ହିତାଧିକାରୀଙ୍କ ଦୁଃଖ: ଭତ୍ତା ଏବଂ ଚାଉଳ ପାଇଁ ଯିବାକୁ ହୁଏ ୩୦ କିଲୋମିଟର,

ଅଟୋ ପାଇଁ ଭଡ଼ା ଦେବାକୁ ପଡ଼େ ଦୁଇ ହଜାର ଟଙ୍କା

ବୈପାରିଗୁଡା: ଭତ୍ତା ଏବଂ ଚାଉଳ ପାଇଁ ଯିବାକୁ ପଡ଼େ ୩୦ କିଲୋମିଟର ବାଟ।ଏଥିପାଇଁ ଅଟୋ ଭଡ଼ା ବାବଦକୁ ଦେବାକୁ ପଡ଼େ ଦୁଇ ହଜାର ଟଙ୍କା। ଏଭଳି ଦୁଃଖ ଭୋଗୁଛନ୍ତି ଜି.ମାଝୀଗୁଡା ଅନ୍ତର୍ଗତ ବାଙ୍କୁଲି ଗ୍ରାମର ହିତାଧିକାରୀଙ୍କୁ। ଏଭଳି ଦୁଃଖ ଭୋଗିବାର ମୁଖ୍ୟ କାରଣ ହେଉଛି ବାଙ୍କୁଲି ଗ୍ରାମର ଭୌଗଳିକ ଅବସ୍ଥିତି। ବାଙ୍କୁଲି ଜି.ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ହୋଇଥିବା ବେଳେ ଏହା କୋରାପୁଟ ଜିଲ୍ଲା ତଥା ବୈପାରିଗୁଡା ବ୍ଲକର ସୀମାନ୍ତ ଗ୍ରାମ। ତଥାପି ପଞ୍ଚାୟତ ସଦର ମହକୁମାକୁ ଯିବାପାଇଁ ମାତ୍ର ଆଠ କିଲୋମିଟର ହୋଇଥିଲେ ମଧ୍ୟ ଗମନାଗମନର କୈାଣସି ସୁବିଧା ନାହିଁ। ପଞ୍ଚାୟତ ସଦରମହକୁମା ପହଞ୍ଚିବା ପାଇଁ ତିନୋଟି ପାହାଡିଆ ନଈ ପାର ହେବାକୁ ପଡ଼ିଥାଏ। କୈଣସି ନଈ ଉପରେ ଆଜିଯାଏ ପୋଲଟିଏ ନିର୍ମାଣ କରାଯାଇପାରି ନାହିଁ।

ଏହା ଛଡ଼ା ଘଂଚ ଜଙ୍ଗଲ ଦେଇ ଚାଲି ଚାଲି ଯିବା ପାଇଁ ସାହସ କରନ୍ତି ନାହିଁ। ଯାହାର ଫଳ ସ୍ୱରୂପ ସେମାନଙ୍କୁ ତିରିଶି କିଲୋମିଟର ବାଟ ଯିବାକୁ ପଡିଥାଏ। ବାଙ୍କୁଲିରୁ ତିନି କିଲୋମିଟର ବାଟ ପାଦରେ ଚାଲି ଚାଲି ଜୟପୁର ମାଲକାନଗିରିକୁ ସଂଯୋଗ କରୁଥିବା ୩୨୬ ନମ୍ବର ରାଞ୍ଚି ବିଜୟବାଡା ଯାଏ ଆସିବାକୁ ପଡ଼େ। ଏହାପରେ ବସ୍ ଯୋଗେ ୧୬ କିଲୋମିଟର କୋଲାର ପଞ୍ଚାୟତର ଟାଙ୍ଗିଣିଗୁଡା ଠାରେ ପହଞ୍ଚି ସେଠାରୁ ୫ କିଲୋମିଟର ବାଟ ଦଶମନ୍ତପୁର ପଞ୍ଚାୟତ ସଦରମହକୁମା ଦେଇ ପୁଣି ୮ କିଲୋମିଟର ବାଟ ଡେଇଁ ନିଜ ପଞ୍ଚାୟତ ଜି.ମାଝୀଗୁଡାର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥାନ୍ତି। ମୋଟାମୋଟି ଭାବରେ ଭତ୍ତା ଏବଂ ଚାଉଳ ପାଇଁ ଦୁଇଟି ପଞ୍ଚାୟତ ସହ ୩୦ କିଲୋମିଟର ଅତିକ୍ରମ କରିବାକୁ ପଡ଼େ। ତେଣୁ ବାଙ୍କୁଲିର ସମସ୍ତ ହିତାଧିକାରୀ ବାଧ୍ୟ ହୋଇ ଅଟୋ ଭଡ଼ା କରି ଜି.ମାଝୀଗୁଡା ଠାରେ ପହଞ୍ଚିଥାନ୍ତି ଏବଂ ଏଥିପାଇଁ ଅଟୋ ଭଡ଼ା ବାବଦକୁ ଦୁଇ ହଜାର ଟଙ୍କା ଦେବାକୁ ପଡିଥାଏ।

ଯଦି ହିସାବ କରାଯାଏ, ତେବେ ଟଙ୍କିକିଆ ଚାଉଳ ପାଇଁ ମୁଣ୍ଡପିଛା ଦେଢ଼ ଶହ ଟଙ୍କା ଦେବାକୁ ପଡ଼େ। ଏହି ସବୁ କାରଣରୁ ହିତାଧିକାରୀମାନେ ପ୍ରତି ମାସରେ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ତେଣୁ ହିତାଧିକାରୀ ମାନଙ୍କର ଦାବି ହେଉଛି, ସେମାନଙ୍କ ପାଇଁ ଭତ୍ତା ଏବଂ ଚାଉଳ ବାଙ୍କୁଲିରେ ପ୍ରଦାନ କରାଯାଉ। ଏହାର ବିକଳ୍ପ ଭାବେ ଅନ୍ତତଃ ପକ୍ଷେ ଟାଙ୍ଗିଣିଗୁଡା ଠାରେ ମଧ୍ୟ ଦିଆଗଲେ ସେମାନଙ୍କର ସୁବିଧା ହୋଇଥାନ୍ତା ବୋଲି ସମସ୍ତ ହିତାଧିକାରୀ ଏବଂ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର