ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତ ନିର୍ମାଣ କରାଯାଉଛି। ଏପରିକି ଏହି ରାସ୍ତାର ଯାଞ୍ଚ କରିବା ପାଇଁ ବିଭାଗର ଉଚ୍ଚ ପଦାଧିକାରୀମାନେ ନିୟମିତ ମାଲକାନଗିରି ଗସ୍ତ କରି ରାସ୍ତା ଗୁଡିକର ଯାଞ୍ଚ କରୁଛନ୍ତି। କିନ୍ତୁ ଏତେ ସବୁ ଯାଞ୍ଚ ପରେ ମଧ୍ୟ ରାସ୍ତାର କାମ ଏତେ ନିମ୍ନମାନର ହେଉଛି ଯାହାକୁ ବିଭାଗୀୟ ଅଧିକାରୀ ଜାଣିଶୁଣି ଚପାଇ ଦେବାକୁ ଚାହୁଁଛନ୍ତି।ଏଭଳି ଏକ ସଦ୍ୟତମ ଘଟଣା କ୍ରମରେ ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଭାବେ ଚିତ୍ରକୋଣ୍ଡା ଏବଂ କାଲିମେଳା ବ୍ଲକ ଅନ୍ୟତମ।ଚିତ୍ରକୋଣ୍ଡା ଠାରୁ କାଲିମେଳା ବ୍ଲକକୁ ସଂଯୋଗ ରକୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଯେଉଁ ରାସ୍ତା ନିର୍ମାଣ କରାଯାଉଛି ତାହା ଅତି ନିମ୍ନମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି।

Advertisment

ଚିତ୍ରକୋଣ୍ଡାର ସ୍ପିଲଵେ ଠାରୁ ଆକୁରକୋଟା, ଆକୁରକୋଟା ଠାରୁ ପାପଲୁର, ପାପଲୁର ଠାରୁ କୁରମାନୁର ଏବଂ କୁରମାନୁର ଠାରୁ କାଲିମେଳା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଛି। ଗତ ତିନିମାସ ତଳେ ଏହି ରାସ୍ତାର ଆକୁରକୋଟା ଠାରୁ ପାପଲୁର ଏବଂ କୁରମାନୁର ପର୍ଯ୍ୟନ୍ତ ଯେଉଁ ପିଚୁ ପକାଯାଇଥିଲା ତାହା ସମ୍ପୂର୍ଣ୍ଣ ରୂପେ ଉଠି ଯିବା ସହ ରାସ୍ତାରେ ଚାଲିବା କଷ୍ଟକର ହୋଇପଡିଛି। କମଳାପଦରର ଠାରେ ରହିଥିବା ବିରାଟ ବ୍ରିଜର କାମ ମଧ୍ୟ ସମାପ୍ତ ହେଉନଥିବାରୁ ଲୋକେ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚିତ୍ରକୋଣ୍ଡା ଠାରୁ କାଲିମେଳା ମଧ୍ୟରେ ଜଳାପୁଟ, ଦାତୁନଗୁଡା, କୁରମାନୁର, ରାସବେଡା, ସେନ୍ଦ୍ରପାଲି, ସନ୍ୟାସୀଗୁଡା, ଆଲୁରକୋଟା ଭଳି ସ୍ଥାନରେ ରହିଥିବା ବ୍ରିଜଗୁଡିକରେ ଗାର୍ଡଵାଲ କରାଯାଇନଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ସ୍ପିଲଵେ ଠାରୁ ପାପଲୁରକୁ ପ୍ରାୟ ୨୩ କିଲୋମିଟର ହେବ ଏହି ରାସ୍ତାର ଅବସ୍ଥା ଏବେ ନଦେଖିଲେ ବିଶ୍ବାସ ହେବ ନାହିଁ। ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତାର ଅବସ୍ଥା ଏଭଳି ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

publive-image Sambad

ସେହିପରି ଆଲୁରକୋଟା ଠାରୁ ପାପଲୁର ରାସ୍ତା ମଧ୍ୟ ଅତି ଶୋଚନୀୟ। ତେବେ ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତାର ଅବସ୍ଥା ଏଭଳି କିପରି ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅତି ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଂକା ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି। ଗତ ତିନିମାସ ତଳେ ପଡିଥିବା ପିଚୁ ଏବେ ଉଠିବା ସହ ରାସ୍ତାରେ ଚାଲିବା କଷ୍ଟକର ହେଉଛି।

ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ରାସ୍ତାରେ ଆଉ ଚାଲି ହେଉ ନାହିଁ। ଚିତ୍ରକୋଣ୍ଡାରୁ ମାଲକାନଗିରି ହୋଇ ଲୋକେ କାଲିମେଳା ଯାଉଥିଲେ। ତେବେ ଏହି ରାସ୍ତା ଖୋଲିବା ପରେ ଲୋକେ ଆଉ ମାଲକାନଗିରି ନଯାଇ ପାପଲୁର ଏବଂ କୁରମାନୁର ହୋଇ କାଲିମେଳା ଯିବା ଆସିବା କରୁଛନ୍ତି। ଦୀର୍ଘଦିନ ଧରି ଏହି ରାସ୍ତା ନିର୍ମାଣପାଇଁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ। କିନ୍ତୁ ଦୀର୍ଘଦିନର ଦାବି ପରେ ରାସ୍ତା ନିର୍ମାଣହେଲା ସତ କିନ୍ତୁ ଅତି ନିମ୍ନମାନର ରାସ୍ତା କରି ସରକାରଙ୍କର କୋଟି କୋଟି ଟଂକା ପାଣିରେ ପକାଯାଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିନଥିବାରୁ ତାଙ୍କ ପ୍ରତିକ୍ରିୟା ଦିଆଯାଇପାରି ନାହିଁ।