ରାସ୍ତା ଦୁର୍ଦ୍ଦଶା : କାହାକୁ କହିବା, ଶୁଣିବ କିଏ? ନିଦାବିଷ୍ଣୁ ସାଜିଛି ‌ପ୍ରଶାସନ

ଜୟପୁର: ରାସ୍ତାରୁ ପିଚୁ ଉଠିସାରିଲାଣି। ମେଟାଲ୍ ଗୋଡି ବାହାରି ସାରିଛି। ଗାତ ଯେତିକି ରହିଛି ତାହା ଗଣି ହେଉନି। ସେଥିରେ ଜମି ରହୁଛି ବର୍ଷା ପାଣି। ଡ୍ରେନେଜ ବ୍ୟବସ୍ଥା ଭଲ ନଥିବା ବେଳେ ପାଣି ନିଷ୍କାସନ ହୋଇପାରୁ ନାହିଁ। ଅସରାଏ ବର୍ଷାରେ ରାସ୍ତାରେ ଭାସୁଛି ପାଣି। କାଦୁଅ ଭର୍ତ୍ତି ହୋଇ ରହୁଥିବା ବେଳେ ବାଇକରୁ ଖସି ପଡିବା ଭୟ ରହୁଛି। କେଉଁଠି ରାସ୍ତା ଅଧା ତିଆରି ହୋଇଛି ତ ଆଉ କେଉଁଠି ରାସ୍ତା ଅଧା ଧୋଇ ହୋଇ ସାରିଛି। ଏଭଳି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯାତାୟତ କରୁଥିବା ବ‌େଳେ ରାସ୍ତା ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି ସହରବାସୀ। ‌କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଅଞ୍ଚଳରେ ଏଭଳି ରାସ୍ତା ଦେଖିବାକୁ ମିଳିଛି। ସହରକୁ ସୁନ୍ଦର କରିବା ପାଇଁ ଚେଷ୍ଟିତ ପ୍ରଶାସନ ଭଲ ରାସ୍ତାଟିଏ ନିର୍ମାଣ ପାଇଁ ଭୁଲି ଯାଉଛି। ରାସ୍ତା ଦୁରାବସ୍ଥା ପାଇଁ କାହାକୁ କହିବା ଆଉ ଶୁଣିବ କିଏ ବୋଲି ସହରବାସୀ ଚିନ୍ତାରେ ପଡିଛନ୍ତି। ପୌରପାଳିକା ଅନ୍ତର୍ଗତ ସ୍ଥାନୀୟ ପାରାବେଡା ଅଞ୍ଚଳରେ ରାସ୍ତାର ଅବସ୍ଥା ଭୟଙ୍କର ରହିଛି। ବ୍ଲକ କାର୍ଯ୍ୟାଳୟ ଠାରୁ ୧୦୦ ମିଟର ଦୂରରେ ରହିଥିବା ରାସ୍ତା ଶୋଚନୀୟ ହୋଇପଡିଛି। ରାସ୍ତାରେ ବଡବଡ ଖାଲ ସୃଷ୍ଟି ହୋଇଛି। ରାସ୍ତା କଡରେ ଡ୍ରେନେଜ ସୁବିଧା ନଥିବାରୁ ପାଣି ନିଷ୍କାସନ ହୋଇପାରୁନି।

ଅସରାଏ ବର୍ଷାରେ ରାସ୍ତାରେ ପାଣି ଜମି ରହୁଛି। ରାସ୍ତା ସାରା ଖାଲ ରହିଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି। ବିଦ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ବ୍ଲକ କଲୋନୀ, କୋଭିଡ୍ କେୟାର ସେଣ୍ଟର ରହିଥିବା ବେଳେ ବହୁ ଲୋକ ଯାତାୟତ କରୁଛନ୍ତି। ‌ଗୋଟିଏ ବଡ ଗାଡି‌ ଗଲେ ଚାଲି ଯାଉଥିବା ବ୍ୟକ୍ତି କାଦୁଅ ଛିଟାରେ ଭିଜିଯାଉଛି। ସେହିପରି ସହରର କେବିଏସ୍‌ଡି ରୋଡ୍ ଯାହାକି ରାଜାନଗର ଛକ ଓ ତାରିଣୀଛକକୁ ସଂଯୋଗ କରିଛି, ସେହି ରାସ୍ତାର ପିଚୁ ଉଠି ସାରିଛି। ରାସ୍ତାରେ ଅଗଣିତ ଖାଲ ରହିଥିବା ବେଳେ ଗୋଡି ବାହାରି ପଡିଛି। ବର୍ଷା ହେଲେ ପାଣି ଜମୁଛି, ଖରା ହେଲେ ପଥର ଗୁଣ୍ଡ ଉଡୁଛି। ଏହି ରାସ୍ତା‌ ସହରର ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ସେଠା‌ରେ ଟ୍ରାଫିକ ଭିଡ ସାଙ୍ଗକୁ ଖାଲ ରାସ୍ତାରେ ଛେଚି ହେବା ଭଳି ଯନ୍ତ୍ରଣା ଭୋଗିବାକୁ ପଡୁଛି। ସେହିପରି ନୂଆସାହି ପଞ୍ଚମ ଲାଇନ୍ ଠାରୁ ଜାମବାଡ ସାହି ଯାଇଥିବା ରାସ୍ତା ସଂକୁଚିତ ହେବାରେ ଲାଗିଛି। ଡ୍ରେନେଜ ଭାଙ୍ଗି ଯାଇଥିବା ବେଳେ ରାସ୍ତା ଓସାର କମିବାରେ ଲାଗିଛି, ଯାହା ଫଳରେ ଯେଉଁ ରାସ୍ତା ଦେଇ ଦିନେ ମିନି ବସ୍ ଠାରୁ ଆରମ୍ଭ କରି ଟ୍ରାକ୍ଟର ଯାତାୟତ କରୁଥିଲା ଏବେ କାର ମଧ୍ୟ ଯାଇପାରୁ ନାହିଁ। ଗୋଟିଏ ଗାଡି ଗଲେ ଅନ୍ୟ ଗୋଟିଏ ଗାଡି ଅତିକ୍ରମ କରିବା କଷ୍ଟକର ହୋଇପଡୁଛି। ଏହି ରାସ୍ତାରେ ମେଟାଲ ବାହାରିଥିବା ‌ବେଳେ ରାସ୍ତା କାମ କେବେ ହେବ ଓ କାହାକୁ ଦୁଃଖ ଶୁଣାଇବୁ ବୋଲି ସାହି ବାସିନ୍ଦା କହିଛନ୍ତି।

ସେହିପରି ୨୬ ନମ୍ବର ଜାତୀୟ ରାଜପଥ ଠାରୁ ଲିଙ୍ଗରାଜ ନଗର ରାସ୍ତା ଶୋଚନୀୟ ହୋଇପଡିଛି। ସ୍ଥାନୀୟ ଶକ୍ତିନଗର ଗୋଜବାୟାଣୀ ମନ୍ଦିର ଠାରୁ ଶହେ ମିଟର ଦୂରରେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ସମ୍ପୂର୍ଣ୍ଣ ମାଟି ଦେଖାଯାଉଛି। କାଦୁଅ ଭର୍ତ୍ତି ହୋଇଥିବା ବେଳେ ସାହିବାସୀନ୍ଦା ଦୁର୍ଦ୍ଦଶା ଭୋଗୁଛନ୍ତି। ସେହିପରି ବେଲ୍‌ରୋଡ୍‌ର ସମ୍ବାରତୋଟା ସ୍ଥିତ ହନୁମାନ ମନ୍ଦିର ନିକଟରେ ଗୋଟିଏ ନୁ‌ହେଁ ୧୦ରୁ ଅଧିକାର ବଡ ଗାତ ରହିଛି। ରାସ୍ତାଟି ଓସାର ରହଥିବା ବେଳେ ଗାଡି ଦ୍ରୁତ ଗତିରେ ଚଲାଉଥିବା ଯୋଗୁଁ ସେଠାରେ ବହୁ ଦୁର୍ଘଟଣା ଘଟୁଛି। ସେହିପରି ଇନ୍ଦିରା ଛକ ଠାରୁ ମଧୁମତୀ ହୋଟେଲ ଛକ ପର୍ଯ୍ୟନ୍ତ ଏନ୍‌କେଟି ରୋଡରେ ରାସ୍ତା ଅଧା ଭାଗ ପିଚୁ ପଡିଥିବା ବେଳେ ଅଧା ଭାଗ ପିଚୁ ଦେଖା ନାହିଁ, ଗୋଟିଏ ଭାଗ ଉଚ୍ଚା ଥିବା ବେଳେ ଅନ୍ୟ ଭାଗଟି ଖାଲ ରହିଛି। ସହରର ମୁଖ୍ୟ ରାସ୍ତା ସବୁଠାରୁ ଅଧିକ ଜନଗହଳି ପୂର୍ଣ୍ଣ ରାସ୍ତାବି ସେଥିରୁ ବାଦ୍ ପଡିନି। ସ୍ଥାନୀୟ ତହସିଲ ଛକଠାରୁ ଜଗନଜନନୀ ଛକ ପର୍ଯ୍ୟନ୍ତ ବହୁ ଛୋଟ ବଡ ଖାଲ ରହିଛି।

ଭିଡ ଭିତରେ ଖାଲ ରାସ୍ତାରେ ଗାଡି ଚଲାଇବା କଷ୍ଟକର ହୋଇପଡୁଛି। ସେହିପର ସ୍ଥାନୀୟ ନେହୁରୁ ନଗରର ଅଗ୍ରସେନ ଭବନ ସମ୍ମୁଖରେ ଥିବା ରାସ୍ତାରେ ବର୍ଷା ହେଲେ ପୋଖରୀ ସୃଷ୍ଟି ହେଉଛି। ନୀଳକଣ୍ଠ ସାଗର ଉଚ୍ଚା ରହିଥିବା ବେଳେ ଏମ୍‌ଜି ରୋଡ୍ ମଧ୍ୟ ଉଚ୍ଚା ରହିଛି, ବର୍ଷା ପାଣି ଦୁଇ ପଟୁ ଆସି ସେଠାରେ ଜମା ହୋଇ ରହୁଛି। ସେଠାରେ କାଦୁଅ ଯେମିତି ରହୁଛି ବାଇକରେ ଯିବା ଭୟ ମାଡୁଛି ବୋଲି ସାହିବାସିନ୍ଦା କହିଛନ୍ତି। ସେହିପରି ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ଦୁର୍ନିତୀ ନିବାରଣ କାର୍ଯ୍ୟାଳୟ ସମ୍ମୁଖ, ମୁଖ୍ୟ ଟ୍ରାଫିକ ଛକ ଓ ବିକ୍ରମଦେବ କଲେଜ ସମ୍ମୁଖରେ ବଡ ଗାତ ସୃଷ୍ଟି ହୋଇଛି। ଏହି ରାସ୍ତାର ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ ହେବ ସହରବାସୀ ଚାହିଁ ବସିଛନ୍ତି।

ସମ୍ବନ୍ଧିତ ଖବର