୧୦୪କୋଟି ୩୬ଲକ୍ଷ ପ୍ୟାକେଜ ପାରାବେଡ଼ା କେନାଲ ରାସ୍ତାର ଅବସ୍ଥା ଦୟନୀୟ : ୩୦ବର୍ଷ ପରେ ବି ରାସ୍ତା ଅବସ୍ଥା ସୁଧିରିଲାନି

ଜୟପୁର: ଦୀର୍ଘ ୩୦ବର୍ଷ ପରେ କୋଲାବ ମୁଖ୍ୟ ଏବଂ ପାରାବେଡ଼ା କେନାଲ ( ଧନପୁର ଶାଖା କେନାଲ ବା ଡିବିସି) ରାସ୍ତାର ପ୍ରଶସ୍ତିକରଣ ପିଚୁ କାମ ଗତ ୩ମାସ ହେବ ସରିଛି। ତେବେ ଜନସାଧାରଣ ଯେଭଳି ଆଶା ପ୍ରକଟ କରିଥିଲେ ତାହା ନିରାଶ ହୋଇଛି। ନିମ୍ନ ମାନର ରାସ୍ତା କାମ ଯୋଗୁଁ ରାସ୍ତାରୁ ପିଚୁ ସହ ବଜୁରୀ ବାହାରି ଆସିଗଲାଣି। ରାସ୍ତା ପାର୍ଶ୍ବରେ ମାଟି ବି ଦବି ଗଲାଣି। ୩୦ବର୍ଷ ପରେ ହୋଇଥିବା ରାସ୍ତା ପ୍ରଶସ୍ତିକରଣ କାମ ମାତ୍ର ୩ମାସ ପୁରିବା ମଧ୍ୟରେ ଅବସ୍ଥା ପୁଣି ଧିରେ ଧିରେ ଖରାପ ହେବାକୁ ଲାଗିଛି। ରାସ୍ତାର ଏଭଳି ଅବସ୍ଥାକୁ ଦେଖି ବୁଦ୍ଧିଜୀବୀ ମାନେ ଠିକାସଂସ୍ଥା ସହ ଉପରକୋଲାବ ପ୍ରକଳ୍ପର ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି। ଏହି ରାସ୍ତାର ଗୁଣତ୍ମାକତା ଏବଂ ଦୀର୍ଘସ୍ଥାୟୀତ୍ବକୁ ନେଇ ଭିଜିଲାନସ୍ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସୂଚନାଥାଉକି, ଉପରକୋଲାବ ପ୍ରକଳ୍ପ ହେବା ସମୟରେ ନିର୍ମାଣ କରାଯାଇଥିଲା ରାସ୍ତା। ତା ପରେ ଆଉ ରାସ୍ତାର ପ୍ରଶସ୍ତିକରଣ କରାଯାଇନଥିଲା। ବାରମ୍ବାର ଫଟହଲ୍ ମରାମତି କାମ ଜାରି ରହିଥିଲା। ଦୀର୍ଘ ୩୦ବର୍ଷ ପରେ ରାସ୍ତା ଚେକ୍ ଡ୍ୟାମ୍, କେନାଲ ରାସ୍ତା ସଂପ୍ରସାରଣ, ମରାମତି ସହ ଆଖାପାଖ ଅଞ୍ଚଳ ଉନ୍ନତିକରଣ ଲାଗି ଗୋଟିଏ ପ୍ୟାକେଜ କରାଯାଇଛି। ଏହି ପ୍ୟାକେଜରେ ୨୬୮ କୋଟି ଟଙ୍କାର ଅଟକଳ ରହିଥିବା ଇନ୍ଦ୍ରାବତୀ- କୋଲାବ ଅବବାହିକା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ପ୍ୟାକେଜ୍ ମଧ୍ୟରୁ ୧୦୪ କୋଟି ୩୬ ଲକ୍ଷ ୮୦ ହଜାର ୬୪୨ ଟଙ୍କା ଖର୍ଚ୍ଚରେ ଜୟପୁର ମେନ୍ କେନାଲ୍ (ଜେଏମ୍ ସି )ର ସ୍ଥାନୀୟ ଗାନ୍ଧିଛକ-ଜୟନ୍ତିଗିରି ଏବଂ ଧନପୁର ବ୍ରାଞ୍ଚ କେନାଲ(ଡିବିସି) (ପାରାବେଡ଼ା ପାର୍ଶ୍ବ ଦେଇ ତେଲିଗୁଡା ଛକ ରାସ୍ତା),ସତୀଗୁଡ଼ା ଡ୍ୟାମ୍, ପଦ୍ମପୁର ଡିଷ୍ଟ୍ରିବ୍ୟୁଟରୀ ଏବଂ ଘାଟଗୁମର- କୋଲାବ ନଗର ରାସ୍ତାର ସଂପ୍ରସାରଣ ଅର୍ନ୍ତଭୁକ୍ତ ରହିଛି। ଏହି କ୍ରମରେ ଗାନ୍ଧିଛକ ମେନ୍ କେନାଲର ଚମ୍ପାକୁପୁଲି ଶ୍ମଶାନ ନିକଟସ୍ଥ ଗଡ଼ାଣିରୁ ମାଟି ଖୋଳାଯାଇ ସମତଳ କରାଯାଇଥିଲା। ଧନପୁର ବ୍ରାଞ୍ଚ କେନାଲ୍ ଆରମ୍ଭରୁ ଜାତୀୟ ରାଜପଥ-୨୬ ସଂଯୋଗ ସ୍ଥଳ ପର୍ଯ୍ୟନ୍ତ ଗୋଡ଼ି, ଚିପସ୍ ଗୁଣ୍ଡ ପକାଯାଇ ଖାଲଢିପ ସମତୁଲ କରାଯିବା ସହ ପିଚୁ ଗତ ତିନି ମାସ ହେବ ପକାଯାଇଛି। ଗାନ୍ଧିଛକରୁ ଧନପୁର ବ୍ରାଞ୍ଚ କେନାଲ୍ ଆରମ୍ଭ ଏବଂ ସେଠାରୁ ତେଲିଗୁଡ଼ା ଦେଇ ଏନଏଚ୍-୨୬ ଛକ ପର୍ଯ୍ୟନ୍ତ ରାସ୍ତା ୭ ମିଟର ବା ପ୍ରାୟ ୨୪ ଫୁଟ ଚଉଡ଼ା କରାଯାଇଛି।

୨୦ ଫୁଟ ପିଚୁ ପକାଯିବା ପରେ ରାସ୍ତାର ଉଭୟ ପଟେ ୨ ଫୁଟ ଲେଖାଏଁ ମୋରମ ପକାଇବା ସହ ଗ୍ରାମାଞ୍ଚଳରେ ଟ୍ରାଫିକ୍ ଏବଂ କେନାଲର ଓସାରକୁ ଧରି ରାସ୍ତା ୧୦ରୁ ୧୩ ଫୁଟ ରଖିବା ଯୋଜନା ରହିଥିଲା । ଗାନ୍ଧିଛକରୁ ପାରାବେଡ଼ା ଦେଇ ତେଲିଗୁଡ଼ା ପର୍ଯ୍ୟନ୍ତ ପିଚୁ କାମ ସରିଛି। ଡିବିସି ଛକରୁ ଜୟନ୍ତିଗିରି (ଏନଏଚ୍-୨୬) ପର୍ଯ୍ୟନ୍ତ ପିଚୁ ପକାଯିବା କାମ ଜାରୀ ରହିଛି। ଅପରପକ୍ଷରେ ସଂପ୍ରତି କାମ ସରିଥିବା ଗାନ୍ଧୀଛକରୁ ତେଲିଗୁଡା ଛକ ରାସ୍ତା ସଂପୁର୍ଣ୍ଣ ଖରାପ ହୋଇଯାଇଛି। ଗାନ୍ଧିଛକରୁ ଏନଏଚ-୨୬ ତେଲିଗୁଡ଼ା ଛକ ପର୍ଯ୍ୟନ୍ତ ଏହି ରାସ୍ତା ଗୁରୁତ୍ବପୂର୍ଣ। ସହରରେ କୌଣସି ବଡ଼ ଧରଣର କାର୍ଯ୍ୟକ୍ରମ ହେଲେ, ଟ୍ରାଫିକ୍ ଜାମ୍ ହେଲେ, ଏହାକୁ ବାଇପାସ୍ ରାସ୍ତା ଭାବେ ବ୍ୟବହାର କରାଯାଉଛି । କୋରାପୁଟରୁ ଜୟପୁର ଦେଇ ବୋରିଗୁମ୍ମା ଯାତାୟାତ କରୁଥିବା ଗାଡ଼ି ଏହି ରାସ୍ତା ଉପରେ ନିର୍ଭରଶୀଳ। ସହର ସହ ଆଖାପାଖ ଅଞ୍ଚଳର ହଜାର ହଜାର ଲୋକ ଏହା ଉପରେ ନିର୍ଭର କରନ୍ତି। ରାସ୍ତା କାମ ସରିଲେ ଏ ଅଞ୍ଚଳର ଚାଷୀ ଅଧିକ ଉପକୃତ ହେବେ। ସୁରୁଖୁରୁରେ ନିଜେ ଉତ୍ପାଦିତ ସାମଗ୍ରୀ ସହରକୁ ପରିବହନ କରି ଉତ୍ତମ ବଜାରରେ ବିକ୍ରୀବଟା କରି ଦୁଇ ପଇସା ଲାଭ ପାଇ ପାରିବେ । ଏଥିସହ ରାତିରେ ଗ୍ରାମାଂଚଳର ଲୋକେ ଯିବାଆସିବା ବେଳେ ସମସ୍ୟା ହେବନି। କେନାଲ ପରିଦର୍ଶନ ଓ ତଦାରଖ କରିବାକୁ ଯିବା ବେଳେ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନେ ଅସୁବିଧା ଭୋଗିବେ ନାହିଁ। ତେବେ ମୂଳରୁ ହିଁ ରାସ୍ତା ଅବସ୍ଥା ଖରାପ ହେଉଥିବାରୁ ରାସ୍ତାର ମାନକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର