ଲୁଟ୍‌ର ଦିନ ପରେ ଦିନ ବିତୁଛି; ଧରାପଡ଼ୁ ନାହାନ୍ତି ଲୁଟେରା

କଣ୍ଟାପଡ଼ା: କଣ୍ଟାପଡ଼ା ବ୍ଲକ୍‌ ଅଞ୍ଚଳରେ ଗତ କିଛିଦିନ ଭିତରେ ଏକାଧିକ ଲୁଟ୍‌ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଲୁଟ୍‌ ଘଟଣା ଘଟାଇ ଖସି ଯାଉଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରୁଛି। ହେଲେ, ଲୁଟ୍‌ ଘଟଣାର ଦିନ ପରେ ଦିନ ବିତି ଯାଉଥିଲେ ମଧ୍ୟ ଲୁଟେରାମାନେ ଧରାପଡ଼ୁ ନ ଥିବା ଅଭିଯୋଗ ହେଉଛି।
ପ୍ରକାଶଥାଉ କି, ଗତ ୧୮ ତାରିଖ ପୂର୍ବାହ୍ନରେ ଗୋବିନ୍ଦପୁର ଥାନା ଅଧୀନ ଦେବୀକନ୍ଦଳ ଦ୍ବୀପାଞ୍ଚଳ ଅଡ଼ଶପୁର-କସର୍ଦ୍ଦା ରାସ୍ତାର ତଣ୍ତିକଣା ଅରସିଲୋ ନିକଟରେ ୩ଜଣ ଦୁର୍ବୃତ୍ତ ବ୍ୟବସାୟୀ ଅଭୟ ସାହୁଙ୍କୁ ଟାଟାଏସ୍‌ ଗାଡ଼ିରୁ ଘୋଷାଡ଼ି ଆଣି ମାଡ଼ ମାରିବା ସହ ୧ ଲକ୍ଷ ୭୪ ହଜାର ଟଙ୍କା ଲୁଟି ନେଇଥିଲେ। ନିଆଳି ଥାନା ବଛସାଇଲୋ ଗ୍ରାମରେ ତେଜରାତି ଦୋକାନ କରିଥିବା ଶ୍ରୀ ସାହୁ ଜିନିଷପତ୍ର କିଣିବା ପାଇଁ କଟକ ମାଲ୍‌ଗୋଦାମ ଯାଉଥିଲା ବେଳେ ଏହି ଘଟଣା ଘଟିଥିଲା। ଲୁଟ୍‌ର ତିନିଦିନ ପରେ ବି ପୁଲିସ ଦୁର୍ବୃତ୍ତମାନଙ୍କ ପତ୍ତା ପାଇପାରି ନାହିଁ। ସିସିଟିଭି ଫୁଟେଜ୍ ତନଖି ସତ୍ତ୍ବେ ଅପରାଧୀଙ୍କ ସୁରାକ ମିଳୁ ନ ଥିବାରୁ ସାଧାରଣ ଲୋକମାନେ ନିଜକୁ ନିରାପଦ ମଣୁ ନାହାନ୍ତି।

ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ଡା ଓ ଗୋବିନ୍ଦପୁର ଥାନାଧିକାରୀ ମାନସ କୁମାର ମିଶ୍ର ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ସେହିପରି ୧୮ଦିନ ତଳେ ଅଡ଼ଶପୁର ଷ୍ଟେଟ୍‌ ବ୍ୟାଙ୍କରୁ ୮୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲା ବେଳେ ଆଦିକୁଣ୍ଡି ଗ୍ରାମର ଶ୍ରୁତିକାନ୍ତ ମହାନ୍ତି ଲୁଟ୍‌ର ଶିକାର ହୋଇଥିଲେ। ବରାହୀପୁର ଛକ ନିକଟରେ ଶ୍ରୁତିକାନ୍ତଙ୍କ ଏକ ଫୋନ ଆସିଥିଲା। ସେ ଫୋନ୍‌ରେ କଥା ହେଉଥିଲା ବେଳେ ପଛପଟୁ ଦୁଇଜଣ ଦୁର୍ବୃତ୍ତ ଆସି ଗାଡ଼ି ଡିକିରୁ ୮୦ ହଜାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଶ୍ରୁତିକାନ୍ତ ଓଲଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜ୍‌ରୁ ୨ଜଣଙ୍କୁ ଚିହ୍ନଟ କରାଯାଇଥିବା ମଧ୍ୟ ସୂଚନା ମିଳିଛି। ‌ହେଲେ, ଅଭିଯୋଗର ୧୮ ଦିନ ବିତିଥିଲେ ମଧ୍ୟ ଲୁଟେରାଙ୍କୁ ଧରାଯାଇ ପାରିନାହିଁ। ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହିତ ଅପରାଧୀଙ୍କ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର