ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଏବଂ ନକ୍ସଲ ପ୍ରବଣ ଭାବେ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ବେଶ ପରିଚିତ। ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତ ଦୀର୍ଘ ବର୍ଷ ଧରି ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଥିଲା। ଯାହାର ଫାଇଦା ଉଠାଇଥିଲା ନକ୍ସଲ। ତେବେ ସରକାର ୨୦୧୮ ମସିହା ଜୁଲାଇ ୨୬ ତାରିଖ ଦିନ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ବାଭିମାନ ଅଞ୍ଚଳକୁ ବିକାଶର ବର୍ଷା କରିଦେଲେ। ଦୀର୍ଘ ବର୍ଷ ଧରି ଲୋକେ ପାଦ ଚଲା ରାସ୍ତା ଏବଂ ଘୋଡାରେ ଯିବା ଆସିବା କରୁଥିଲେ। ବିଶେଷକରି ସ୍ବାଭିମାନ ଅଞ୍ଚଳର ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଥିଲେ। ଗାଁ ଗାଁକୁ ରାସ୍ତା ନଥିବାରୁ ଲୋକେ ବହୁ ହଇରାଣ ହେଉଥିଲେ। ଏମାନଙ୍କ ପାଇଁ ଜଳଯାତ୍ରା ହିଁ ଏକ ମାତ୍ର ଗମନାଗମନର ପଥ ରହିଥିଲା। ତେବେ ଦଶନ୍ଧି ଦଶନ୍ଧି ପରେ ଏବେ ସ୍ବାଭିମାନ ଅଞ୍ଚଳର ରାସ୍ତା କାମ ଜୋରସୋରରେ ଚାଲିଛି। ଦୁର୍ଗମ ଧୂଳିପୁଟ ଏବଂ ରାଲଗେଡା ପଞ୍ଚାୟତକୁ ରାସ୍ତା ନଥିଲା।
ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏବେ ରାସ୍ତା କାମ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଥିଲା। ଏହି ଦୁଇ ପଞ୍ଚାୟତର ବହୁ ଗ୍ରାମ ଅପହଞ୍ଚ ହୋଇ ରହିଛି। ରାସ୍ତା ହେବା ଦ୍ବାରା ଏମାନେ ବାହ୍ୟ ଜଗତ ସହ ମିଶିପାରିବେ।ମୁତାଆମ୍ବ ଠାରୁ ସୁନାଗାଇ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ଚାଲିଛି। ଏହି ରାସ୍ତା ହେବା ପରେ ଧୂଳିପୁଟ, ମାଳିଗୁଡା, ଦାଗୁଡୁପାଲୀ, ନେରଡୁପାଲୀ, ଚିକପଣସ, ବାଟେରୁ, ସୁଆପାଲୀ, ସୁନସାଗୋଇ ଗ୍ରାମକୁ ସଂଯୋଗ ହୋଇପାରିବ ବୋଲି କୁହାଯାଇଛି। ଏହି ରାସ୍ତାର ତଦାରଖ କରିବା ପାଇଁ ଆଜି ଏସକ୍ୟୁଏମ ଗୁଣଧର ସାମଲ ସମେତ ଏସଇ ଆଶିଷ କୁମାର ଦାସ, ଏସଡିଓ ଗଜେନ୍ଦ୍ର ପ୍ରଧାନୀ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା, ଦଶରଥ ବାଙ୍କିଆ, ପିଇଓ ପୂର୍ଣ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ଦିନର ସ୍ବପ୍ନ ସାକାର ହେବ ବୋଲି ଧୂଳିପୁଟ ଏବଂ ରାଲଗେଡା ପଞ୍ଚାୟତବାସୀ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Mkg-swabhiman-area-re-road-made-by-RD.jpg)