉଛି। ୫୮ ବର୍ଷ ଧରି ଯନ୍ତ୍ରଣା ଦେଇ ଆସୁଥିବା କନ୍ଦରପୁର ଲେଭେଲ୍‌ କ୍ରସିଂ ଉପରେ ରେଳ ଓଭରବ୍ରିଜ୍(ଆରଓବି) ମଧ୍ୟ ସେହି ଜାତୀୟ ରାଜପଥ ସାଙ୍ଗରେ ତିଆରି ହେବ। ଯାହା ଆଉ ଏକ ବଡ଼ ସମସ୍ୟା। ସେହିପରି କାମ ବିଳମ୍ବ ହୋଇ ଚାଲିଥିବା ବେଳେ ପ୍ରକଳ୍ପ ଖର୍ଚ୍ଚ ଯଥେଷ୍ଟ ବଢ଼ିବା ସହ ଲୋକଙ୍କ ପାଇଁ ଏକ ଯନ୍ତ୍ରଣା ସଦୃଶ ହୋଇଛି। କେବଳ ଅପାରଗତା ପାଇଁ ଏଭଳି ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର