ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଘର କବାଟର ତାଲା ଭାଙ୍ଗି ଚୋର ପଶିଥିବା ନେଇ ଚନ୍ଦାହାଣ୍ଡି ଜେଏମ ଏଫସି ହିମାଂଶୁ ଶେଖର ଆଚାର୍ଯ୍ୟ ଗତ ୨ ତାରିଖରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ। ଏ ନେଇ ଚନ୍ଦାହାଣ୍ଡି ପୁଲିସ ଥାନା କେସ ନମ୍ବର ୧୩୮/୨୩ ପ୍ରକାରେ ଧାରା ୪୫୪/୫୧୧ରେ ଏକ ମାମଲା ରୁଜୁ କରିଥିଲେ। ଗତ ୩ ତାରିଖରେ ପ୍ରାଥମିକ ପର୍ଯ୍ୟାୟରେ ଏକ ବୈଷୟିକ ଦଳ ସନ୍ଧାନୀ କୁକୁର ସହ ଆସି ପାରିପାର୍ଶିକ ପରିସ୍ଥିତିର ଅନୁଧ୍ୟାନ କରି ଫେରି ଯାଇଥିଲେ। ଏହି ଘଟଣାକୁ ସାତ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ ଏ ପର୍ଯ୍ୟନ୍ତ କାହାରିକି ଗିରଫ କରିନାହିଁ। ବିବରଣୀରୁ ପ୍ରକାଶ ଚନ୍ଦାହାଣ୍ଡି  ଜେ.ଏମ.ଏଫ୍ ସି ହିମାଂଶୁ ଶେଖର ଆଚାର୍ଯ୍ୟ ତାଙ୍କ ପରିବାର ସହ କୌଣସି ଏକ ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଗତ ୨ ତାରିଖ ଦିନ ବେଳେ କେହି ଦୁର୍ବୃତ୍ତ ସେ ରହୁଥିବା ଚନ୍ଦାହାଣ୍ଡି ସ୍ଥିତ ଆର୍‌ଡି କଲୋନୀ ଘର ଦ୍ୱିତୀୟ ଦ୍ଵାରର ତାଲା ଭାଙ୍ଗିଥିବା ବେଳେ ଶୋଇବା ଘର ତାଲାକୁ ମଧ୍ୟ ଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣା ପଡ଼ିଛି।
Advertisment
ଘଟଣା ସମ୍ପର୍କରେ ମାଜିଷ୍ଟ୍ରେଟଙ୍କ ଗୃହ ଜଗା ରଖା କରୁଥିବା କୋର୍ଟର ଅସ୍ଥାୟୀ କର୍ମଚାରୀ ଦେବରାଜ ବିଶି ତୁରନ୍ତ ମାଜିଷ୍ଟ୍ରେଟଙ୍କୁ ଜଣାଇବା ପରେ ସେ ଚନ୍ଦାହାଣ୍ଡି ଆସି ଏ ନେଇ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଛାନ୍‌ବିନ୍ ଆରମ୍ଭ କରିବା ସହ ଚନ୍ଦାହାଣ୍ଡି ଆଇଆଇସି ପ୍ରଶାନ୍ତ କୋହ୍ଲାରସ ଏହାର ତଦନ୍ତ ଦାୟିତ୍ୱ ଏଏସ ଆଇ ଲାବାନ୍ୟ ବେମାଲଙ୍କୁ ପ୍ରଦାନ କରିଥିଲେ। ଏହି ଘଟଣା ଅଞ୍ଚଳବାସୀ ଶୁଣିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେବା ସହ ମାଜିଷ୍ଟ୍ରେଟଙ୍କ ଘରୁ ଚୋରି ହେବାପରେ ପୁଲିସ ଚୋର ଧରି ପାରୁ ନଥିବା ବେଳେ ସାଧାରଣ ଲୋକଙ୍କ ଘରେ ଚୋରି ହେଲେ ପୁଲିସ ଚୋର କିଭଳି ଧରିବ ବୋଲି ସାଧାରଣରେ ଆଲୋଚନା ହେଉଛି।