ତାଲାବନ୍ଦ ଘରକୁ ପୁଣି ଟାର୍ଗେଟ, ୨୩ ଭରି ଗହଣା, ନଗଦ ୭୦ହଜାର ଟଙ୍କା ଲୁଟ

ବ୍ରହ୍ମପୁର: ବ୍ରହ୍ମପୁର ସହର ଓ ଆଖାପାଖ ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଛି। ଚୋର ଗ୍ୟାଙ୍ଗ ପୁଣି ଏକ ତାଲାବନ୍ଦ ଘରକୁ ଟାର୍ଗେଟ କରିଛନ୍ତି। ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରମାନେ ଘରେ ପଶି ଆଲମିରା ଭାଙ୍ଗି ସୁନାଗହଣା ସହ ନଗଦ ଟଙ୍କା ନେଇ ଯାଇଛନ୍ତି। ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବାପୁଜୀନଗର ଦ୍ବିତୀୟ ଲାଇନରେ ରହୁଥିବା ବ୍ୟବସାୟୀ କେ. ଗଣେଶ ରାଓ ଦୋରାଙ୍କ ଘରୁ ୨୩ ଭରି ସୁନା ଅଳଙ୍କାର ଓ ନଗଦ ୭୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ଥାନା ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ନେଇ ଘଟଣାସ୍ଥଳରେ ତଦନ୍ତ କରିଛି।

ବ୍ୟବସାୟୀ ଗଣେଶ ଗତକାଲି ପୋଙ୍ଗଲ ପାଳନ କରିବା ପାଇଁ ସପରିବାର ପୁରୁଷୋତ୍ତମପୁର ସ୍ଥିତ ତାଙ୍କର ସମ୍ପର୍କୀୟ ଘରକୁ ଯାଇଥିଲେ। ରାତି ପ୍ରାୟ ୧୦ଟା ବେଳେ ସେ ଘରକୁ ଫେରିଥିଲେ। ଘର ଭିତରକୁ ଯାଇ ଦେଖିବା ବେଳେ ଆଲମିରା ଭଙ୍ଗା ଯାଇଥିବା ବେଳେ ଜିନିଷପତ୍ର ଫିଙ୍ଗା‌ ଫୋପଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଯାଞ୍ଚ ପରେ ଆଲମିରା ଭିତରେ ଥିବା ପ୍ରାୟ ୨୩ ଭରି ସୁନା ଅଳଙ୍କାର ଓ ନଗଦ ୭୦ ହଜାର ଟଙ୍କା ଗାଏବ ଥିବା ଜଣାପଡ଼ିଥିଲା। ବାରିପଟ ଝରକା ଗ୍ରିଲ୍‌ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଚୋରମାନେ ଝରକା ଦେଇ ଘରେ ପଶି ଚୋରି କରିଥିବା ସନ୍ଦେହ କରାଯାଉଛି। ଏ ନେଇ ଗଣେଶ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି।

 

ସମ୍ବନ୍ଧିତ ଖବର