ଭୋଟ୍ ବର୍ଜନ କରିଥିଲେ ୬ ଗ୍ରାମବାସୀ, ପ୍ରକଳ୍ପ ନିର୍ଦ୍ଦେଶକ ବୁଝିଲେ ରାସ୍ତା ଯନ୍ତ୍ରଣା

ଜଗତସିଂହପୁର: ରାସ୍ତା ସମସ୍ୟା ନେଇ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟ ବର୍ଜନ କରିଥିବା ଗୋପାଳପୁର ଗ୍ରାମପଞ୍ଚାୟତବାସୀଙ୍କ ପାଇଁ ଅଶ୍ବାସନାର ବିଷୟ। ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରୁଦ୍ରନାରାୟଣ ଦାଶ କୀର୍ତ୍ତନପୁରଠାରୁ ବେଗୁନିଆ ଗ୍ରାମକୁ ସଂଯୋଗ କରୁଥିବା ୧୦ ନମ୍ବର ମୁଖ୍ୟ କେନାଲ ବନ୍ଧ (ଜଳ ସମ୍ପଦ) ବିଭାଗର ୪ କିମି ଦୂର ରାସ୍ତାକୁ ବୁଲି ଦେଖିଛନ୍ତି। ଲୋକଙ୍କ ରାସ୍ତା ଯନ୍ତ୍ରଣାକୁ ନିଜେ ହୃଦୟଙ୍ଗମ କରି ପଦକ୍ଷେପ ନେବେ ଓ ଖୁବ୍‌ ଶୀଘ୍ର ରାସ୍ତା ପୁନରୁଦ୍ଧାର କାମ ଆରମ୍ଭ ହେବ ବୋ‌ଲି ପ୍ରତିଶ୍ରୁତି ଦେଇଛନ୍ତି। ବିଡ଼ମ୍ବନା ହେଲା ଜଗତସିଂହପୁର ଭଳି ଏକ ଶିକ୍ଷିତ ଓ ବିକାଶଶୀଳ ଜିଲ୍ଲାରେ ଏପରି ଦୁର୍ଗମ ରାସ୍ତା ସମସ୍ୟାକୁ ଲୋକମାନେ ଓ ସରକାର ୩୯ ବର୍ଷ ହେଲା ହଜମ କରି ଆସିଛନ୍ତି। ୧୯୮୩ ରେ ସର୍ବ ପ୍ରଥମେ ଅରଣ ଗାଁଠାରୁ ବେଗୁନିଆ ପର୍ଯ୍ୟନ୍ତ ମୋରମ ରାସ୍ତା ହୋଇଥିଲା। ସେତେବେଳେ ଗାଁ ଲୋକଙ୍କ ଆନନ୍ଦ କହିଲେ ନସରେ। ପରବର୍ତ୍ତି ସମୟରେ ରାଜ୍ୟ ସରକାରଙ୍କ ଅନେକ ସଡ଼କ ଯୋଜନା ଆସିଛି। କିନ୍ତୁ ୩୯ ଭିତରେ ସେହି ମୋରମ୍‌ ରାସ୍ତାର ଭାଗ୍ୟ ବଦଳିଲାନାହିଁ। ସେଠାରେ ମରାମତି ନାମରେ କେବଳ ଅର୍ଥ ଲୁଟ୍‌ ହୋଇଛି ଓ ଗୋପାଳପୁର ପଞ୍ଚାୟତବାସୀଙ୍କ ଦୁଃଖ ବଢ଼ିଛି। ଏହି ପଞ୍ଚାୟର ଇଦ୍ରାକ୍ଷାପୁର, ଗୋପାଳପୁର, ମଇଦିପୁର ଏବଂ କଟରା ଗ୍ରାମପଞ୍ଚାୟତର ହାଜିନଗର, କୋରକୋର ଓ ବିରି‌ତୋଳ ପଞ୍ଚାୟତର ସଲମପୁର (କଣ୍ଟିଗଡ଼ିଆ)ର ଗ୍ରାମବାସୀ ରାସ୍ତାରେ ଯାତାୟାତ ପାଇଁ ନର୍କ ଯନ୍ତ୍ରଣା ଭୋଗ କରି ଆସିଛନ୍ତି।

ଭୋଟ ଆସିଲେ ରାଜନେତାଙ୍କ ଦେଖାମିଳେ, ପ୍ରତିଶ୍ରୁତି ଦିଅନ୍ତି। ଭୋଟ ପରେ ଆଉ କୌଣସି ନେତାଙ୍କ ଗାଁରେ ପାଦ ପଡ଼େ ନାହିଁ। ଏପରିକି ସରକାରୀ ଅଧିକାରୀମାନେ ମଧ୍ୟ ସମସ୍ୟାର କୌଣସି ସମାଧାନ କରିନାହାନ୍ତି। ଯେଉଁ କାରଣରୁ ବିତସ୍ଫୃହ ହୋଇ ୬ଟି ଗ୍ରାମବାସୀ ଗତ ତିର୍ତୋଲ ଉପନିର୍ବାଚନରେ ଭୋଟ ବର୍ଜନ କରିଥଲେ। ଆଜି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଗସ୍ତ ପରେ ନୂତନ ଆଶାର ସଂଚାର ହୋଇଛି। ରାସ୍ତା ଅବସ୍ଥା ସୁଧୁରିବ ବୋଲି ଗ୍ରାମବାସୀ ଆଶାବ୍ୟକ୍ତ କରିଛନ୍ତି। ଏପରକି ସଅଁରା, କନକପୁର ଏବଂ ପଟିଲୋ ଗ୍ରାମ ପଞ୍ଚାୟତର ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ସେହି ରାସ୍ତାରେ ଦୈନିକ ଯାତାୟାତ କରୁଥିବାରୁ ସେମାନଙ୍କ ସମସ୍ୟା ମଧ୍ୟ ଦୂର ହେବ ବୋଲି ଆଶା କରାଯାଉଛି। ବର୍ଷା ଋତୁ ଆସିଲେ ଏହି କେନାଲ ବନ୍ଧର ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଏ। ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ଯିବା ମଧ୍ୟ ସମ୍ଭବ ହୁଏ ନାହିଁ। ଏପରିକି ଅଟୋ ଚାଳକ ମଧ୍ୟ ଗାଁକୁ ଯିବାକୁ ମଙ୍ଗିନଥାନ୍ତି। ବର୍ଷା ପାଣି ନିଷ୍କାସନରେ ସମସ୍ୟା ଦେଖାଦେବା ସହ ଅନେକ ସ୍ଥାନରେ ଘାଇ ହୋଇଥାଏ। ପ୍ରତିବର୍ଷ ଚାଷଜମି ମଧ୍ୟ ନଷ୍ଟହୁଏ। ବର୍ଷାଦିନେ ପିଲାଙ୍କର ସ୍କୁଲଯିବା ମଧ୍ୟ ବନ୍ଦ ହୋଇଯାଏ। ଏହି ସମସ୍ୟା ସଂକ୍ରାନ୍ତରେ ଗୋପାଳପୁର ପଞ୍ଚାୟତ ସରପଞ୍ଚ ରଶ୍ମି ରଂଜନ ଦାଶ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ପରିଷଦ ସଭାପତିଙ୍କୁ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଆଗେଇ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର