ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଲପିଜି ଗ୍ୟାସ ବୋଝେଇ ଟ୍ୟାଙ୍କରକୁ ଉଦ୍ଧାର ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀକୁ ନାକେଦମ୍ ହେବାକୁ ପଡିଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଅପରାହ୍ନ ୩ଟାରେ ଶେଷ ହୋଇଥିଲା। ଫଳରେ ୮ ଘଣ୍ଟା ଧରି ରାୟଗଡ଼ା-ଲକ୍ଷ୍ମୀପୁର ମଧ୍ୟରେ ଯାତାୟତ ଠପ୍ ହୋଇ ପଡ଼ିଥିଲା। ଘାଟି ଓ ଜଙ୍ଗଲ ରାସ୍ତାରେ ଶହଶହ ଯାନବାହନ ଅଟକି ରହିବା ଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭୋକ ଉପାସରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ରୋଗୀଙ୍କୁ ଉଚ୍ଚ ଚିକିତ୍ସା ପାଇଁ କୋରାପୁଟ ଓ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେଇ ଯାଉଥିବା ୩ ଆମ୍ବୁଲାନ୍ସ ମଧ୍ୟ ରାସ୍ତାରେ ଫଶି ରହିଥିଲା।
ଗତ ବୁଧବାର ପୂର୍ବାହ୍ନ ୧୧ଟାରେ ଗ୍ୟାସ ବୋଝେଇ ଟ୍ୟାଙ୍କରଟି ବିଶାଖାପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିବା ସମୟରେ ଗୁମ୍ମା ଘାଟି ଚଢ଼ିବା ପୂର୍ବରୁ ଓଲଟି ପଡିଥିଲା। ଏକ ବୁଲାଣିରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ପରେ ଟ୍ୟାଙ୍କରଟି ରାସ୍ତାକଡ଼କୁ ଓଲଟି ପଡିଥିଲା। କୁମ୍ଭିକୋଟା ପୁଲିସ୍, ରାୟଗଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ନେଇ ସ୍ଥିତି ଯାଞ୍ଚ କରିଥିଲେ।
୨/୩ ଘଣ୍ଟାର ଯାଞ୍ଚ ପରେ ଗ୍ୟାସ୍ ଲିକ୍ ହେଉନଥିବା ସ୍ପଷ୍ଟ ହେବା ପରେ ଯାତ୍ରୀ ଓ ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଗ୍ୟାସ ଟ୍ୟାଙ୍କରକୁ ଉଦ୍ଧାର କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଟ୍ୟାଙ୍କରକୁ ଉଦ୍ଧାର କରିବା ପାଇଁ ବିଶାଳ କ୍ରେନ୍ ଗୁରୁବାର ରାୟଗଡ଼ାରେ ପହଞ୍ଚିବା ପରେ ରାତି ୧୨ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନଥିଲା। ଫଳରେ ସକାଳ ୮ଟାରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସୁରକ୍ଷିତ ଭାବେ ଟ୍ୟାଙ୍କରକୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିବାରୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଥିଲା। ଫଳରେ ରାଜପଥର ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଯାତାୟାତ ପାଇଁ ଅନ୍ୟ ବିକଳ୍ପ ରାସ୍ତାନଥିବାରୁ ୩ଟି ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଧରି ରୋଗୀ ପଡି ରହିଥିବା ବେଳେ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଅଭିମୁଖେ ଯାଉଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅପରାହ୍ନ ୩ଟାରେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଜାତୀୟ ରାଜପଥରେ ଯାତାୟାତ ସ୍ବାଭାବିକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/RGD_Gas-Tanker.jpg)