ତାରପୁର: ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କଟକ-ପାରାଦୀପ ରାଜରାସ୍ତା ମରଣ ଯନ୍ତା ପାଲଟିଛି। ଏହି ୮୨ କିମି ଦୈର୍ଘ୍ୟ ଢଳେଇ ରାସ୍ତାର ଜଇପୁର ଠାରୁ ତାରପୁର ବାଇପାସ୍ ମଧ୍ୟରେ ଏକାଧିକ ସ୍ଥାନରେ ରାସ୍ତା ଫାଟି ଆଁ କରିଛି। କେତେକ ସ୍ଥାନରେ ରାସ୍ତା ଦବି ଖାଲ ହୋଇଥିବାରୁ ଦୁର୍ଘଟଣାମାନ ଘଟୁଛି। ଏହି ଫାଟ ଗୁଡ଼ିକ ୬ ଇଞ୍ଚ ଚଉଡ଼ା ୧୦୦ ଫୁଟ ଲମ୍ବ ଥିବାରୁ ଦୁର୍ଘଟଣାରେ ପଡ଼ି ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଏହି ରାସ୍ତାର ବିଭିନ୍ନ ସ୍ଥାନରେ ହମ୍ପ୍ସମାନ ଥିବାବେଳେ ଏହାର ସୂଚନା ଦେବାକୁ ରାସ୍ତା ପାର୍ଶ୍ୱରେ ଲଗାଯାଇଥିବା ବ୍ଲିଙ୍କଲେଟ୍ ଲାଇଟ ଜଳୁନାହିଁ। ଅଧିକାଂଶ ହମ୍ପ୍ସ ଉପରେ ଧଳା ରଙ୍ଗର ଜେବ୍ରା କ୍ରସିଂ ଲିଭିଯାଇଥିବାରୁ ସନ୍ଧ୍ୟାପରେ ବାଇକ୍ ଆରୋହୀମାନେ ହଠାତ୍ ହମ୍ପ୍ସ ଜାଣିନପାରି ଦୁର୍ଘଟଣାର ଶିକାର ହେଉଛନ୍ତି।
ରାସ୍ତାର ଦୁଇ ପାର୍ଶ୍ୱରେ ଲଗାଯାଇଥିବା ସୂଚନା ଫଳକ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ଖୁବ କମ ଦିନରେ ତାହା ନଷ୍ଟ ହୋଇ ଯାଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ଜବର ଦଖଲ ବୃଦ୍ଧି ପାଉଥିବାବେଳେ ଅନେକ ସ୍ଥାନରେ ବାଲି ଗୋଡ଼ି ଓ ମେଟାଲ ଗଦା ହୋଇ ରହୁଛି। ଏହି ରାସ୍ତାର କଂଟୁଆର ଠାରୁ ନୂଆପଡ଼ା ଓମ୍ଫେଡ଼ ପର୍ଯ୍ୟନ୍ତ ରାସ୍ତାରେ ଦୈନିକ ଦୁର୍ଘଟଣାରେ ଧନଜୀବନ ହାନି ହେଉଛି। ଏହି ସମସ୍ୟା ଦୂର ପାଇଁ ତଥା ସାଧାରଣ ଧନଜୀବନର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଜଗତସିଂହପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/RASTA-1_6.jpg)