ରାଜକନିକା/ଚାନ୍ଦୋଳ: ରାସ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ଲୋକ। ଏବେ ବର୍ଷା ଦିନେ ସମସ୍ୟା ସୀମା ଟପିଛି। ରାସ୍ତା ସାରା କାଦୁଅ ପଚପଚ, ଆଣ୍ଠୁଏ ପାଣି। ଦୁର୍ଘଟଣା ସାଙ୍ଗକୁ ଲୋକେ ଯା’ଆସରେ ଦହଗଂଜ ହେଉଛନ୍ତି। ଘର ବାହାରିବା ଏକପ୍ରକାର ମୁସ୍କିଲ ହୋଇପଡ଼ୁଛି। ଯେତେ ଗୁହାରି କଲେ ବି ପ୍ରଶାସନ ଶୁଣୁନି। ଏମିତି ସମସ୍ୟା ରାଜକନିକା ବ୍ଲକ ପାରିନୂଆପଡା ହାବଳଗଣ୍ଡ ଓ ଡେରାବିଶ ବ୍ଲକ୍‌ ପଲେଇ ପଞ୍ଚାୟତରେ ଦେଖିବାକୁ ମିଳିଛି। ରାଜକନିକା ବ୍ଲକ୍‌ ପାରିନୂଆପଡା ହାବଳଗଣ୍ଡ ପଞ୍ଚାୟତ କଇଥାପାଳ ଗାଁ ଚଢେଇଖିଆ ନାଳ ଉପରେ ଥିବା ପାଦଚଲା ପୋଲର ସଂଯୋଗୀକରଣ ରାସ୍ତା ନାହିଁ। ଚାଷୀ ହିନସ୍ତା ଭୋଗୁଛନ୍ତି। ଏହି ନାଳ ଡେଇଁ ଶହଶହ ଚାଷୀ ବିଲକୁ ଯାଇଥାନ୍ତି। ନାଳ ଉପରେ ପୋଲ ନିର୍ମାଣକୁ ଦୀର୍ଘ ଦିନ ବିତିଛି। ହେଲେ ଉଭୟ ପାର୍ଶ୍ୱରେ ରାସ୍ତା ଏ ଯାଏ ରାସ୍ତା ହୋଇ ପାରିନାହିଁ। କାଦୁଅ ପଚପଚ ରାସ୍ତାରେ ଚାଷୀ ଯିବା ଆସିବା କରୁଛନ୍ତି।ରାଜକନିକା ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ପାଦଚଲା ପୋଲ ଉପରେ କଇଥାପାଳ, ଉଜାଙ୍କ, ହାବଳଗଣ୍ଡ, ପାରିନୂଆପଡା, ଦଶିପୁର, ଲେଙ୍କାଡିହା, ହାବଳଗଣ୍ଡ ପ୍ରଭୃତି ଗ୍ରାମର ଚାଷୀମାନେ ନିର୍ଭର କରନ୍ତି। ବିଶେଷ କରି ଚାଷ ସରଞ୍ଜାମ ନେବା ଆଣିବା କରିବା ସହ ଧାନ, ବିରି ଭଳି ଫସଲ ମଧ୍ୟ ଆଣି ଥାନ୍ତି।

Advertisment

ହେଲେ ଏବେ ବର୍ଷା ଯୋଗୁଁ ଏହି ସଂଯୋଗୀକରଣ ରାସ୍ତା ପାଣି କାଦୁଅରେ ଶୋଚନୀୟ ହୋଇ ପଡିଛି। ତୁରନ୍ତ ଏହାକୁ ମରାମତି କରିବାକୁ ଦାବି କରିଛନ୍ତି ଚାଷୀ। ଅନ୍ୟପଟେ ଡେରାବିଶ ବ୍ଲକ୍‌ ପଲେଇ ପଞ୍ଚାୟତର ୫ନଂ ଓ ୬ ନଂ ୱାର୍ଡ଼ରେ ରାସ୍ତା ଦୀର୍ଘ ବର୍ଷ ହେବ ମରଣଜନ୍ତା ପାଲଟିଛି। ଏହି ଦୁଇଟି ରାସ୍ତା ନିର୍ମାଣ କରିବାକୁ ସରପଂଚ ଅକ୍ଷୟ କୁମାର ସାହୁ ଓ ସମିତିସଭ୍ୟା ତୃପ୍ତିମୟୀ ଜେନା ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ନିବେଦନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ୫ନଂ ୱାର୍ଡ଼ରେ ଥିବା ୨୦ରୁ ଅଧିକ ଦଳିତ ପରିବାର ବସବାସ କରୁଛନ୍ତି। ଏହି ରାସ୍ତା ଦୀର୍ଘ ବର୍ଷ ହେବ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ପଂଚାୟତ ଅଧୀନ ୬ ନଂ ୱାର୍ଡ଼ରେ ଥିବା ଚାନ୍ଦୋଳ- ଗୋଲରାହାଟ ଆରଆଣ୍ତବି ରାସ୍ତାରୁ କାଜିପୁର ଗ୍ରାମ ଦେଇ ପଲେଇ-ଅନାମ ଦାସ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ମଧ୍ୟ ଦୀର୍ଘ ବର୍ଷ ହେବ ମରଣଯନ୍ତା ପାଲଟିଛି। ଅଳ୍ପ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଛି। ଉଭୟ ରାସ୍ତାକୁ କଂକ୍ରିଟ୍ କିମ୍ବା ନାଲିଗୋଡ଼ି ମେଂଟାଲ ପକାଇ ମରାମତି କରିବାକୁ ସରପଂଚ ଓ ସମିତିସଭ୍ୟା ଦାବି କରିଛନ୍ତି। ବିଡ଼ିଓ ରାସ୍ତା ଅବସ୍ଥା ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଅମୃତ ଋତୁରାଜ ପ୍ରତିଶ୍ରୁତି ଦେଇଛନ୍ତି।