ଖୋର୍ଦ୍ଧା ଗ୍ରାମାଞ୍ଚଳକୁ ପକ୍କା ସଡ଼କ, ସ୍ୱପ୍ନ ପୂରଣ ହେବା ପୂର୍ବରୁ ଭାଙ୍ଗିବା ଆଶଙ୍କା
ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଖର୍ଚ୍ଚ ହୋଇ ପାରିନାହିଁ ୨୦୦ କୋଟି ଟଙ୍କା
ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ) ଯୋଜନାର ଏହା ମଧ୍ୟରେ ତିନିଟି ପର୍ଯ୍ୟାୟ ଅତିକ୍ରାନ୍ତ ହୋଇସାରିଛି। ତିନିଟି ପର୍ଯ୍ୟାୟରେ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ସୁଧାର କରିବାକୁ ଅନୁଦାନ ମଧ୍ୟ ମିଳିଛି। କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଏହି ଯୋଜନାର ବର୍ତ୍ତମାନ ସୁଦ୍ଧା ୨ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିନିଯୋଗ ନହୋଇ ପଡ଼ିରହିଛି। ମିଳିଥିବା ତଥ୍ୟାନୁସାରେ, ୨୦୦୦ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ତିନିଟି ପର୍ଯ୍ୟାୟରେ ଖୋଦ୍ଧା ଜିଲ୍ଲାକୁ ୧୪୮୮.୯୨ କିଲୋମିଟର ଦୀର୍ଘ ୪୦୭ଟି ସଡ଼କ ଓ ୮ଟି ପୋଲ (ଏଲ୍ଏସ୍ବି) ନିର୍ମାଣ କରିବାକୁ ୭୩୫ କୋଟି ଟଙ୍କା ଅନୁଦାନ ମିଳିଛି। ପ୍ରଥମ ପର୍ଯ୍ୟାୟ ୨୦୦୦ରୁ ୨୦୧୩ ମଧ୍ୟରେ, ଦ୍ୱିତୀୟ ପର୍ଯ୍ୟାୟ ୨୦୧୩ରୁ ୨୦୧୮ ଓ ତୃତୀୟ ପର୍ଯ୍ୟାୟ ନିର୍ମାଣ ୨୦୧୯ରୁ ୨୦୨୫ ଯାଏଁ ଚାଲିବ। ମୋଟ ଅନୁଦିନ ୧୪୮୮.୯୨ କିମି ସଡ଼କ ମଧ୍ୟରୁ ଅଦ୍ୟାବଧି ୧୨୨୮ କିଲୋମିଟର ଦୀର୍ଘ ୩୫୨ଟି ସଡ଼କ ଓ ୬ଟି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପିଏମ୍ଜିଏସ୍ୱାଇ-୧ରେ ଜିଲ୍ଲାକୁ ୧୧୧୮.୪୦ କିମି ଦୀର୍ଘ ୩୩୯ଟି ସଡ଼କ ଓ ୬ଟି ପୋଲ ନିର୍ମାଣ ପାଇଁ ୪୯୨.୪୩ କୋଟି ଟଙ୍କା ମିଳିଥିଲା। ଏହି ଯୋଜନା ୨୦୧୩ରେ ଶେଷ ହେବା ବେଳକୁ ୫ କିମି ଦୀର୍ଘ ୩ଟି ସଡ଼କ ନିର୍ମାଣ ହୋଇପାରିନଥିଲା। ପରବର୍ତ୍ତୀ ପିଏମ୍ଜିଏସ୍ୱାଇ-୨ ପର୍ଯ୍ୟାୟରେ ୧୧୭.୮୦ କିମି ଦୀର୍ଘ ୧୮ଟି ରେହଟ ପାଇଁ ୫୫.୧୦ କୋଟି ଟଙ୍କା ମିଳିଥିଲା। ୨୦୧୮ରେ ଯୋଜନା ଶେଷ ହେବା ବେଳକୁ ୩.୩୪ କିମି ଦୀର୍ଘ ୨ଟି ସଡ଼କର ନିର୍ମାଣ କାମ ହୋଇପାରିନଥିଲା। ତୃତୀୟ ପର୍ଯ୍ୟାୟରେ ୨୮୫ କିମି ଦୀର୍ଘ ୫୦ଟି ସଡ଼କ ଓ ୨ଟି ପୋଲ ପାଇଁ ୧୮୭.୬୮ କୋଟି ଟଙ୍କା ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ତୃତୀୟ ପର୍ଯ୍ୟାୟର ୩ ବର୍ଷ ଅତିକ୍ରାନ୍ତ ହେଲାଣି, କିନ୍ତୁ ଗୋଟିଏ ମଧ୍ୟ ସଡ଼କ କିମ୍ବା ପୋଲର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ବିଗତ ୧୯ ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରତିବର୍ଷ ହାରହାରି ୧୬ଟି ପିଏମ୍ଜିଏସ୍ୱାଇ ସଡ଼କ ନିର୍ମାଣ କାର୍ଯ୍ୟ ହେଉଥିଲା। ୨୦୧୯ରେ ଫନି ବାତ୍ୟା, ପରବର୍ତୀ ସମୟରେ ଗେଟି, ଚିପ୍ସ ଆଦି ସଡ଼କ ନିର୍ମାଣ କଞ୍ଚାମାଲର ଅଭାବ ଓ କୋଭିଡ କଟକଣା ଯୋଗୁଁ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଅଟକି ଯାଇଥିଲା। ଆଗାମୀ ୩ ବର୍ଷ ମଧ୍ୟରେ ବଳକା ଥିବା ୫୫ଟି ସଡ଼କ ଓ ପୋଲ କାମ ଶେଷ କରିବାକୁ ପଡ଼ିବ। ଅର୍ଥାତ୍ ପ୍ରତିବର୍ଷ ହାରାହାରି ୧୯ଟି ସଡ଼କ କାମ ଶେଷ କରିବାକୁ ପଡ଼ିବ। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ଅଧିକାଂଶ ଗାଁକୁ ପକ୍କା ସଡ଼କର ଅଭାବ ରହିଥିବା ବେଳେ ନିକଟରେ ପାଇପ୍ ବିଛା କାମ ପାଇଁ ୫୦ରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ନିର୍ମାଣ ହୋଇସାରିଥିବା ସଡ଼କ ନଷ୍ଟ ହୋଇଯାଇଛି। ଏହାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ପଡ଼ୁଥିବା ବେଳେ ୫ବର୍ଷରୁ ଉର୍ଦ୍ଧ୍ବ ହୋଇସାରିଥିବା ଓ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଥିବା ସଡ଼କ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବ ରହିଛି। ଏପରିସ୍ଥଳେ ଜିଲ୍ଲାର ଗ୍ରାମାଞ୍ଚଳକୁ ପକ୍କା ସଡ଼କ ସ୍ୱପ୍ନ ଗଢ଼ୁଗଢ଼ୁ ଭାଙ୍ଗିଯିବାକୁ ବସିଥିବା ଅନୁମାନ କରାଯାଉଛି।