ଗ୍ରାମାଂଚଳରେ ପିଏମ୍‌ଜିଏସ୍‌ୱାଇ ସଡ଼କ ମରାମତି, ୫ ମାସ ପରେ ପ୍ରଗତି ୨ ପ୍ରତିଶତ

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ସଡ଼କ ଗ୍ରାମାଂଚଳର ଅର୍ଥନୈତିକ ବିକାଶର ଜୀବନରେଖା । ସରକାର ଖୋର୍ଦ୍ଧାର ଅନୁନ୍ନତ ଗ୍ରାମାଂଚଳର ବିକାଶ ପାଇଁ ଉଦ୍ୟମ କରୁଛନ୍ତି ବୋଲି କହୁଥିବା ବେଳେ କେନ୍ଦ୍ରୀୟ ଅନୁଦାନରେ ଚାଲୁଥିବା ପିଏମ୍‌ଜିଏସ୍‌ୱାଇ ସଡ଼କର ନିର୍ମାଣ ମନ୍ଥର । କେବଳ ଏହାନୁହେଁ, ଯେଉଁ ସଡ଼କ ନିର୍ମିତ ହୋଇଛି ଏହାର ନିୟମିତ ମରାମତିରେ ମଧ୍ୟ ଆବଶ୍ୟକ ଆଗ୍ରହ ଦେଖିବାକୁ ମଳୁନାହିଁ ।

ପିଏମ୍‌ଜିଏସ୍ ଯୋଜନା ଅନୁସାରେ ଯେଉଁ ସଡ଼କଗୁଡ଼ିକ ନିର୍ମିତ ହୋଇ ୫ ବର୍ଷ ପୂର୍ତି ହୋଇଯାଇଥିବ, ସେଇ ସଡ଼କ ଗୁଡ଼ିକର ମରାମତି କରାଯିବ । ଏଥିପାଇଁ କେନ୍ଦ୍ର ସରକାର ଆଗୁଆ ଅର୍ଥ ବରାଦ କରିଥାନ୍ତି, ରାଜ୍ୟ ସରକାର ପୂର୍ତ ବିଭାଗ ଦ୍ୱାରା ସଡ଼କଗୁଡ଼ିକୁ ଚିହ୍ନଟ କରି ଠିକାଦାରଙ୍କ ଦ୍ୱାରା ମରାମତି କରନ୍ତି । ଏଥିପାଇଁ ୬ମାସ ସମୟ ଦିଆଯାଇଥାଏ, କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ୫ବର୍ଷ ପୁର୍ତି ହୋଇଥିବା ସଡ଼କ ଗୁଡ଼ିକର ଆବଶ୍ୟକ ମରାମତି ହୋଇପାରୁନାହିଁ । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସଡ଼କ ଗୁଡ଼ିକର ପୂର୍ବ ଗୁଣାତ୍ମକମାନ ଆଉ ରହୁନାହ. ଫଳରେ ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଖୋର୍ଦ୍ଧା ଗ୍ରାମାଂଚଳର ୭ଟି ପ୍ରମୁଖ ସଡ଼କର ମରାମତି ପାଇଁ ଚିହ୍ନଟ ହୋଇଥିଲା । ସେଗୁଡ଼ିକ ହେଲ, ବେଗୁନିଆର ବଡ଼ବେରଣା ଠାରୁ ଗୋମାପୁର, ନିଆଁମୁହଁ ଠାରୁ ଗୋଡ଼ା ଭାୟା ଛଣିଆ, ଜାତୀୟ ରାଜପଥ ୨୨୪ ଠାରୁ ଧାନଘର ନୂଆଁଗାଁ-ସୁନାଳ, ଲକିପୁର ଠାରୁ ବରମପୁରା, ଛଣିଆ ଠାରୁ ଗୋଡ଼ା, ବୋଲଗଡ଼ର ପୂର୍ତ ବିଭାଗ ରାସ୍ତା ଠାରୁ ସିଉଳା ଓ ବଣିବନ୍ଧ ଠାରୁ ବ୍ରଜସୁନ୍ଦରପୁର । ଏହି ସମସ୍ତ ରାସ୍ତା ପାଇଁ ଜଣେ ଠିକାଦାରଙ୍କୁ ୮୫ଲକ୍ଷ ୪୭ ହଜାର ଟଙ୍କାର ଠିକା ଦିଆଯାଇଥିଲା । ନିୟମାନୁସାରେ ଏହା ୨୦୨୧ ଅଗଷ୍ଟ ୧୫ ଠାରୁ ଆରମ୍ଭ କରି ୨୦୨୨ ଫେବ୍ରୁଆରୀ ୧୪ ରେ ଶେଷ ହେବା କଥା । ଏହା ମଧ୍ୟରେ ୫ ମାସ ବିତିଗଲାଣି କିନ୍ତୁ ସମସ୍ତ ୭ଟି ରାସ୍ତାରୁ ୪ଟି ସଡ଼କରେ ମୋଟ ଅନୁଦାନର ୪ ପ୍ରତିଶତ ଅର୍ଥାତ୍ ମାତ୍ର ୩ଲକ୍ଷ ୨୧ ହଜାର ଟଙ୍କାର “ବିଟ’ କାର୍ଯ୍ୟ ହୋଇଛି । ବଡ଼ବେରଣା-ଗୋମାପୁର, ଜାତୀୟ ରାଜପଥ ୨୨୪ ଠାରୁ ଧାନଘର ନୂଆଁଗାଁ-ସୁନାଳ, ବୋଲଗଡ଼ର ପୂର୍ତ ବିଭାଗ ରାସ୍ତା ଠାରୁ ସିଉଳା ଓ ବଣିବନ୍ଧ ଠାରୁ ବ୍ରଜସୁନ୍ଦରପୁର ରାସ୍ତାରେ ଏଯାଏଁ କାଣିଚାଏ ମଧ୍ୟ ପିଚୁ କିମ୍ବା ଗୋଡ଼ି ପଡ଼ିନାହିଁ । ବେଗୁନିଆ ଓ ବୋଲଗଡ଼ର ଏହି ରାସ୍ତାଗୁଡ଼ିକ ଅଂଚଳର ପ୍ରମୁଖ ସଡ଼କ ହୋଇଥିବାରୁ ତୁରନ୍ତ ଏହାର ମରାମତି କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।

ସମ୍ବନ୍ଧିତ ଖବର