ରାଇରଙ୍ଗପୁର: ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ଛୋଟ ବଡ ଦୂର୍ଘଟଣା ଘଟୁଥିଲେ ମଧ୍ୟ ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥଟି ରାଂଚି ଠାରୁ ଆରମ୍ଭ ହୋଇ ଭାୟା ଟାଟା ନଗର ଓ ଓଡିଶାର ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ସହର ଦେଇ ଯାଇଛି । ତେବେ ପଡୋଶୀ ଝାଡଖଣ୍ଡ ରାଜ୍ୟ ପୁର୍ବ ସିଂହଭୂମ ଜିଲ୍ଲାର ହଳଦୀପୋଖରୀ ଠାରୁ ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକଠାରୁ ମାତ୍ର ୫୦୦ ମିଟର ଦୂରରେ ଓଡିଶା ଓ ଝାଡଖଣ୍ଡ ରାଜ୍ୟର ବର୍ଡର (ସୀମା)ଠାରୁ ଜାତୀୟ ରାଜପଥର ଅବସ୍ଥା ବେହାଲ୍ ହୋଇଯାଇଛି । ଓଡିଶା ସୀମାରେ ଥିବା ରାସ୍ତା କିଛି ପରିମାଣରେ ଠିକ୍ ଥିବା ବେଳେ ଝାଡଖଣ୍ଡର ରାଜ୍ୟର ସୀମା ଆରମ୍ଭ ଠାରୁ ପ୍ରାୟ ୧୦ କି.ମି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବେହାଲ୍ ହୋଇଯାଇଛି ।
ଉକ୍ତ ରାସ୍ତାରେ ୪/୫ ଫୁଟର ବଡ ବଡ ଖାଲ ରହିଛି । ସେହି ଖାଲ ଗୁଡିକରେ ଚାରିଚକିଆ ଛୋଟ କାର୍ ଏବଂ କିଛି ବଡ ବଡ ଟ୍ରକ୍ ଓଲଟି ପଡୁଥବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ବର୍ଷା ଋତୁ ଥିବାରୁ ଉକ୍ତ ଖାଲରେ ସବୁ ସମୟରେେ ପାଣି ଜମି ରହୁଛି । ଯାହାଫଳରେ କେତେ ଖାଲ ଅଛି ତାହା ଚାଳକମାନେ ଜାଣିନପାରି ସେଥିରେ ଗଳି ପଡୁଥିବାର ଦେଖିବାକୁ ମିଳୁଛି । ଏନେଇ ପୂର୍ବରୁ ଉଭୟ ଓଡିଶା ଓ ଝାଡଖଣ୍ଡ ସରକାର କେନ୍ଦ୍ର ସରକାରଙ୍କୁ ବାରମ୍ବାର ରାସ୍ତା ମରାମତି କରିବା ପାଇଁ ଚିଠି କରିଥିଲେ ମଧ୍ୟ ୩ ବର୍ଷରୁ ଉର୍ଦ୍ଧ୍ବ ହେବ ରାସ୍ତାର ଅବସ୍ଥା ସେମିତି ହିଁ ରହିଛି । ୧୦ କି.ମି ରାସ୍ତା ପାରି ହେବା ପାଇଁ ଦେଢରୁ ଦୁଇ ଘଣ୍ଟା ସମୟ ଲାଗୁଛି । ତେବେ ଏନେଇ ଆମ ରାଇରଙ୍ଗପୁର ପ୍ରତିନିଧି କିଛି ଡ୍ରୋନ୍ ରୁ ଉତ୍ତୋଳନ ହୋଇଥିବା ଫୋଟ ସଂଗ୍ରହ କରିଛନ୍ତି । ଉକ୍ତ ଫୋଟରୁ ତାହା ଜାତୀୟ ରାଜପଥଟି ଗ୍ରାମ୍ୟ ରାସ୍ତା ଭଳି ଜଣାପଡୁଛି । ଏଣୁ ଯଥାଶିଘ୍ର ଉକ୍ତ ରାସ୍ତାକୁ ନିର୍ମାଣ କରାଯାଉ ବୋଲି ଦାବି ହେଉଛି ।