ଉମରକୋଟ: ଗତ ଶନିବାର ଦିନ ଉମରକୋଟ ଥାନା ଅନ୍ତର୍ଗତ ଧୋଡ୍ରା ଠାରେ ଥିବା ଏସବିଆଇ ଏଟିଏମରୁ ଚୋରି ହେଇଥିବା ୩୦ ଲକ୍ଷ ଟଙ୍କା ଲୁଟ୍ ଘଟଣା। ଲୁଟ୍ର ୪୮ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଉମରକୋଟ ପୁଲିସ ଚୋରି କରିଥିବା ଅଭିଯୁକ୍ତ ଉପରେ କୌଣସି ଠୋସ ପ୍ରମାଣ ମିଳିନଥିଲେ ମଧ୍ୟ ଚୋର ବ୍ୟବହାର କରିଥିବା କଟର, ଗ୍ୟାସ ସିଲିଣ୍ଡର, ଗ୍ଲୋବ୍ସ, ପୋଷାକ ଧୋଡ଼୍ରା ନିକଟସ୍ଥ ମାଝୀଗୁଡା ପୋଲ ନିକଟରୁ ଉଦ୍ଧାର କରିଛି ପୁଲିସ। ଡାବୁଗାଁ ଥାନା ଆଇଆଇସି ଓ କିଛି ଲୋକ ଉମରକୋଟ ପୁଲିସକୁ ଖବର ଦେବା ପରେ ଉମରକୋଟ ପୁଲିସ ଅନୁସନ୍ଧାନ କରି ଦଳ ଓ କୁକୁରକୁ ନେଇ ତନାଘନା କରିଛି। ଘଟଣା ସ୍ପର୍ଶକାତକୁ ଅନୁଭବ କରି ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ସବୁ ଦିଗକୁ ତନତନ କରି ଅନୁଧ୍ୟାନ କରିଥିଲେ।
ଉମରକୋଟ ପୁଲିସ ଉପଖଣ୍ଡ ଅଧିକାରୀ କହିଛନ୍ତି, ତଦନ୍ତ ଚାଲିଛି। ସମସ୍ତ ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଉଛି। ଆଉ ଜବତ ପୋଷାକ ଦାମୀ ହୋଇଥିବାରୁ ଚୋରମାନେ ଉଚ୍ଚ ଶିକ୍ଷିତ ବୋଲି ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି। ଘଟଣାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଚୋର ସମ୍ପର୍କରେ କୌଣସି ସୁରାକ୍ ନ ମିଳିବା ଉମରକୋଟ ପୁଲିସର ମୁଣ୍ଡ ବଥା ହୋଇପଡ଼ିଛି। ଚୋର ପଡ଼ୋଶୀ ଛତିଶଗଡ ରାଜ୍ୟର ହେଇଥିବ ବୋଲି ଧୀରେ ଧୀରେ ପୁଲିସର ସନ୍ଦେହ ଘନୀଭୂତ ହୋଇଛି। କାରଣ ପ୍ରଥମେ ଅନୁସନ୍ଧାନି କୁକୁର ଓ ପରେ ବ୍ୟବହୃତ ସରଞ୍ଜାମ ପଡ଼ୋଶୀ ଛତିଶଗଡ଼ର ଜଗଦଲପୁର ରାସ୍ତାରୁ ମିଳିଛି।