ଦିନ ଦ୍ବିପ୍ରହରରେ ଲକ୍ଷାଧିକ ଟଙ୍କା ଚୋରି

ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପରପଡ଼ା ଗ୍ରାମରେ ବଡ ଧରଣର ଚୋରି ହୋଇଛି। ସୂଚନା ଅନୁସାରେ ଉପରପଡ଼ା ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଗଣନାଥ ତ୍ରିପାଠୀ ଘର କରି ରହୁଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ପେଶାରେ ଶିକ୍ଷକତା କରୁଥିବା ବେଳେ କିଛି ଦିନ ପୂର୍ବରୁ ଗଣନାଥ ଅବସର ଗ୍ରହଣ କରିଛନ୍ତି। ପୁଅ ବାହାରେ ରହି କାର୍ଯ୍ୟ କରୁଥିବାବେଳେ ପତ୍ନୀ ରତ୍ନପ୍ରଭା ଦାସ ଏବେ ମଧ୍ୟ ଭାଲୁଡୁଙ୍ଗୁରୀ ସ୍କୁଲରେ ଶିକ୍ଷକତା କରୁଛନ୍ତି।

ତେଣୁ ସବୁଦିନ ଭଳି ଆଜି ମଧ୍ୟ ଗଣନାଥ ଘରେ ତାଲା ପକାଇ ୯.୩୦ ସମୟରେ ପତ୍ନୀଙ୍କୁ ସ୍କୁଲ ଛାଡ଼ିବାକୁ ଯାଇଥିଲେ। ଘରେ କେହିନଥିବାର ସୁଯୋଗରେ ଦୁର୍ବୃତମାନେ ଘର ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନାଗହଣା ଲୁଟି ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି। ସ୍କୁଲରୁ ଫେରିବା ସମୟରେ ଗଣନାଥ ବୁଧବାର ସାପ୍ତାହିକ ହାଟରୁ ପନିପରିବା ନେଇ ୧୧.୩୦ ସମୟରେ ଘରକୁ ଫେରିଥିଲେ।   ଘରକୁ ଫେରି ଘର ପଛ ପଟ କବାଟ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ।

ସେତେବେଳକୁ ଚୋର ଘରେ ପଶି କଳାକନା ବୁଲେଇ ଫେରାର ହୋଇ ଯାଇଥିଲେ। କୋଠରି ସବୁ ଖୋଲାଥିବାବେଳେ ଆଲମିରା ତାଡ଼ି ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଜଣା ପଡ଼ିଥିଲା। ଏନେଇ ଗଣନାଥ ବଣାଇ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର