ରାୟଗଡ଼ା: ରାୟଗଡ଼ା ସହରରେ ଚୋର, ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସୋମବାର ଦିନରେ ଦୁର୍ବୃତ୍ତ ମହିଳାଙ୍କ ବେକରୁ ୭ ଭରି ସୁନା ଚେନ୍ ଲୁଟି ନେଇଥିବାବେଳେ ରାତିରେ ଗାୟତ୍ରୀ ନଗରର ବନ୍ଦ ଘରେ କଳାକନା ବୁଲାଇଛନ୍ତି। ଚୋରି ବଢ଼ିବା ପରେ ପୁଲିସର ମୁଣ୍ଡବ୍ୟଥା ବଢ଼ିବା ସହ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ୍ ଚଢ଼ାଉକୁ ଜୋରଦାର୍ କରିଛି। ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍। ଗାୟତ୍ରୀ ନଗର ଦ୍ବିତୀୟ ଲାଇନରେ ରହୁଥିବା ଟି. ରାମ ବାବୁ ମେଡ଼ିକାଲ୍ କାମରେ ବିଶାଖାପାଟଣା ଯାଇଥିଲେ। ସପ୍ତାହେ ଧରି ଘରେ କେହିନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶି ୫ ଭରି ସୁନା, ୧ କେଜିରୁ ଉର୍ଦ୍ଧ୍ବ ରୂପା ସାମଗ୍ରୀ ନଗଦ ଦେଢ଼ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି।
ରାୟଗଡ଼ାରେ ରହୁଥିବା ତାଙ୍କ ସଂପର୍କୀୟ ତଥା ଶାଳକ ଜି. ସୁନୀଲ ପ୍ରତିଦିନ ଘର ଆଡେ ବୁଲି ଆସୁଥିବା ବେଳେ ଆଜି ସକାଳେ ଘର ଚାକରାଣୀ ଘରକୁ ସଫାସୁତୁରା କରିବାକୁ ଆସିଥିଲେ। ଘର ତାଲା ଭାଙ୍ଗି ପଡିଥିବା ଦେଖି ରାମବାବୁଙ୍କ ସଂପର୍କୀୟଙ୍କୁ ଜଣାଇଥିଲେ। ରାମବାବୁଙ୍କ ସଂର୍ପକୀୟ ଘରେ ପହଞ୍ଚି ଚୋରି ହୋଇଥିବା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ, ଡଗ ସ୍କାର୍ଡ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାମବାବୁ ଉପର ମହଲାରେ ରହୁଥିବା ବେଳେ ତଳ ଘରେ ଇମ୍ଫା କାରଖାନାର ଲୋକ ସଂପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ରହୁଛନ୍ତି। ସେ ମଧ୍ୟ ଅନୁପସ୍ଥିତ ରହିଥିବାରୁ ଘର ତାଲା ଭାଙ୍ଗି ର୍ଦୁବୁର୍ତ୍ତମାନେ ଘରେ ପଶିଥିବା ବେଳେ କେତେ କଣ ଚୋରି ହୋଇଛି ସେ ସଂପର୍କରେ ଜଣାପଡିନାହିଁ। ସେହିପରି ଆଜି ସଂଧ୍ୟାରେ ଜଣେ କଲେଜ ଛାତ୍ରୀଙ୍କ ନିକଟରୁ ଦୁର୍ବୃତ୍ତମାନେ ମୋବାଇଲ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଗୋଟିଏ ଦିନରେ ସହରରେ ୪ଟି ଚୋରି ଘଟଣା ଘଟିବା ପରେ ପୁଲିସ୍ ପାଟ୍ରୋଲିଂକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୧ ମାସ ମଧ୍ୟରେ ସହରରେ ନିୟମିତ ଭାବେ ଚୋରି ହେଉଥିବାରୁ ପୁଲିସ୍ ପାଟ୍ରୋଲିଂକୁ କଡାକଡି କରିବାକୁ ଦାବି ହୋଇଛି।