ଦେଓଗାଁରେ ସଶସ୍ତ୍ର ଡକାୟତି ଉଦ୍ୟମ, ୭ ଗୁରୁତର

ଦେଓଗାଁ: ରବିବାର ସନ୍ଧ୍ୟାରେ ଦେଓଗାଁରେ ଡକାୟତି ଉଦ୍ୟମ କରି ଗୋଟିଏ ପରିବାରର ୭ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ୬ ଜଣଙ୍କୁ ବଲାଙ୍ଗୀର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସନ୍ଧ୍ୟା ପ୍ରାୟ ସାଢ଼େ ୬ରୁ ୭ଟା ମଧ୍ୟରେ ୫ରୁ ୭ ଜଣ ଅଜଣା ବ୍ୟକ୍ତି ସୋନଗଡ଼ ନଦୀକୂଳରେ ରହୁଥିବା ମଦନ ରଣାଙ୍କ ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାକୁ ଯାଇଥିଲେ। ପ୍ରଥମେ ଘର ଭିତରୁ ମଦନଙ୍କ ସ୍ତ୍ରୀ ବାହାରିବାରୁ ତାଙ୍କ ପୁଅକୁ ବିବାହ କରିବା ପାଇଁ ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବ ଓ ଏହାକୁ ବାରଣ କରିଥିବା ବିଷୟକୁ ନେଇ ଗଣ୍ଡଗୋଳ ଆରମ୍ଭ କରିଥିଲେ। ତା ପରେ ଏହି ଘରକୁ ଲାଗି ରହୁଥିବା ମଦନଙ୍କ ଭାଇ ଅକ୍ଷୟଙ୍କ ପରିବାର ଲୋକେ ଆସି ବାରଣ କରିବାରୁ ମଦନ ଓ ତାଙ୍କ ସ୍ତ୍ରୀ ସହ ପୁଅ ସଲିଟ, ଅବଧୁତ ଏବଂ ଭାଇ ଅକ୍ଷୟ ସହ ତାଙ୍କ ସ୍ତ୍ରୀ ଓ ପୁଅ ସୁନିଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଭୟଭୀତ ହୋଇ କୋଠା ଉପରକୁ ଚଢ଼ି ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିବାରୁ ଚାଷ ଜମି ମଧ୍ୟ ଦେଇ ଆକ୍ରମଣକାରୀମାନେ ଫେରାର୍‌ ହୋଇଥିବା ଅବଧୁତ କହିଛନ୍ତି। ରକ୍ତାକ୍ତ ଭାବେ ମଦନଙ୍କ ସାନ ପୁଅ ଅବଧୁତଙ୍କୁ ବାଦ ଦେଲେ ସମସ୍ତେ ବଲାଙ୍ଗୀର ଡାକ୍ତରଖାନାକୁ ଯାଇଥିଲେ। ସୂଚନାଯୋଗ୍ୟ ଯେ, ଗତ ମାସ ୨୪ ତାରିଖ ଦିନ ଏହି ପରିବାରରେ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ଏକ ଦଳ ଉଦ୍ୟମ କରିଥିଲେ। ସେହିପରି ୧୫ ଦିନ ତଳେ ମଦନଙ୍କ ଘରର ମୁଖ୍ୟ ଗେଟରେ ଲାଗିଥିବା ତାଲାକୁ ଭାଙ୍ଗି ଡକାୟତି ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୋଣସି ଅଭିଯୋଗ ହୋଇ ନଥିଲା।

ସମ୍ବନ୍ଧିତ ଖବର