ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଚୋର ନେଇ ଗଲେ ସାର୍ଟିଫିକେଟ ଓ ଜମିକାଗଜ:ପଡୋଶୀ ସିସିଟିଭି ଭରସା

ବାଙ୍ଗିରିପୋଷି: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବୁଡାମରା ଗ୍ରାମରେ ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଛି | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ପ୍ରେମାଞ୍ଜନ ସେଠୀଙ୍କ ମା ଶରଲାବାଲା ସେଠୀ (୭୦) ଘରେ ନଥିବା ବେଳେ ତାଙ୍କ ଆଲମାରୀରେ ଥିବା ସମସ୍ତ ସୁନାଗହଣା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମାଙ୍କ ଶରୀର ଅସୁସ୍ଥ ଥିବାରୁ ବାରିପଦାରେ ଥିବା ମଝିଆ ପୁଅ ପାଖରେ ୨୦ ଦିନ ହେଲା ରହି ଡାକ୍ତର ପାଖରେ ଚିକିତ୍ସିତ ହେଉଛନ୍ତି। ଗାଁରେ ସାନ ବୋହୁ ଦିପାଲି ସେଠୀ ଓ ବାର ବର୍ଷର ପୁଅ ସହିତ ରୁହନ୍ତି।

ଦିପାଲୀଙ୍କ ସ୍ବାମୀ ପ୍ରେମାଞ୍ଜନ ବାହାରେ କାମ କରନ୍ତି । ସୋମବାର ରାତି ମା ଓ ପୁଅ ଗୋଟିଏ କୋଠରୀରେ ଶୋଇଥିବା ବେଳେ ଶାଶୁଙ୍କ କୋଠରୀରେ ଥିବା ଆଲମାରୀରୁ ସୁନା ଗହଣା ଚୋରି ହୋଇଯାଇଛି। ଗୋଟିଏ ସୁନା ହାର, ୪ ଟି କାନଫୁଲ, ୪ଟି ମୁଦୀ, ରୂପା ପାଉଁଜି, ଝୁଣ୍ଟିଆ ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ୫୦ ହଜାର ଟଙ୍କାର ବୋଲି ଦ୍ବିତୀୟ ପୁତ୍ର ସତ୍ୟରଞ୍ଜନ ସେଠୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୁନା ଗହଣା ସହିତ ଘରର ଜମିପଟ୍ଟା, ସାର୍ଟିଫିକେଟ ସବୁ ଚୋରି ହୋଇଯାଇଛି। ଥାନା ଅଧିକାରୀ ରୋଜାଲିନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବ ଇନ୍ସପେକ୍ଟର ଶଶ୍ମୀତା ସାମଲ ସାଇନଟିଫିକ ଟିମ୍ ସହ ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର ଯାଇଥିଲେ ମଧ୍ୟ ସୁରାକ ଦେବାରେ ଅସଫଳ ହୋଇଛି। ତେବେ ପଡୋଶୀଙ୍କ ସିସିଟିଭିକୁ ଭରସା କରିଛି ପୁଲିସ। ଘରେ ନୂତନ ଘର କାର୍ଯ୍ୟ ଚାଲୁ ଥିବାରୁ ମିସ୍ତ୍ରୀ ବ୍ୟବହୃତ କରୁଥିବା ହାତୁଡି ଓ ରଡ ଚୋରିରେ ବ୍ୟବହୃତ ହୋଇଥିବାରୁ ପୁଲିସ ବିଭିନ୍ନ ଦିଗ କୁ ଦୃଷ୍ଟି ରଖି ତଦନ୍ତ କରୁଛି ବୋଲି କହିଛି। ବାଙ୍ଗିରିପୋଷି ଥାନା ଅଞ୍ଚଳରୁ ଛଅ ମାସ ମଧ୍ୟରେ ପାଞ୍ଚଟି ସ୍ଥାନରେ ବଡଧରଣର ଚୋରି ହୋଇଥିଲେ ମଧ୍ୟ ପୁଲିସ ହାତ ଖାଲି ରହିଛି।

ସମ୍ବନ୍ଧିତ ଖବର